ଯାହା ପିଠିରେ ଦିନେ ବେଳାଭୂମିରେ ବୁଲୁଥିଲେ ଆଜି ସେ ଅସହାୟ । ମାଗିପାରିବେନି ବୋଲି ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ଘୋଡ଼ା ପହ୍ଲ । ମାଲିକ ଛାଡ଼ି ଦେବାପରେ ବଡ଼ଦାଣ୍ଡରୁ ଆସିଲା ବେସାହାରା ଘୋଡ଼ାଙ୍କ ହୃଦୟବିଦାରକ କାହାଣୀ…

138

କନକ ବ୍ୟୁରୋ: ଏମାନେ ଡାକି ପାରିବେନି କି ମାଗି ପାରିବେନି । ପଶୁ ବୋଲି ପେଟର ଭୋକକୁ ପେଟ ଭିତରେ ମାରି ମଝିରେ ରାସ୍ତା ଛିଡ଼ା ହୋଇଛନ୍ତି । କାଳେ କେଉଁ ସହୃଦୟ ବ୍ୟକ୍ତି ଆସି ଅଇଁଠା ହେଉ ପଛେ ଦୁଇ ମୁଠା ଖାଇବାକୁ ଦେବ । ହେଲେ ପଶୁ ବୋଲି କଥା ପାଟି ଫିଟୁନଥିବାରୁ ତାଙ୍କ ଭୋକର ବେଦନାକୁ କେହି ବୁଝି ପାରୁନାହାନ୍ତି । ଏଭଳି କିଛି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କାଳିଆ ସାଆନ୍ତେଙ୍କ ଶଙ୍ଖ କ୍ଷେତ୍ରରୁ ।

ରାସ୍ତାଘାଟ ଗଳିକନ୍ଦିରେ ଆପଣମାନେ ସାଧାରଣତ ବୁଲା କୁକୁର, ଗୋରୁଗାଈ ଓ ମେଣ୍ଢା ଛେଳି ଶୋଇଥିବାର ଦୃଶ୍ୟ ଦେଖିଥିବେ । ହେଲେ ଆପଣଙ୍କ ଗଳିରେ ଏଭଳି ମାଳ ମାଳ ଘୋଡ଼ା ପହ୍ଲ ଏମିତି ଅସହାୟ ଅବସ୍ଥାରେ ପଡ଼ିରହିଥିବାର ଦୃଶ୍ୟ ହୁଏତ କେବେ ଦେଖିନଥିବେ । ଯେଉଁ ପୁରୀକୁ ବିଶ୍ୱର କୋଣ ଅନୁକୋଣରୁ ପର୍ଯ୍ୟଟକମାନେ ଛୁଟି ଆସନ୍ତି ଆଉ କାଳିଆ ଦର୍ଶନ ସାରି ବେଳାଭୂମି ବୁଲିବା ସହ ଘୋଡ଼ା ପିଠିରେ ବସି ମଜା ନିଅନ୍ତି, ଆଜି ସେହି ପଶୁମାନେ କାଳିଆ ଦୁଆରେ ଭୋକର ଲୁହ ଗଡ଼ାଉଛନ୍ତି ।

ସଂକ୍ରମଣ ଭୟରେ ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟକ ଆସୁ ନାହାନ୍ତି କି ସମୂଦ୍ରକୂଳରେ ଏହି ଘୋଡ଼ାମାନଙ୍କ ପିଠିରେ ବସି ବୁଲୁ ବି ନାହାନ୍ତି । ସେଥିପାଇଁ ତ ମାଲିକ ପାଖରେ ପଇସା ନଥିବାରୁ ରାସ୍ତାରେ ଘୋଡ଼ାମାନଙ୍କୁ ଛାଡ଼ି ଦେଇଛି ମାଲିକ । ଅକୁହା ପଶୁ ବି କ’ଣ କରିବ, କାଳିଆ ଦୁଆରେ ଆଉଟୁ ପାଉଟୁ ହୋଇ ପେଟର ଭୋକକୁ ଭିତରେ ମାରି ଲୁହ ଗଡ଼ାଉଛନ୍ତି । ବଡ଼ ଦାଣ୍ଡରୁ ଆସିଥିବା ଏଭଳି ମର୍ମସ୍ପର୍ଶୀ ଦୃଶ୍ୟ କରୋନା କେତେ କଠୋର କାହାଣୀ ଲେଖିପାରେ ତାହା ବୟାନ କରୁଛି ।