ଚମ୍ବାଲର ବିହାଣ୍ଡୋରୁ ସଂସଦ ଯାଏଁ ଯାତ୍ରା ! ଦସ୍ୟୁ ସୁନ୍ଦରୀ ଫୁଲନ୍ ଦେବୀ

177

୮୦ଦଶକରେ ଫୁଲନ ଦେବୀଙ୍କ ନାଁ ସିନେମା ‘ସୋଲେ’ର ଗବର ସିଂହଠାରୁ ବି ଅଧିକ ଭୟଙ୍କର ଥିଲା । କିଛି ମହିଳାଙ୍କୁ ତ ଫୁଲନ୍ ଦେବୀଙ୍କ ଧମକ ମିଳିବା ସହ ଅପହରଣ କରିନେଇଥିବା ଅନେକ ଘଟଣା ଶୁଣିବାକୁ ମିଳିଥିଲା । କୁହାଯାଏ କି, ଫୁଲନ୍ ଦେବୀଙ୍କ ଲକ୍ଷ୍ୟ ଖୁବ୍ ପ୍ରଖର ଥିଲା ଆଉ ତା’ଠାରୁ ଅଧିକ କଠୋର ଥିଲା ତାଙ୍କ ହୃଦୟ ।

ସୂଚନା ମୁତାବକ, ପରିସ୍ଥିତି ଫୁଲନ୍ ଦେବୀଙ୍କୁ ଏଭଳି କଠୋର କରିଦେଇଥିଲା କି, ସେ ବହମଇଠାରେ ପାଖାପାଖି ୨୨ ଜଣ ମୁଖିଆଙ୍କୁ ଗୋଟିଏ ଲାଇନରେ ଛିଡାକରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଏବଂ ଏଥିପାଇଁ ତାଙ୍କୁ ଟିକେ ହେଲେବି ଭୟ ଲାଗି ନଥିଲା । ଶୁଣିବାକୁ ମିଳେ କି, ଫୁଲନ୍ ଦେବୀ ମୁଖିଆମାନଙ୍କୁ ଅତି ଘୃଣା ଦୃଷ୍ଟିରେ ଦେଖୁଥିଲା ଆଉ ଏମାନଙ୍କୁ ସେ ନିଜ ପାଇଁ ବିପଦ ବୋଲି ଭାବୁଥିଲେ । ଯେଉଁଥିପାଇଁ ତାଙ୍କ ଟାର୍ଗେଟରେ ରହିଥିଲେ ବିଭିନ୍ନ ଗାଁର ମୁଖିଆମାନେ ।

୧୯୮୦ ଦଶକର ଆରମ୍ଭରେ ଫୁଲନ ଦେବୀ ଚମ୍ବାଲର ବିହାଣ୍ଡୋର ସବୁଠାରୁ ଦୁର୍ଦ୍ଦାନ୍ତ ଡାକୁ ନାଁରେ ଜଣାଶୁଣା । ଏପରିକି ଫୁଲନ ଦେବୀ ଜୀବନ ଉପରେ ଆଧାରିତ ଅନେକ ସିନେମା ମଧ୍ୟ ନିର୍ମାଣ କରାଯାଇଥିଲା । ପରବର୍ତ୍ତି ସମୟରେ ଫୁଲନ୍ ଦେବୀ ଏସବୁ ହତ୍ୟାଧମକ ଆଦିରୁ ବିତସ୍ପୃହ ହୋଇପଡିଥିଲେ ଏବଂ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର ଫୁଲନ ଦେବୀଙ୍କ ଏଭଳି ନିଷ୍ପତ୍ତି କୌଣସି ବିପଦରୁ କମ୍ ନଥିଲା । ସେ ଭାବୁଥିଲେ କି, ଯଦି ସେ ଆତ୍ମସମର୍ପଣ କରନ୍ତି ତେବେ ତାଙ୍କୁ ଉତ୍ତର ପ୍ରଦେଶ ପୁଲିସ୍ କୌଣସି ନା କୌଣସି ଉପାୟରେ ମାରି ଦେବେ, ଯେଉଁଥିପାଇଁ ସେ ମଧ୍ୟପ୍ରଦେଶ ସରକାରଙ୍କ ସାମ୍ନାରେ ଅସ୍ତ୍ରଶସ୍ତ୍ର ଛାଡିବାକୁ ସଉଦା କରିଥିଲେ ।

ମଧ୍ୟ ପ୍ରଦେଶରେ ଚାଲିଥିବା ଏକ ସମାରୋହରେ ସେ ସମୟର ତତକାଳୀନ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହଙ୍କ ନିକଟରେ ଫୁଲନ୍ ଦେବୀ ଆତ୍ମସମର୍ପଣ କରିଥିଲେ ଆଉ ଏହି ସମୟରେ ଫୁଲନ ଦେବୀଙ୍କ ଗୋଟିଏ ମାତ୍ର ଝଲକ ଦେଖିବା ପାଇଁ ହଜାର ହଜାର ସଂଖ୍ୟକ ଲୋକଙ୍କ ଭିଡ ଜମିଥିଲା । ସତେଯେମିତି ଲାଗିଥିଲା ଫୁଲନ୍ ଦେବୀର ଲୋକପ୍ରିୟତା କୌଣସି ସିନେମା ତାରକାଙ୍କଠାରୁ କମ୍ ନୁହେଁ ବୋଲି ।

ଐତିହାସିକ ଘଟଣା

ଫୁଲନ୍ ଦେବୀଙ୍କ ଆତ୍ମସମର୍ପଣ ଏକ ଐତିହାସିକ ଘଟଣା ଥିଲା କାରଣ ଏହା ପରଠାରୁ ଚମ୍ବାଲର ବିହାଣ୍ଡୋରେ ସକ୍ରିୟ ଡାକୁମାନଙ୍କ ଆତଙ୍କ ଧିରେ ଧିରେ କମିବାକୁ ବସିଥିଲା । ଯେଉଁମାନେ କି ସେ ସମୟର ବିଭିନ୍ନ ରାଜ୍ୟର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ଥିଲେ ଏବଂ କିଛି ଅଂଚଳରେ ତ ଏମାନଙ୍କ ହୁକୁମ୍ ମାନିବାକୁ ଲୋକେ ବାଧ୍ୟହେଉଥିଲେ ।

ସଂସଦ ଏବଂ ସିନେମା

ଫୁଲନ୍ ଦେବୀ ୧୯୮୩ରେ ଆତ୍ମସମର୍ପଣ କରିଥିଲେ ଏବଂ ୧୯୯୪ ପର୍ଯ୍ୟନ୍ତ ତାଙ୍କୁ ଜେଲରେ ରଖାଯାଇଥିଲା । ୧୯୯୪ରେ ଜେଲରୁ ମୁକୁଳିବା ପରେ ସେ ୧୯୯୬ରେ ୧୧ତମ ଲୋକସଭା ପାଇଁ ମିର୍ଜାପୁରରୁ ସାଂସଦ ଭାବେ ମନୋନ୍ନିତ ହୋଇଥିଲେ । ସମାଜବାଦୀ ପାର୍ଟି ଯେତେବେଳେ ଫୁୁଲନ୍ ଦେବୀଙ୍କୁ ଲୋକସଭା ନିର୍ବାଚନ ଲଢିବା ପାଇଁ ଟିକେଟ୍ ଦେଇଥିଲା ସେତେବେଳେ ଏହାକୁ ନେଇ ରାଜ୍ୟରେ ଦେଖାଦେଇଥିଲା ଅସନ୍ତୋଷ । ଜଣେ ଡାକୁକୁ ସଂସଦରେ ପହଂଚାଇବାର ରାସ୍ତା ଦେଖାଇ ଦିଆଯାଉଛି ବୋଲି ପ୍ରତିବାଦ କରାଯାଇଥିଲା ।

