ମିଳିଲା ଆଶ୍ୱସ୍ତି ! ଏଣିକି ମୃତ୍ୟୁ ପ୍ରମାଣ ପତ୍ର ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର ନମ୍ବର

156

ଏଣିକି ମୃତ୍ୟୁ ପଂଜିକରଣ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ । ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ଆବେଦନ ବେଳେ ସଂପୃକ୍ତ ବ୍ୟକ୍ତିର ଆଧାର ନମ୍ବର ଦାଖଲ କରିବା ବାଧ୍ୟତାମୂଳକ ନୁହେଁ ବୋଲି ଘୋଷଣା କରିଛି ଗୃହ ମନ୍ତ୍ରାଳୟ ।

ସୂଚନା ମୁତାବକ, କିଛି ଦିନ ତଳେ ମୃତ୍ୟୁ ପଂଜିକରଣ ବେଳେ ଚିହ୍ନଟ ଜାଲିଆତି ରୋକିବାପାଇଁ ଗୃହ ମନ୍ତ୍ରାଳୟ ଆଧାର ନମ୍ବର ବ୍ୟବହାରକୁ ବାଧ୍ୟତାମୂଳକ ଘୋଷଣା କରିଥିଲା ଏବଂ ଏଥିପାଇଁ ଆବେଦନବେଳେ ସଂପୃକ୍ତ ବ୍ୟକ୍ତିଙ୍କ ଆଧାର କାର୍ଡ ନମ୍ବର ଉଲ୍ଲେଖ କରାଯିବାକୁ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ (ଆଇଜିଆର) ନିର୍ଦ୍ଦେଶ ଦେଇଥିଲା । ଯାହା ଅକ୍ଟୋବର ୧ରୁ ଦେଶବ୍ୟାପୀ କାର୍ୟ୍ୟକାରୀ ହେବାର ଥିଲା । ମାତ୍ର ଏହି ନିୟମରୁ ଏବେ ଆଶ୍ୱସ୍ତି ମିଳିଛି । କାରଣ ମୃତ୍ୟୁ ପଂଜିକରଣ ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ନୁହେଁ ।

ଆରଜିଆଇର ସୂୂଚନା ମୁତାବକ, ଆଧାର ନମ୍ବର ବ୍ୟବହାର ଦ୍ୱାରା ଏକାଧିକ ପ୍ରମାଣପତ୍ର ଦେବାର ଆବଶ୍ୟକତା ଉପୁଜିବ ନାହିଁ । ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ ନଥିଲେ ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ଆବେଦନବେଳେ ଆବେଦନକାରୀଙ୍କୁ ଏକ ଘୋଷଣାନାମା ଦେବାକୁ ପଡିବ ବୋଲି ପୂର୍ବରୁ ଘୋଷଣା କରିଥିଲା ।

ଏକ୍ଷେତ୍ରରେ ଆବେଦନକାରୀକୁ ନିଜର ଓ ମୃତକଙ୍କ ଆଧାର କାର୍ଡ ନମ୍ବର ଉଲ୍ଲେଖ କରିବାକୁ ହେବ । ତେବେ ସେ ମିଛ ଘୋଷଣାନାମା ଦେଇଥିବା ପ୍ରମାଣିତ ହେଲେ ଆଧାର ଆଇନ ଅନୁସାରେ, ଏହା ଦଣ୍ଡନୀୟ ଅପରାଧ ହୋଇଥିବାରୁ ଆବେଦନକାରୀକୁ ଏକ ବର୍ଷ ପର୍ୟ୍ୟନ୍ତ ଜେଲ୍ ବା ୨୫ ହଜାର ଟଙ୍କା ଜରିମାନା ବା ଉଭୟ ଦଣ୍ଡ ଭୋଗିବାକୁ ପଡିବ । ତେବେ ଜମ୍ମୁ-କାଶ୍ମୀର, ଆସାମ,ମେଘାଳୟ ରାଜ୍ୟକୁ ଏହି ବ୍ୟବସ୍ଥାରୁ ବାଦ୍ ଦିଆଯାଇଥିଲା ।

କିନ୍ତୁ ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି କି ମୃତ୍ୟୁ ପ୍ରମାଣପତ୍ର ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ଏଥିସହିତ ଯଦି ପ୍ରମାଣ ପତ୍ର ପାଇଁ ଆବେଦନବେଳେ ମୃତ ବ୍ୟକ୍ତିଙ୍କ ଆଧାର ନମ୍ବର ନାହିଁ ତେବେ ତାଙ୍କ ପରିବାରଲୋକଙ୍କୁ ପ୍ରଦାନ କରାଯିବା ପ୍ରମାଣ ପତ୍ରରେ ଉଲ୍ଲେଖ କରାଯିବ କି ମୃତକଙ୍କର ଆଧାର କାର୍ଡ ନାହିଁ ।