୨୦୨୧ ପ୍ରଥମ ମିଶନରେ ଇସ୍ରୋକୁ ସଫଳତା । ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଉତକ୍ଷେପଣ ହେଲା ଉପଗ୍ରହ ଆମାଜୋନିଆ-୧

135

କନକ ବ୍ୟୁରୋ : ସରିଲା କାଉଣ୍ଟ ଡାଉନ୍ । ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପୂର୍ବାହ୍ନ ୧୦.୨୪ ରେ ଉପଗ୍ରହ ଆମାଜୋନିଆ-୧ର ସଫଳ ଉତକ୍ଷେପଣ କରାଯାଇଛି । ୨୦୨୧ ମସିହାରେ ଏହା ଇସ୍ରୋର ପ୍ରଥମ ମିଶନ ହୋଇଥିବା ବେଳେ ଏହାର ସଫଳତାକୁ ନେଇ ଖୁସି ଅଛନ୍ତି ବୈଜ୍ଞାନିକ ମାନେ । ସୂଚନା ମୁତାବକ ପିଏସଏଲଭି –ସି-୫୧ ରକେଟ୍ ସହାୟତାରେ ବ୍ରାଜିଲର ଅପ୍ଟିକାଲ ଅବଜରଭେଶନ ସାଟେଲାଇଟକୁ ମହାକାଶକୁ ପଠାଯାଇଛି । ଏହା ପିଏସଏଲଭିର ୫୩ ତମ ମିଶନ ବୋଲି କୁହାଯାଇଛି । କେବଳ ଆମାଜୋନିଆ ନୁହେଁ ଏହାସହ ୧୮ ଟି ଉପଗ୍ରହକୁ ମଧ୍ୟ ପ୍ରଥମ ଲଂଚପ୍ୟାଡରୁ ସଫଳତାର ସହ ଉତକ୍ଷେପଣ କରାଯାଇଛି ।

ଉତକ୍ଷେପଣ ହୋଇଥିବା ଏହି ୧୮ ଟି ଉପଗ୍ରହ ମଧ୍ୟରେ ସ୍ପେସ୍ କିଡଜ୍ ଇଣ୍ଡିଆର ଏସଡି ସାଟ୍ (ସତୀଶ୍ ଧାୱନ୍ ସାଟ୍) ସହ କୋଇମ୍ବାଟୁରର ଶ୍ରୀ ଶକ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି, ଶ୍ରୀପେରୁମ୍ବୁଦୁରର ଜେପିଆର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ ନାଗପୁରର ଜିଏଚ୍ ରାଇସୋନି କଲେଜ ଅଫ୍ ଇଞ୍ଜିନିୟରିଂ ଆଦି ୩ ଟି କଲେଜ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ୟୁନିସାଟ୍ ର ମଧ୍ୟ ଉତକ୍ଷେପଣ କରାଯିବ । ଅନ୍ୟ ଉପଗ୍ରହ ମଧ୍ୟରେ ଭାରତର ସିନ୍ଧୁନେତ୍ର, ଆମେରିକାର ସାଇ-୧ ନାନୋକନେକ୍ଟ-୨, ୧୨ ଟି ସ୍ପେସ୍ ବିଇଇ ଉପଗ୍ରହ ରହିଛି   ।