ଏହାପରେ ୧୯୯୪ରେ ସିନେମା ନିର୍ଦ୍ଦେଶକ ଶେଖର କପୂର ଫୁଲନ୍ ଦେବୀଙ୍କ ଉପରେ ଆଧାରିତ ‘ଦସ୍ୟୁ ରାଣୀ’ ନାମକ ଏକ ସିନେମା ନିର୍ମାଣ କରିଥିଲେ ଯାହାକି ସାରା ୟୁରୋପରେ ବହୁ ଲୋକପ୍ରିୟତା ହାସଲ କରିଥିଲା । ମାତ୍ର ସିନେମାଟି ନିଜର କିଛି ଦୃଶ୍ୟ ଏବଂ ଫୁଲନ୍ ଦେବୀଙ୍କ ଭାଷାକୁ ନେଇ ବହୁ ବିବାଦରେ ରହିଥିଲା । ତେବେ ସିନେମାରେ ଫୁଲନ ଦେବୀଙ୍କୁ ଜଣେ ସାହସୀ ମହିଳା ରୂପରେ ଚିତ୍ରଣ କରାଯାଇଥିଲା ।

ଫୁଲନ୍ ଦେବୀଙ୍କ ବାସ୍ତବ କାହାଣୀ

୧୯୬୩ରେ ଫୁଲନ ଦେବୀଙ୍କ ଜନ୍ମ ଉତ୍ତର ପ୍ରଦେଶର ଏକ ଛୋଟ ଗାଁରେ ହୋଇଥିଲା । ୧୬ ବର୍ଷ ବୟସରୁ ହିଁ କିଛି ଡାକୁମାନେ ତାଙ୍କୁ ଅପହରଣ କରି ନେଇଥିଲେ । ବାସ୍, ତା’ପରଠୁ ସେ ସେହି ରାସ୍ତାକୁ ଆପଣେଇ ନେଇଥିଲେ । ୧୪ ଫେବୃୟାରୀ, ୧୯୮୧ରେ ଫୁଲନ୍ ଦେବୀ ବହମଇର ୨୨ ଜଣ ଗାଁ ମୁଖିଆଙ୍କୁ ଏକାସାଙ୍ଗରେ ହତ୍ୟା କରିଥିଲେ ଆଉ ଏହି ଘଟଣା ପରେ ଫୁଲନ ଦେବୀଙ୍କ ନାଁ ଶୁଣିଲେ ଲୋକେ ଭୟରେ ଛାନିଆ ହୋଇଯାଉଥିଲେ । ଫୁଲନ ଦେବୀଙ୍କ କହିବା କଥା ହେଲା, ସେ ଏମାନଙ୍କର ହତ୍ୟା ପ୍ରତିଶୋଧ ନେବା ପାଇଁ କରିଥିଲେ । ତାଙ୍କ କହିବା କଥା ହେଲା, ଏହି ମୁଖିଆମାନେ ତାଙ୍କ ସହ ସାମୂହିକ ଭାବେ ଦୁଷ୍କର୍ମ କରିଥିଲେ ଯାହାର ପ୍ରତିଶୋଧ ନେବାପାଇଁ ସେ ଏହି ହତ୍ୟା କରିଥିଲେ ।

ଫୁଲନ୍ ୧୯୯୮ର ଲୋକସଭା ନିର୍ବାଚନ ହାରି ଯାଇଥିଲେ ମାତ୍ର ପରବର୍ତ୍ତି ସମୟରେ ତଥା ୧୩ତମ ଲୋକସଭା ନିର୍ବାଚନରେ ସେ ସଫଳ ହୋଇଥିଲେ । ମାତ୍ର ୨୫ ଜୁଲାଇ ୨୦୦୧ରେ ତାଙ୍କର ହତ୍ୟା କରି ଦିଆଯାଇଥିଲା ।

ସୌଜନ୍ୟ: ବିବିସି ନ୍ୟୁଜ୍