କ୍ଷମତାକେନ୍ଦ୍ରର ଠିକଣା ଶହୀଦନଗର ଏ /୧୧୧

31

କନକ ବ୍ୟୁରୋ : ବିଜୁ ବାବୁଙ୍କ ଦେହାନ୍ତ ପରେ ଗଠନ ହେଲା ବିଜୁ ଜନତା ଦଳ । ମଙ୍ଗୁଆଳ ହେଲେ ନବୀନ । ଏହି ଆଂଚଳିକ ଦଳ ଗଠନରେ ଯେଉଁ କେତେ ଜଣଙ୍କର ପ୍ରମୁଖ ଭୂମିକା ଥିଲା ସେମାନଙ୍କ ମଧ୍ୟରୁ ପ୍ୟାରୀମୋହନ ଥିଲେ ଅନ୍ୟତମ । ଏକଦା ବିଜୁ ବାବୁଙ୍କ ସରକାର ସମୟରେ ପ୍ରମୁଖ ସଚିବ ଥିବା ପ୍ୟାରୀମୋହନ ଉଭୟ ରାଜନୀତି ଆଉ ପ୍ରଶାସନିକ କାମକୁ ବେଶ ନିକଟରୁ ଦେଖିଥିଲେ । ଆଉ ଏହି ଅଭିଜ୍ଞତା ହିଁ ତାଙ୍କୁ ବନାଇଥିଲା ରାଜ୍ୟ ରାଜନୀତିର ଚାଣକ୍ୟ ।

ଏକଦା ବିଜେଡିରେ ସେ ଥିଲେ ସର୍ବ ଶକ୍ତିମାନ, ଦ୍ୱିତୀୟ କ୍ଷମତାକେନ୍ଦ୍ର । ନବୀନ ସରକାର ଚଳାଉଥିଲେ ଆଉ ପ୍ୟାରୀ ଦଳ । ହେଲେ ବାସ୍ତବତା ଥିଲା ଉଭୟ ସରକାର ଆଉ ଦଳ ଉପରେ ପ୍ୟାରୀମୋହନଙ୍କର ଥିଲା ଅଖଣ୍ଡ ପ୍ରଭାବ । ସରକାରରେ କିଏ ରହିବ, କାହାକୁ ନାଲିବତୀ ମିଳିବ, ପ୍ରଶାସନିକ ଅଧିକାରୀଙ୍କ ବଦଳି ଏବଂ କାହାକୁ କେଉଁ ଦାୟିତ୍ୱ ଏହି ତମାମ ନିଷ୍ପତ୍ତି ନେଉଥିଲେ ପ୍ୟାରୀମୋହନ । ଆଉ ତାଙ୍କ ପରାମର୍ଶକୁ କାର୍ଯ୍ୟକାରୀ କରୁଥିଲେ ନବୀନ । ସ୍ଥିତି ଏମିତି ହେଲା ଯେ ନେତା, ମନ୍ତ୍ରୀ, ବିଧାୟକ ନିଜ ଗୁହାରୀ କିମ୍ବା ଆପତ୍ତି ଅଭିଯୋଗ ନେଇ ନବୀନଙ୍କ ପାଖକୁ ଯିବା ବଦଳରେ ଯାଉଥିଲେ ପ୍ୟାରୀଙ୍କ ପାଖକୁ ଅର୍ଥାତ ଶହୀଦନଗର ଏ/୧୧୧କୁ । ସମୟକ୍ରମେ ରାଜ୍ୟ ରାଜନୀତିର ଏହା ବନିଥିଲା ପାୱାର ହାଉସ ।

