କନକ ବ୍ୟୁରୋ: ବାଚସ୍ପତି ଭାଇଙ୍କ ଦାଦାଗିରି । ପୂର୍ବତନ ସଭାପତି ବିରେନ୍ଦ୍ର କେଶରୀ ଆରୁଖ ଓ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପରିଚାଳନା କମିଟି ନିର୍ବାଚନ ପ୍ରକ୍ରିୟା ବେଳେ ମୁହାଁମୁହିଁ । ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଭଞ୍ଜନଗର କେନ୍ଦ୍ର ସମବାୟ ଶାଖାରୁ ୩୦ ଲକ୍ଷ ଟଙ୍କା ରୁଣ ନେଇ ସୁଝି ନଥିବା ଅଭିଯୋଗ ରହିଛି । ଏନେଇ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ଆସିକା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ ଭଞ୍ଜନଗରର ବରିଷ୍ଠ ବିଜପି ନେତା ପ୍ରଦ୍ୟୁମ୍ନ କୁମାର ନାୟକ ଓ ତାରିଣୀ ଚରଣ ପାଣିଗ୍ରାହୀ । ଏଥିରେ ହଠାତ ଉତକ୍ଷିପ୍ତ ହୋଇ ନିର୍ବାଚନ ଅଧିକାରୀଙ୍କ ପ୍ରକୋଷ୍ଠରେ ବିରେନ୍ଦ୍ର କେଶରୀ ଓ ତାଙ୍କର ୭ରୁ ୮ ଜଣ ସମର୍ଥକ ପଶି ବ୍ୟାଙ୍କର ପରିଚାଳନା ସମ୍ପାଦକ ମହେନ୍ଦ୍ର କୁମାର ସାମଲଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଦେଇଥିଲେ ।
ଏଭଳିକି ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏହାକୁ ପ୍ରତିବାଦ କରିବାରୁ ବ୍ୟାଙ୍କର ଅନ୍ୟ ୨ କର୍ମଚାରୀଙ୍କୁ ମଧ୍ୟ ଗାଳି କରିବା ସହ ଧମକ ଦେଇଥିଲେ । ବ୍ୟାଙ୍କ ମ୍ୟାନେଜର ଗୀତାଞ୍ଜଳୀ ବେହେରାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ଧମକ ମଧ୍ୟ ଦେଇଥିଲେ । ବାଚସ୍ପତି ଭାଇଙ୍କ ଏଭଳି ଦବଙ୍ଗଗିରିରେ ବ୍ୟାଙ୍କରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ନିର୍ବାଚନ ଅଧିକାରୀ ସ୍ଥାନୀୟ ପୋଲିସକୁ ଏନେଇ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଘଟଣାର ତଦନ୍ତ କରୁଛି ପୋଲିସ ।
Follow Us