ତାତିର ନାଁ ‘ପଦ୍ମାବତୀ’! ବିବାଦ ଘେରରେ ସଂଜୟ ଲୀଳା ଭନସାଲୀଙ୍କ ନିର୍ଦ୍ଦେଶିତ ସିନେମା, ରିଲିଜକୁ ନେଇ ବଢିଲା ଆଶଙ୍କା

ତାତିର ନାଁ ‘ପଦ୍ମାବତୀ’! ବିବାଦ ଘେରରେ ସଂଜୟ ଲୀଳା ଭନସାଲୀଙ୍କ ନିର୍ଦ୍ଦେଶିତ ସିନେମା, ରିଲିଜକୁ ନେଇ ବଢିଲା ଆଶଙ୍କା

ପଦ୍ମାବତୀକୁ ନେଇ କମୁନି କରଣି ସେନାର ବିରୋଧ ଓ ବିକ୍ଷୋଭ । ସାରା ଦେଶରେ ହୁତୁହୁତୁ ହୋଇ ଜଳୁଛି ପଦ୍ମାବତୀ ବିବାଦର ନିଆଁ । ସୁଟିଂ ସେଟରୁ ଆରମ୍ଭ ହୋଇଥିବା ଏହି ବିରୋଧ ଏବେ ସିନେମାଟିର ରିଲିଜକୁ ଆଶଙ୍କାରେ ପକାଇଛି । ରାଜସ୍ଥାନରୁ ଆରମ୍ଭ ହୋଇଥିବା ବିରୋଧ ଏବେ ରାଜ୍ୟ ଡେଇଁ ଭାରତର ବିଭିନ୍ନ ସ୍ଥାନକୁ ବ୍ୟାପିଛି ।

publive-imageସଂଜୟ ଲୀଳା ଭନସାଲୀଙ୍କ ମୁଣ୍ଡ ଓ ଦୀପିକା ପାଦୁକୋନଙ୍କ ନାକ କାଟିବା ଧମକ ପରେ ଶୁକ୍ରବାର ଚିତ୍ତୋରଗଡ଼ କିଲ୍ଲାକୁ ବନ୍ଦ କରିଦେଇଛନ୍ତି ଆନ୍ଦୋଳନକାରୀ । ସିନେମା ପଦ୍ମାବତୀର ରିଲିଜ ଡେଟ୍ ଯେତିକି ପାଖେଇ ଆସୁଛି, ସେତିକି ଜୋରଦାର ହେଉଛି ବିରୋଧ । କେଉଁଠି ଜୋରଦାର ନାରାବାଜି ତ ପୁଣି କେଉଁଠି ହୋମଯଜ୍ଞ ଓ ହରତାଲ । ଚିତୋରଗଡ କିଲ୍ଲା ବାହାରେ କରଣି ସେନା ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କିଲ୍ଲାକୁ ଅନିଦ୍ଧିଷ୍ଟକାଳ ଯାଏଁ ବନ୍ଦ କରିଦେଇଛି କରନି ସେନା । ରାଜସ୍ଥାନରୁ ତାମିଲନାଡୁ ପର୍ଯ୍ୟନ୍ତ ବ୍ୟାପିଛି ଅସନ୍ତୋଷର ନିଆଁ ।

publive-imageସେହିପରି ଏଥରେ ସାମିଲ ହୋଇଛି ଶିବସେନା । ହୋମଯଜ୍ଞ କରି ଫିଲ୍ମକୁ ଶିବସେନା ବିରୋଧ କରିଥିବା ବେଳେ ରାଜପୁତ ପରିବାର ମହିଳାମାନେ ବି ଅସନ୍ତୋଷ ଜାହିର କରିଛନ୍ତି । ଜୟପୁରରେ ସିନେମା ଓ କଳାକାରଙ୍କ ପୋଷ୍ଟର ଜାଳି ଆକ୍ରୋଶ ପ୍ରକାଶ କରିଛନ୍ତି ବିଭିନ୍ନ ସଂଗଠନ । ସେପଟେ ଅଭିନେତ୍ରୀ ଦୀପିକାଙ୍କ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଏହି ଚଳଚିତ୍ରରେ ଆକ୍ରମଣକାରୀ ସୁଲତାନ ଆଲ୍ଲାଉଦ୍ଦିନ ଖିଲଜି ଓ ରାଣୀ ପଦ୍ମାବତୀ ମଧ୍ୟରେ ଏକ କାଳ୍ପନିକ ରୋମାଂଟିକ୍ ସିନ୍ ଏବଂ ରାଜସଭାରେ ପଦ୍ମାବତୀ ନାଚୁଥିବା ଦୃଶ୍ୟକୁ ହଜମ କରିପାରୁନାହାନ୍ତି ରାଜପୁତ ସଂଗଠନ । ସିନେମା ପ୍ରମୋସନ ପାଇଁ ଟ୍ରେଲର ରିଲିଜ ପରେ ହିଁ ଜୋରଦାର ବିରୋଧ ଜାରି ରହିଛି । ପଦ୍ମାବତୀ ବିରୋଧରେ ରାଜପୁତ ସମାଜ ସହ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ମଧ୍ୟ ସାମିଲ ହୋଇଛନ୍ତି ।

ସେପଟେ ଅଭିନେତା ସଲମାନ ଖାନ୍, ନିଦ୍ଦେର୍ଶକ କରନ ଜୋହର ଆଦି ବଲିଉଡ୍ ସେଲିବ୍ରିଟି ଭନସାଲୀଙ୍କୁ ସମର୍ଥନ ଜଣାଇଛନ୍ତି । ଏହି ଚଳଚିତ୍ର ଡିସେମ୍ବର ୧ରେ ରିଲିଜ ହେବା ସମ୍ଭାବନା ରହିଛି । ତେବେ ସିନେମା ରିଲିଜ ହେଲେ ଦେଶବ୍ୟାପୀ ବନ୍ଦ ପାଳନ ସହ ବ୍ୟାପକ ହିଂସାକାଣ୍ଡ ଘଟିବ ବୋଲି ଧମକ ଦେଇଛି କରଣି ସେନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe