କୋର୍ଟ ରୁମର ରୋଚକ କାହାଣୀ ! କାଠଗଡାରେ ଛିଡା ହୋଇଥିବା ଅପରାଧୀ ବିଚାରପତିଙ୍କ ସହପାଠୀ

106

courtକନକ ବ୍ୟୁରୋ : କଣ ହୁଏ ଯେତେବେଳେ କୋର୍ଟରୁମରେ ସାମ୍ନାସାମ୍ନି ହୁଅନ୍ତି ଦୁଇ ସ୍କୁଲମେଟ୍ । କଣ ହୁଏ ଯେତେବେଳେ ବିଚାରପତିଙ୍କ ସାମ୍ନାରେ କାଠଗଡାରେ ଛିଡା ହୋଇଥିବା ଅପରାଧୀ ସହପାଠୀ ବୋଲି ଜଣାପଡେ । ହଁ, ଏ କାହାଣୀ ଜଣେ ଅପରାଧୀ ଓ ଜଣେ ବିଚାରପତିଙ୍କର । ସେଦିନ ଆମେରିକା ଫ୍ଲୋରିଡାରେ ଥିବା ଏକ କୋର୍ଟରୁମରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ ।

ଯେଉଁଠି ବହୁବର୍ଷ ପରେ କୋର୍ଟରୁମରେ ଦେଖାସାକ୍ଷାତ ହୋଇଥିଲେ ନୌଟିଲସ ମିଡିଲ ସ୍କୁଲର ଦୁଇ ସହପାଠୀ । ହେଲେ ଜଣେ ବସିଥିଲେ ବିଚାରପତି ଆସନରେ । ଆଉ ଅନ୍ୟ ଜଣକ ତଳେ କାଠଗଡାରେ ଛିଡା ହୋଇଥିଲେ । ଆଉ ଦଣ୍ଡାଦେଶ ପୂର୍ବରୁ ବିଚାରପତି ଜାଣିବାକୁ ଚାହିଁଥିଲେ ଯେ କାଠଗଡାରେ ଛିଡା ହୋଇଥିବା ବ୍ୟକ୍ତି ଜଣକ କଣ ସେହି ବ୍ୟକ୍ତି ଯିଏ ଦିନେ ତାଙ୍କସହ ଗୋଟିଏ ସ୍କୁଲରେ ପଢୁଥିଲେ । ନିଜେ ସ୍ପଷ୍ଟ ହେବାପରେ ଅପରାଧୀଙ୍କୁ ନିଜର ପରିଚୟ ଦେଇଥିଲେ ଏହି ମହିଳା ଜଜ୍ । ଆଉ ବିଚାରପତିଙ୍କ ପରିଚୟ ପାଇ କୋର୍ଟରୁମରେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ ଅପରାଧୀ ଜଣକ ।

କିନ୍ତୁ କୋର୍ଟରୁମରେ ଥିବା ଅନ୍ୟମାନଙ୍କୁ ଅପରାଧୀଙ୍କ ପରିଚୟ ଦେବାକୁ କୁଣ୍ଠା ପ୍ରକାଶ କରିନଥିଲେ ସଂପୃକ୍ତ ବିଚାରପତି । କହିଥିଲେ ଯେ, କାଠଗଡାରେ ଛିଡା ହୋଇଥିବା ଅପରାଧୀ ଅତୀତରେ ତାଙ୍କସହ ଗୋଟିଏ ସ୍କୁଲରେ ପଢୁଥିଲେ । ଏପରିକି ସେ ଜଣେ ଭଲ ଛାତ୍ର ଥିଲେ ଓ ଭଲ ଫୁଟବଲ ମଧ୍ୟ ଖେଳୁଥିଲେ । ଅପରାଧ ପାଇଁ ଦଣ୍ଡାଦେଶ କରିବା ସହ ଭବିଷ୍ୟତରେ ସେ ସୁଧୁରି ଯାଆନ୍ତୁ ଓ ଏକ ଭଲ ମଣିଷ ହୋଇ ଜୀବନ ବିତାନ୍ତୁ ବୋଲି ଶୁଭେଚ୍ଛା ବି ଜଣାଇଥିଲେ ବିଚାରପତି ।

ବଡକଥା ହେଉଛି ଅପରାଧୀ ବୋଲି ଜାଣିବା ପରେ ବି ନିଜର ସହପାଠୀ ବୋଲି ସମସ୍ତଙ୍କୁ ପରିଚୟ ଦେବାକୁ ପଛାଇ ନଥିଲେ ମହିଳା ବିଚାରପତି ଜଣକ । ଯାହା ମାନବିକତାର ଏକ ବଳିଷ୍ଠ ଉଦାହରଣ ବୋଲି କୁହାଯାଇପାରେ । (ସୌଜନ୍ୟ –ଡେଲିମେଲ୍)