୨୦୦୯ରେ ବିଜେପି ସହ ମେଂଟ ଭାଙ୍ଗିବା ଆଉ ନିର୍ବାଚନରେ ଏକାକି ଲଢିବାର ସମସ୍ତ ରଣନୀତି ନିଜେ ପ୍ୟାରୀମୋହନ ରଚିଥିଲେ । ସବୁ ଗୋଟିଚାଳନା କାମ ଦେଇଥିଲା, ୧୦୩ ଆସନ ସହ ବିଜେଡି ସରକାର ଗଠନ କରିଥିଲା । କୁହାଗଲା, ପ୍ୟାରୀଙ୍କ ଗୋଟିଚାଳନାରେ ହିଁ ବିଜେଡି ଏହି ବିରାଟ ସଫଳତା ପାଇଛି । ନୂଆ ନୂଆ ନେତାଙ୍କୁ ଟିକେଟ ଦେବା ସେମାନଙ୍କ ପାଇଁ ପ୍ରଚାର କରିବା ଆଉ ସରକାରରେ ସେମାନଙ୍କୁ ସ୍ଥାନ ଦେବା ଏସବୁ କାମ କରିଥିଲେ ପ୍ୟାରୀ । ଫଳରେ ଦଳ ଭିତରେ ଗୋଟିଏ ଗୋଷ୍ଠୀ ଅନ୍ଧଭାବେ ପ୍ୟାରୀଙ୍କ ସମର୍ଥନରେ ଠିଆ ହେଉଥିଲେ । ଦିନ ରାତି ଯେତେବେଳେ ନଜର ପକାଇବେ, ପ୍ୟାରୀଙ୍କ ଘର ସାମ୍ନାରେ ନାଲିବତୀ ଲାଗୁଥିବା । ଯାହା ତାଙ୍କର ପ୍ରଭାବ ଆଉ କ୍ଷମତାକୁ ପ୍ରମାଣିତ କରିବାକୁ ଯଥେଷ୍ଟ ।

୨ ଥର ୨୦୦୪ ଆଉ ୨୦୧୦ରେ ପ୍ୟାରୀ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଦିଲ୍ଲୀ ଯାଇଥିଲେ ହେଲେ ରାଜ୍ୟ ରାଜନୀତି ଉପରେ ନିଜ ପକଡ୍ ରଖିଥିଲେ । ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବେ ପରିଚୟ ତିଆରି କଲେ । ନିର୍ବାଚନ ପରିଚାଳନାରେ ତାଙ୍କର ଏକ ସ୍ୱତନ୍ତ୍ର ରଣନୀତି ଥିଲା । ଦଳକୁ କ୍ୟାଡର ବେସ୍ଡ ପାର୍ଟିରେ ପରିଣତ କରାଇଥିଲା । ରାଜନୀତିର ଚାଣକ୍ୟ ଭାବେ ନୂଆ ନୂଆ ସ୍କିମ ଆରମ୍ଭ କରିବାରେ ସେ ଥିଲେ ମାହିର । କୁହାଯାଏ, ପ୍ରତି ପଂଚାୟତରେ ପ୍ୟାରୀଙ୍କର ଜଣେ ଜଣେ କର୍ମୀ ଥିଲେ, ଯାହାଙ୍କ ଉପରେ ପ୍ୟାରୀ ବିଶ୍ୱାସ କରୁଥିଲେ । ଆଉ ସେମାନଙ୍କୁ ନେଇ ଦଳକୁ ଆଗକୁ ବଢାଇଥିଲେ ।

ସେହିଭଳି ୨୦୧୨ ପଂଚାୟତ ନିର୍ବାଚନ ସମୟରେ ମଧ୍ୟ ପ୍ୟାରୀଙ୍କ ଗୋଟିଚାଳନା ବେଶ ଜମିଥିଲା । ୬୫୦ରୁ ଅଧିକ ଜିଲ୍ଲା ପରିଷଦ ସିଟରେ ବିଜେଡି ବାଜିମାତ କରିଥିଲା । ତେବେ ପଂଚାୟତ ନିର୍ବାଚନ ପାଇଁ ପ୍ରଚାର ବେଳେ ହିଁ ନବୀନ ଆଉ ପ୍ୟାରୀଙ୍କ ଭିତରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା । ଆଉ ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ବିସ୍ଫୋରକ ରୂପ ନେଇଥିଲା । ମେ ୨୯ କ୍ଷମତା ଅପହରଣ ଷଡଯନ୍ତ୍ର ଅଭିଯୋଗରେ ପ୍ୟାରୀ ଦଳରୁ ବହିଷ୍କୃତ ହୋଇଥିଲେ ।