ଆଉ ଭୋକିଲା ରହିବନି ବୁଢୀମାଆ । ସ୍କୁଲରେ ଆତ୍ମସୁରକ୍ଷାର ଶିକ୍ଷା ଦେଇ ପେଟ ପୋଷିବ, ଭଲରେ ଚଳିବ । ଭୋକ ପାଇଁ ୮୫ ବର୍ଷର ଶାନ୍ତା ପାୱାରଙ୍କ ସଂଘର୍ଷ କରୁଣ କାହାଣୀ ଶୁଣି ସେଲ୍ପ ଡିଫେନ୍ସ ଟ୍ରେନିଂ ସେଣ୍ଟର ଖୋଲିବାକୁ କହିଥିଲେ ସୋନୁ । ମାସେ ଭିତରେ ବୁଢୀମାଉସୀ ପାଇଁ ସ୍କୁଲ ଖୋଲି ମନ ଜିଣିନେଲେ ଦୁଃଖୀରଙ୍କୀଙ୍କ ଭଗବାନ

191
କନକ ବ୍ୟୁରୋ: ଆଉ ଭୋକିଲା ରହିବନି ବୁଢୀମାଆ । ପେଟ ଚାଖଣ୍ଡେ ପାଇଁ ରାସ୍ତାକଡେ କଳାକୌଶଳ ଦେଖାଇବନି କି ଭୋକ ପାଇଁ କାହାକୁ ହାତ ପାତିବନି । କାରଣ ୮୫ ବର୍ଷର ଏ ବୁଢୀମାଆକୁ ସାହା ହୋଇଛନ୍ତି ଦୁଃଖୀରଙ୍କୀଙ୍କ ଭଗବାନ ସୋନୁ ସୁଦ୍ । ପାକଳ ହାତରେ ବାଡିକୁ ପଙ୍ଖା ପରି ପାଏଁ ପାଏଁ ବୁଲାଉଥିବା ଦେଖି ତାଙ୍କ ପାଇଁ ଏକ ମାର୍ସଲ ଆର୍ଟ ସେଣ୍ଟର ଖୋଲିଦେଇଛନ୍ତି ସୋନୁ । ଯେଉଁଠି ସେ ପିଲାଠୁ ଯୁବତୀ, ମହିଳାଙ୍କ ଠାରୁ କଲେଜ ପଢୁଆ ଛାତ୍ରୀଙ୍କୁ ଆତ୍ମସୁରକ୍ଷାର ପାଠ ପଢାଇବେ ।
ତେବେ ଗତ ମାସେ ତଳେ ପୁଣେରେ ଆଜି ମା ନାଁରେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହୋଇଥିଲେ ଏ ବୃଦ୍ଧା ଜଣଙ୍କ । ଭୋକର ଜ୍ୱାଳା ଆଗରେ ନିଜ ବାର୍ଦ୍ଧକ୍ୟ ଓ ଶରୀରର ଥକାପଣକୁ ଆହୁତି ଦେଇ କେମିତି ସେ ଖଣ୍ଡିଏ ଲାଠିରେ ଚମକ୍ରାର ଚାଳନା କରି ଭିକ ମାଗୁଥିଲେ ସେ ଦୃଶ୍ୟ ଦେଖିଥିଲା ସାରା ଭାରତ । ବୁଢୀମାଆଙ୍କ ଏ ଭଳି ସଂଘର୍ଷ ଦେଖି ତାଙ୍କୁ ସାହାଯ୍ୟ କରିଥିଲେ ସୋନୁ ସୁଦ୍ । ଆଉ ବିଚକ୍ଷଣ ଲାଠି ଚାଳନା କରୁଥିବାରୁ ତାଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର କରିଦେବେ ବୋଲି କହିଥିଲେ ।
ବାସ୍ କଥା ଦେବାର ମାସେ ପରେ କଥା ରଖିଛନ୍ତି ସୋନୁ । ଜୁଲାଇ ମାସରେ ଦେଇଥିବା କଥା ଅଗଷ୍ଟ ମାସରେ ପୂରା କରିଛନ୍ତି । ଆଉ ୮୫ ବର୍ଷର ଶାନ୍ତା ପାୱାରଙ୍କ ପାଇଁ ଏକ ସେଲ୍ପ ଡିଫେନ୍ସ ଟ୍ରେନିଂ ସେଣ୍ଟଖୋଲି ଦେଇଛନ୍ତି । ଯାହାର ନାଁ ରହିଛି ସୋନୁ ସୁଦ୍ ମାର୍ସଲ ଆର୍ଟ ସେଣ୍ଟର । ତେବେ ସ୍କୁଲ ଖୋଲିବା ପରେ ସୋନୁଙ୍କୁ ହୃଦୟରୁ ଧନ୍ୟବାଦ ଦେଇଛନ୍ତି ଶାନ୍ତା । ପୁଅ ବୋଲି ସମ୍ଭୋଧନ କରି କହିଛନ୍ତି, ପୁଅରେ ମୋ ଜୀବନର ଗୋଟେ ବଡ ସ୍ୱପ୍ନ ଆଜି ପୂରା ହେଲା । ଭାରି ଇଚ୍ଛାଥିଲା ମୁଁ ଶିଖିଥିବା କଳାକୁ ପିଲାଙ୍କୁ ବାଣ୍ଟିବି ବୋଲି ଆଉ ସେଇଟା ତୁ ପୂରଣ କଲୁ । ତତେ ଧନ୍ୟବାଦ…
ସେପଟେ ସ୍କୁଲ ଖୋଲିବା ପରେ ସୋନୁ କହିଛନ୍ତି ବୁଢୀ ମାଉସୀଙ୍କ ଭିତରେ ଦୃଢ ଇଚ୍ଛାଶକ୍ତି ରହିଛି । ଭାରତର ଯୁବତୀଙ୍କୁ ଆତ୍ମରକ୍ଷାର କଳାକୌଶଳ ଶିକ୍ଷାଇବାକୁ ଶାନ୍ତା ମାଉସୀଙ୍କ ଆବଶ୍ୟକତା ରହିଛି । ମାଉସୀଙ୍କ ନାଁରେ ସ୍କୁଲ ଖୋଲିବାକୁ ମୁଁ କହିଥିଲେ ହେଁ ସେ ମୋ ନାଁରେ ରଖିବାକୁ ଅଡି ବସିଥିଲେ ବୋଲି ସୋନୁ କହିଛନ୍ତି । ତେବେ ଆତ୍ମରକ୍ଷାର ଟ୍ରେନିଂ ଦେଇ ୮୫ ବର୍ଷର ଏ ବୁଢୀମା ଉକ୍ତ ସ୍କୁଲରୁ ପଇସା ପାଇ ନିଜ ବାକି ତକ ଜୀବନ ଭଲରେ କାଟିଦେବା ସହ ତାଙ୍କ ପାଖରେ ବଢୁଥିବା ଅନାଥ ପିଲା ମଧ୍ୟ ଭଲରେ ରହିବେ ବୋଲି ଶାନ୍ତା କହିଛନ୍ତି । ତେବେ ସୋନୁଙ୍କ ଏ ସାହାଯ୍ୟ ସାରା ଜୀବନ ମନେରଖିବେ ବୁଢିମା ଶାନ୍ତା ।