ସ୍ତ୍ରୀର ଦୁଃଖ ଦେଖିପାରିଲେନି ଦିନ ମଜୁରିଆ ସ୍ୱାମୀ । ଶକ୍ତ ଚଟ୍ଟାଣର ଛାତିକୁ ୨୫ଫୁଟ ଚିରିଦେଲେ, ପତ୍ନୀ ପାଇଁ ପାହାଡ଼ ପେଟରୁ କୂଅ ଖୋଲିଦେଲେ ପାହାଡ଼ି ମଣିଷ।

427
କନକ ବ୍ୟୁରୋ: ‘ଜବ୍ ତକ୍ ତେଡେଙ୍ଗେ ନେହିଁ…ତବ୍ ତକ୍ ଛୋଡେଙ୍ଗେ ନେହିଁ… ବସ୍ ଏହି ଦୁଇ ପଦ କଥା ହିଁ ପାହାଡ଼ି ଅଞ୍ଚଳରେ ପାହାଡ଼ର ଛାତିକୁ ଚିରିବାକୁ ଯଥେଷ୍ଟ ଥିଲା । ବଲିଉଡ ଫିଲ୍ମ ‘ମାଞ୍ଝି’ ଦ ମାଉଣ୍ଟେନ୍ ମ୍ୟାନର କାହାଣୀ ପରି ଆଜି ଆମେ ଆପଣଙ୍କୁ ଜଣେ ସତସତିକା ଦଶରଥ ମାଞ୍ଝୀଙ୍କୁ ଦେଖାଇବୁ । ଯିଏ ନିଜ ସ୍ତ୍ରୀର ଦୁଃଖକୁ ଦେଖିପାରିଲେନି ବୋଲି ସବୁଠାରୁ ଶକ୍ତ ଭାବେ ଗର୍ବ କରୁଥିବା ପାହାଡ଼ ପାଟିରୁ ପାଣି ବାହାର କରିଦେଇଛନ୍ତି ।
ପତ୍ନୀଙ୍କ ପାଇଁ ପାହାଡ଼ ଚିରିଲେ 
୨୫ ଫୁଟ୍ କୂଅ ଖୋଳିଦେଲେ 
ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲା କୋଜଡୋଙ୍ଗ ଗାଁର ଚଡ୍ଡା ପାହନ । କେବଳ ତାଙ୍କ ସ୍ତ୍ରୀ ପାଇଁ ପାହାଡ଼ର ଗର୍ବକୁ ବି ଭାଙ୍ଗିଦେଇଛନ୍ତି । ପିଇବା ପାଣି ପାଇଁ ତାଙ୍କ ପତ୍ନୀ ପ୍ରତିଦିନ ପାଖାପାଖି ଦେଢ଼ କିଲୋମିଟରରୁ ଅଧିକା ବାଟ ଚାଲିଚାଲି ଯାଇ ଆଣୁଥିଲେ । ଯାହାଦ୍ୱାରା ତାଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଲା କିନ୍ତୁ ଏହାକୁ ଦେଖି ସ୍ତ୍ରୀର ଦୁଃଖ ଦୂରକରିବାକୁ ଅଣ୍ଟା ଭିଡ଼ିଲେ ଝାଡ଼ଖଣ୍ଡର ପାହାଡ଼ି ମଣିଷ ଚଡ୍ଡା ପାହନ । ଆଉ ଘର ନିକଟରେ ଥିବା ଏକ ପାହାଡ଼କୁ ଚିରି ସେଥିରୁ ୨୫ ଫୁଟର କୂଅ ବି ଖୋଳିଦେଲେ । ଚଡ୍ଡା ପାହନଙ୍କ ଏଭଳି କାରନାମା ଭାଇରାଲ ପରେ ତାଙ୍କୁ ଏବେ ଝାଡ଼ଖଣ୍ଡର ‘ଦଶରଥ ମାଞ୍ଝି’ ବୋଲି ଲୋକେ କହୁଛନ୍ତି ।
ତେବେ ଏନେଇ ଚଡ୍ଡା କୁହନ୍ତି, ବର୍ଷ ବର୍ଷ ହେବ ମୋ ସ୍ତ୍ରୀ ଦୂରକୁ ଯାଇ ପାଣି ଆଣୁଥିଲା ହେଲେ, ଦିନେ ପାହାଡ଼ରେ ବୁଲଥିବାବେଳେ ପାଣି ବାହାରୁଥିବାର ଦେଖିଲି ଆଉ ଏହାପରେ ପାହାଡ଼କୁ ଚିରିବାକୁ ପଣ କରିଦେଲି । ପାଖାପାଖି ୬ ମାସର ପରିଶ୍ରମ ପରେ ଶେଣୀ ଆଉ ହାତୁଡ଼ିକୁ ଅସ୍ତ୍ର କରି କୂଅ ଖୋଳିଦେଲେ । କେବଳ ଏତିକି ନୁହେଁ ସେ କୂଅରୁ ପାଇପ୍ ଲଗାଇ ଘର ପର୍ଯ୍ୟନ୍ତ ବିଛାଇ ଦେଇଛନ୍ତି ଏହି ମାଉଣ୍ଟେନ୍ ମ୍ୟାନ୍ । ସବୁଠାରୁ ବଡ଼କଥା ହେଲା କି, ଚଡ୍ଡାଙ୍କ ଏହି ଗୋଟିଏ ପ୍ରୟାସରେ ପୂରା ଗାଁ ପିଇବା ପାଣି ପାଇପାରୁଛି ।
ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା କଥା, ସ୍ୱାଧିନତାର ବର୍ଷ ବର୍ଷ ପରେ ବି ଏଠାକୁ ବିଜୁଳି କିମ୍ବା ପିଇବା ପାଣି ପାଖରେ ମିଳୁନି । ଏହି ଗାଁର ଲୋକମାନେ କେବଳ ପିଇବା ପାଣି ପାଇଁ ପ୍ରତିଦିନ ପାଖାପାଖି ଦେଢ଼ କିଲୋମିଟର ବାଟ ଚାଲି ଚାଲି ଯାଆନ୍ତି  । ଆମେ ଦିନ ମଜୁରିଆ ବୋଲି ଆମ ଦୁଃଖ ଶୁଣିବାକୁ କେହି ନାହାନ୍ତି । ଏହାରି ଭିତରେ ଚଡ୍ଡା ସତରେ ଆମ ପାଇଁ ବରଦାନ ସାଜି ଆସିଲେ ଆଉ ପାହାଡର ଛାତିକୁ ଚିରି ଗୋଟିଏ କୂଅ ଖୋଳିଦେଲେ । ସେଥିପାଇଁ ସେ ଆମ ପାଇଁ ରିୟଲ ଦଶରଥ ମାଞ୍ଝି ।