କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀର କେନ୍ଦ୍ରରେ ଅବସ୍ଥିତ ଲାଲ କିଲ୍ଲା । ଆମ ଦେଶର ସୌନ୍ଦଯ୍ୟ, ଭବ୍ୟତା ଓ ସ୍ୱାଧୀନତାର ପ୍ରତୀକ । ଦୀର୍ଘ ୪ ଶତାବ୍ଦୀ ଧରି ଏହି ଲାଲକିଲ୍ଲା ଭାରତର ଇତିହାସକୁ ଦେଖିଆସିଛି । ସେଇଥିପାଇଁ ତ ଏହି କିଲ୍ଲାକୁ ଦେଖିବାକୁ ଚାରିଆଡୁ ଲୋକମାନେ ଦିଲ୍ଲୀକୁ ଧାଇ ଆସନ୍ତି ।

Advertisment

ମୋଗଲ କାଳରେ ନିର୍ମାଣ ହୋଇଥିବା ଏହି ବିଶାଳ କିଲ୍ଲାକୁ ୧୮୫୭ ବିଦ୍ରୋହର କେନ୍ଦ୍ରସ୍ଥଳ ବୋଲି ବି କୁହାଯାଏ । ଯାହାକୁ ପରେ ପରେ ଇଂରେଜ ମାନେ କବଜା କରି ନେଇଥିଲେ । ଆଉ ଦେଶ ସ୍ୱାଧୀନ ହେବା ପରେ ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଏହି କିଲ୍ଲା ଉପରୁ ହିଁ ତ୍ରିରଙ୍ଗା ପତାକାକୁ ଉଡାଇଥାନ୍ତି । ଯାହା ଲାଲକିଲ୍ଲାର ଗୌରବ ।

ଏବେ କିନ୍ତୁ ଏହି ବିଶାଳ ଲାଲକିଲ୍ଲା ପୁଣିଥରେ ଚର୍ଚ୍ଚାରେ । କୃଷି ଆଇନକୁ ବିରୋଧ କରି ଜାନୁଆରୀ ୨୬ରେ ଚାଷୀମାନେ ଲାଲକିଲ୍ଲାରେ ଯାହା କଲେ ତାହା ସମସ୍ତେ ଦେଖିଲେ । ତ୍ରିରଙ୍ଗା ବଦଳରେ ଲାଲକିଲ୍ଲାରେ ଉଡିଥିଲା ଚାଷୀମାନଙ୍କର ନିଜସ୍ୱ ଧର୍ମୀୟ ପତାକା । ଚାଷୀମାନଙ୍କର ଏଭଳି କାର୍ଯ୍ୟକୁ ଦେଶ ପ୍ରତି ଅପମାନ ବୋଲି ମଧ୍ୟ କୁହାଗଲା । ତେବେ ଲାଲକିଲ୍ଲା କେବଳ ଏହି ଗୋଟିଏ ନୁହେଁ ଆଗରୁ ବି ବିଦ୍ରୋହ ଦେଖିଛି । ୧୮୫୭ ମସିହାର ବିଦ୍ରୋହ । ଯାହାକୁ କି ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ବି କୁହାଯାଏ , ତାହାର ମୁଖ୍ୟ କେନ୍ଦ୍ରସ୍ଥଳ ମଧ୍ୟ ଏହି ଲାଲକିଲ୍ଲା ଥିଲା ।

