ବିକ୍ରି ହେବ ଏନଡିଟିଭି ! ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟକୁ ନେଇ ଚର୍ଚ୍ଚା

56

କନକ ବ୍ୟୁରୋ : ଦେଶର ଅନ୍ୟତମ ପ୍ରମୁଖ ଘରୋଇ ଚ୍ୟାନେଲ ଏନଡିଟିଭି ବିକ୍ରି ହେବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ ଦେଶର ଅନ୍ୟତମ ପ୍ରମୁଖ ଘରୋଇ ନ୍ୟୁଜ ଚ୍ୟାନେଲ ଏନଡିଟିଭି ବିକ୍ରି ହେବ । ଆଉ ଏହି ଚ୍ୟାନେଲକୁ କିଣିବେ ସ୍ପାajay-singh-mଇସ ଜେଟର ଅଧ୍ୟକ୍ଷ ଅଜୟ ସିଂହ । ରିପୋର୍ଟ ଅନୁସାରେ ୪୦ ପ୍ରତିଶତ ଅଂଶଧନ କିଣିନେବେ ଅଜୟ ସିଂହ । ଏନଡିଟିଭିର ଦୁଇ ପ୍ରମୋଟର ପ୍ରଣୟ ରାୟ ଏବଂ ରାଧିକା ରାୟ ପାଖରେ ମାତ୍ର ୨୦ ପ୍ରତିଶତ ଅଂଶଧନ ରହିଯିବ । କେବଳ ଅଧିକ ଅଂଶଧନ ଅଜୟ ସିଂହଙ୍କ ନିକଟରେ ରହିବନି, ଏହା ସହ ତାଙ୍କ ପାଖରେ ରହିବ ଏଡିଟୋରିଆଲ ରାଇଟ୍ସ ।

ସବୁଠୁ ରୋଚକ ତଥ୍ୟ ହେଉଛି, ମୋଦି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ କଡ଼ା ସମାଲୋଚନା କରୁଥିବା ଏନଡିଟିଭିକୁ ଅଧିଗ୍ରହଣ କରିବାକୁ ଯାଉଛନ୍ତି ଏପରି ଜଣେ ବ୍ୟକ୍ତି ଯିଏ ଗତ ସାଧାରଣ ନିର୍ବାଚନରେ ବିଜେପିର ପ୍ରଚାରରେ ପ୍ରମୁଖ ଭୂମିକା ତୁଲାଇଥିଲେ । “ଅବ କି ବାର୍ ମୋଦି ସରକାର”ର ସ୍ଲୋଗାନ ଲେଖିଥିଲେ ଅଜୟ ସିଂହ ।

ndtv-759ଏନଡିଟିଭିରେ ରହିଛି କାହାର କେତେ ଅଂଶଧନ ?
ବିଏସଇ ସୂଚନା ଅନୁଯାୟୀ ଏନଡିଟିଭି ପ୍ରମୋଟରଙ୍କ ନିକଟରେ ରହିଛନ୍ତି ୬୧.୪୫ ପ୍ରତିଶତ ଅଂଶଧନ । ବାକି ୩୮.୫୫ ପ୍ରତିଶତ ଅଂଶଧନ ରହିଛି ପବ୍ଲିକ ସେୟାର ଆକାରରେ । ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ ଅଜୟ ସିଂହ ପ୍ରମୋଟରଙ୍କ ଠାରୁ ୪୦ ପ୍ରତିଶତ ସେୟାର କିଣିବା ସହ ଏନଡିଟିଭି ଉପରେ ଥିବା ୪୦୦ କୋଟି ଟଙ୍କା ଋଣ ପରିଶୋଧ କରିବେ । ମୋଟ ଡିଲ ହେଉଛି ୬୦୦ କୋଟି ଟଙ୍କା । ପ୍ରଣୟ ରାୟ ଓ ତାଙ୍କ ପତ୍ନୀ ରାଧିକା ରାୟ ପାଇବେ ପ୍ରତ୍ୟେକ ୧୦୦ କୋଟି ଟଙ୍କା ।

NDTVlogoଗୋଟିଏ ପଟେ ଇଣ୍ଡିଆନ ଏକ୍ସପ୍ରେସର ଏନଡିଟିଭି ବ୍ରିକ୍ରି ନେଇ ରିପୋର୍ଟ, ଅନ୍ୟପଟେ ଆଉ ଏକ ପ୍ରମୁଖ ଇଂରାଜୀ ଖବରକାଗଜ ‘ହିନ୍ଦୁ’ରେ ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି ଏନଡିଟିଭିର ବରିଷ୍ଠ ଅଧିକାରୀ । ବିକ୍ରି ହେବା ଖବରରେ ଆଦୌ ସତ୍ୟତା ନଥିବା କହିଛନ୍ତି ଏନଡିଟିଭିର ଅଧିକାରୀ ।

କିଛି ଦିନ ହେଲା ବିଭିନ୍ନ ବିବାଦରେ ଛନ୍ଦି ହୋଇଛି ଏନଡିଟିଭି । ଋଣ ନେଇ ପରିଶୋଧ କରି ନଥିବା ଅଭିଯୋଗରେ ଗତ ଜୁନ ମାସରେ ଦୁଇ ପ୍ରମୋଟର ପ୍ରଣୟ ରାୟ ଓ ରାଧିକା ରାୟଙ୍କ ଘରେ ସିବିଆଇ ଛାପା ମାରିଥିଲା । ପଠାଣକୋଟରେ ଆତଙ୍କବାଦୀ ଆକ୍ରମଣ ଖବର ପ୍ରକାଶ ବେଳେ ନିୟମ ଉଲଂଘନ ଅଭିଯୋଗରେ ଗୋଟିଏ ଦିନ ପାଇଁ ପ୍ରସାରଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ।