ସିଆଚେନରେ ମୁତୟନ ଥିବା ଯବାନଙ୍କ ପାଇଁ ସ୍ପେଶାଲ କିଟ୍ ପ୍ରସ୍ତୁତି କରୁଛି ସେନା । ୮୦୦ କୋଟି ବଦଳରେ ଖର୍ଚ୍ଚ ହେବ ମାତ୍ର ୫୦୦ କୋଟି

70

ସିଆଚେନ ଓ ଡୋକଲାମ ଭଳି ବିପଦପୂର୍ଣ୍ଣ କ୍ଷେତ୍ରରେ ନିୟୋଜିତ ଥିବା ଯବାନ ମାନଙ୍କ ପାଇଁ ସ୍ୱତନ୍ତ୍ର କିଟ୍ ପ୍ରସ୍ତୁତ କରିବାକୁ ଭାରତର ସମସ୍ତ ପ୍ରକାର ପ୍ରସ୍ତୁତି ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ୱର ସବୁଠାରୁ ବିପଦଜନକ ଯୁଦ୍ଧ କ୍ଷେତ୍ରରେ ନିୟୋଜିତ ଥିବା ଯବାନ ମାନଙ୍କ ପାଇଁ ପୋଷାକ, ଶୋଇବା ପାଇଁ ଆବଶ୍ୟକୀୟ ସରଞ୍ଜାମ ଓ ବିଭିନ୍ନ ଜରୁରୀ ଉପକରଣର ଉତ୍ପାଦନ ଦେଶରେ ହିଁ କରାଯିବ । ଏହାଦ୍ୱାରା ଭାରତୀୟ ସେନା ପାଖାପାଖି ୩୦୦ କୋଟି ବଞ୍ଚାଇପାରିବ ।

ସେନାର ଏକ ଅଧିକାରୀଙ୍କ କହିବା ଅନୁଯାୟୀ, ୧୬ ହଜାରରୁ ୨୦ ହଜାର ଫୁଟ ଉପରେ ନିୟୋଜିତ ଥିବା ଯବାନ ବ୍ୟବହାର କରୁଥିବା ଅଧିକାଂଶ ଉପକରଣ ଭାରତରେ ହିଁ ଉତ୍ପାଦନ କରାଯିବ । ଏହାପୂର୍ବରୁ ଏହି ଉପକରଣ ଗୁଡିକୁ ଆମେରିକା, ଅଷ୍ଟ୍ରେଲିଆ, କାନାଡା ଓ ସ୍ୱିଜରଲ୍ୟାଣ୍ଡରୁ ଆମଦାନୀ କରାଯାଉଥିଲା । ଯାହା ପାଇଁ ସରକାରଙ୍କୁ ପ୍ରତିବର୍ଷ ୮୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । କିନ୍ତୁ ଏବେ ଚଷମା, ସିଲ୍ପିଂ କିଟ୍, ଜୋତା, ହିମସ୍ଫଳନର ସୂଚନା ଦେଉଥିବା ଉପକରଣ, ପର୍ବତାରୋହଣ ପାଇଁ ଆବଶ୍ୟକୀୟ କିଟ୍ ଭଳି ବିଭିନ୍ନ ଉପକରଣ ଦେଶରେ ହିଁ ପ୍ରସ୍ତୁତ କରାଯିବ ।

ଏହି ଉପକରଣ ଗୁଡିକୁ ଦୁଇଟି ଶ୍ରେଣୀରେ ଉତ୍ପାଦନ କରାଯିବ । ପ୍ରଥମ ଶ୍ରେଣୀରେ ଆସୁଥିବା ସ୍ପେଶାଲ କିଟ୍ ଗୁଡିକୁ ୯ରୁ ୧୨ ହଜାର ଫୁଟ୍ ଉପରେ ନିୟୋଜିତ ଥିବା ଯବାନ ମାନଙ୍କୁ ଦିଆଯିବ । ସେହିଭଳି ଏହାଠାରୁ ଉଚ୍ଚରେ ନିୟୋଜିତ ଥିବା ଯବାନ ମାନଙ୍କୁ ଦ୍ୱିତୀୟ ଶ୍ରେଣୀର କିଟ୍ ଦିଆଯିବ । ସମୁଦ୍ର ପତନରୁ ପ୍ରାୟ ୫୪୦୦ ମିଟର ଉଚ୍ଚରେ ସିଆଚେନ ରହିଛି । ଏହା ବିଶ୍ୱର ସବୁଠାରୁ ଉଚ୍ଚତମ ଯୁଦ୍ଧକ୍ଷେତ୍ର । ତେବେ ୧୯୮୪ ପୂର୍ବରୁ ଏଠାରେ ଯବାନ ମାନଙ୍କୁ ନିୟୋଜିତ କରାଯାଉନଥିଲା । କିନ୍ତୁ ପାକିସ୍ତାନ ସେନାର ଅନୁପ୍ରବେଶ ପରେ ଏଠାରେ ପ୍ରଥମ ଥର ପାଇଁ ୧୯୮୪ରେ ଯବାନ ମାନଙ୍କୁ ମୁତୟନ କରାଯାଇଥିଲା । ସିଆଚେନ ପୋଷ୍ଟକୁ ଚୀନ ଓ ପାକିସ୍ତାନ ସୀମା ଲାଗି କରି ରହିଛି । ଏଠାରେ ଭାରତୀୟ ସେନାର ୧୫୦ଟି ପୋଷ୍ଟ ରହିଛି ଯେଉଁଠାରେ ପ୍ରାୟ ୧୦ ହଜାର ସୈନିକଙ୍କୁ ମୁତୟନ କରାଯାଇଛି ।