ତେବେ ଲାଲକିଲ୍ଲାର ନିର୍ମାଣ ହୋଇଥିଲା ୧୬୩୮ ମସିହାରେ । ସେତେବେଳେ ସାରା ଦେଶରେ ମୋଗଲ ଶାସକମାନଙ୍କର ଶାସନ ଚାଲୁଥାଏ । ଆଉ ସେ ସମୟରେ ରାଜ୍ କରୁଥାନ୍ତି ଶାହଜାହାନ୍ । ସେତେବେଳେ ଶାହାଜାହାନ ଆଗ୍ରାରୁ ଦିଲ୍ଲୀକୁ ନିଜର ରାଜଧାନୀ ଘୁଞ୍ଚାଇ ଆଣିଥିଲେ । ଆଉ ଦିଲ୍ଲୀରେ ଏକ ସୁନ୍ଦର, ସୁଦୃଢ କିଲ୍ଲା ନିର୍ମାଣ କରିବାକୁ ଇଚ୍ଛା କରିଥିଲେ । ବାସ୍ ଏହାପରେ ସେ ତାଜମହଲର ଡିଜାଇନ୍ ପ୍ରସ୍ତତ କରିଥିବା କାରିଗର ଉସ୍ତାଦ ଅହମ୍ମଦ ଲାହୋରୀଙ୍କୁ ଲାଲକିଲ୍ଲାର ଡିଜାଇନ୍ ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦେଇଥିଲେ । ଡିଜାଇନ୍ ପ୍ରସ୍ତୁତ ହେବା ପରେ ୧୬୩୮ରୁ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା । ଯାହା ଶେଷ ହେବାକୁ ୧୦ ବର୍ଷ ସମୟ ଲାଗିଥିଲା । ୧୬୪୮ ମସିହା ବେଳକୁ ଲାଲକିଲ୍ଲା ସମ୍ପୂଣ୍ଣ ଭାବେ ନିର୍ମାଣ ହୋଇସାରିଥିଲା । ଏହାପରେ ପାଖପାଖି ୨୦୦ ବର୍ଷ ଧରି ଲାଲକିଲ୍ଲା ଉପରେ ମୋଗଲ ଶାସକଙ୍କ ହୁକୁମ୍ ଚାଲିଥିଲା ।

ଏହାରି ଭିତରେ ଭାରତରେ ଇଂରେଜ ଶାସନ ମଧ୍ୟ କ୍ରମଶ ସୁଦୃଢ ହେବାକୁ ଲାଗିଥିଲା । ଆଉ ମୋଗଲ ଶାସନ କେବଳ ଲାଲକିଲ୍ଲା ଭିତରେ ସୀମିତ ରହିଯାଇଥିଲା । ୧୮୫୭ରେ ଯେତେବେଳେ ସିପାହୀ ମାନେ ଇଂରେଜ ଶାସନ ବିରୋଧରେ ବିଦ୍ରୋହ କରିଥିଲେ । ସେତେବେଳେ ଏହାର କେନ୍ଦ୍ରସ୍ଥଳ ପାଲଟିଥିଲା ଲାଲକିଲ୍ଲା । ଭାରତର ଶେଷ ମୋଗଲ ଶାସକ ବାହାଦୂର ଶାହ ଜାଫରଙ୍କ ସିପାହୀ ବିଦ୍ରୋହର ନେତୃତ୍ୱ ନେବା ସହ ଇଂରେଜମାନଙ୍କ ଦ୍ୱାରା ଗିରଫ ହୋଇଥିଲେ । ଆଉ ସେବେଠୁ ଲାଲକିଲ୍ଲା ଇଂରେଜମାନଙ୍କ ହାତକୁ ଚାଲିଯାଇଥିଲା ।

ଏହି ସମୟରେ ଇଂରେଜମାନେ ଲାଲକିଲ୍ଲାର ବିଭିନ୍ନ ସ୍ଥାନକୁ ଭାଙ୍ଗିରୁଜି ଦେଇଥିଲେ । ଲାଲକିଲ୍ଲା ଭିତରେ ଥିବା ଅନେକ ମୂଲ୍ୟବାନ ଜିନିଷକୁ ଇଂରେଜମାନେ ବ୍ରିଟେନକୁ ପଠାଇଦେଇଥିଲେ । ଆଉ ତା ପରେ ଇଂରେଜମାନେ ଲାଲକିଲ୍ଲାକୁ ବ୍ରିଟ୍ରିଶ ସେନାର ମୁଖ୍ୟାଳୟ ଭାବେ ବ୍ୟବହାର କରିଥିଲେ । ଇଂରେଜମାନେ ଦେଶରୁ ବିଦାୟ ନେବା ସହ ଭାରତରେ ଗଣତନ୍ତ୍ରର ମୂଳଦୂଆ ପଡିଥିଲା । ଯାହାର ସାକ୍ଷୀ ଥିଲା ଦିଲ୍ଲୀର ଲାଲକିଲ୍ଲା । ଆଉ ସେବେଠାରୁ ପ୍ରତିବର୍ଷ ଭାରତର ପ୍ରଧାନମନ୍ତ୍ରୀ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ରେ ଲାଲକିଲ୍ଲାରୁ ଭାରତର ଜାତୀୟ ପତାକା ତ୍ରିରଙ୍ଗାକୁ ଉଡାଇଥାନ୍ତି ।