ଲୁଚକାଳି ଖେଳୁଛି ମୌସୁମୀ,ଏଥର ଭିଜି ନପାରେ ରଜ । ପାଣିପାଗ ବିଭାଗର ପୂର୍ବାନୁମାନ, ୩-୪ ଦିନ ପରେ ଓଡିଶା ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।

246

କନକ ବ୍ୟୁରୋ: ମୌସୁମୀ ଖେଳୁଛି ଲୁଚକାଳି । ଅନୁକୂଳ ପରିସ୍ଥିତି ସତ୍ତ୍ୱେ ଓଡ଼ିଶାରେ ମୌସୁମୀ ପହଞ୍ଚିବାରେ ବିଳମ୍ବ ହେଉଛି । ମୌସୁମୀ ପହଞ୍ଚିବାକୁ ଆଉ ୩ରୁ ୪ ଦିନ ଲାଗିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏବେ ଯାଏଁ କେରଳ ଓ ଗୋଆରେ ସମ୍ପୂର୍ଣ୍ଣ ଭାବେ ପ୍ରବେଶ କରିସାରିଛି ମୌସୁମୀ । ରାଜ୍ୟର କିଛି ସ୍ଥାନରେ ପ୍ରାକ୍-ମୈାସୁମୀ ବର୍ଷା ସତ୍ତ୍ୱେ ରାଜ୍ୟରେ ଜୁନ ମାସର ପ୍ରଥମ ୧୨ ଦିନରେ ସ୍ୱାଭାବିକଠାରୁ ୮୦ ପ୍ରତିଶତ କମ ବର୍ଷା ହୋଇଛି ।

  • ରଜରେ ଭିଜାଇବନି ମୈାସୁମୀ!
  • ଓଡିଶା ଛୁଇଁବାକୁ ଆହୁରି ୩ରୁ ୪ ଦିନ!

ଅନୁକୂଳ ପରିସ୍ଥିତି ସତ୍ତ୍ୱେ ଓଡିଶାରେ ଏପର୍ଯ୍ୟନ୍ତ ପହଞ୍ଚିପାରିନି ଦକ୍ଷିଣ-ପଶ୍ଚିମ ମୈାସୁମୀ ବାୟୁ । ଭାରତୀୟ ପାଣିପାଗ ବିଭାଗର ଆକଳନ କହୁଛି, ଓଡିଶା ଛୁଇଁବାକୁ ମୈାସୁମୀକୁ ଆହୁରି ୩ରୁ ୪ ଦିନ ଲାଗିପାରେ । ବର୍ତ୍ତମାନ ସୁଦ୍ଧା ମୈାସୁମୀ ବାୟୁ ସମ୍ପୂର୍ଣ୍ଣ ଭାବରେ କେରଳ, ଗୋଆରେ ପ୍ରବେଶ କରିସାରିଥିବା ବେଳେ କର୍ଣ୍ଣାଟକ,ତାମିଲନାଡୁ, ମହାରାଷ୍ଟ୍ରର ଅଧିକାଂଶ ଅଞ୍ଚଳ ସମେତ ଗୁଜୁରାଟ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ବିହାରର କିଛି ଅଂଶରେ ମଧ୍ୟ ପହଞ୍ଚିସାରିଛି । ଆଗାମୀ ୪୮ ଘଣ୍ଟାରେ ଏହା ମଧ୍ୟପ୍ରଦେଶ ଓ ପରବର୍ତ୍ତୀ ୨ ଦିନ ଭିତରେ ଓଡିଶା ପହଞ୍ଚିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

  • ଜୁନର ପ୍ରଥମ ୧୨ ଦିନରେ ୮୦% କମ୍ ବର୍ଷା
  • ୩ ଜିଲ୍ଲାରେ ଆଦୌ ହୋଇନି ବର୍ଷା

ରାଜ୍ୟର କିଛି ସ୍ଥାନରେ ପ୍ରାକ୍-ମୌସୁମୀ ବର୍ଷା ସତ୍ତେ୍ୱ ରାଜ୍ୟରେ ଜୁନ ମାସର ପ୍ରଥମ ୧୨ ଦିନରେ ସ୍ୱାଭାବିକଠାରୁ ୮୦ ପ୍ରତିଶତ କମ ବର୍ଷା ହୋଇଛି । ଏପରିକି ବରଗଡ, ସୋନପୁର ଓ ମାଲକାନଗିରି ଜିଲ୍ଲାରେ ଆଦୌ ବର୍ଷା ରେକର୍ଡ କରାଯାଇନାହିଁ । ୨୪ ଜିଲ୍ଲାରେ ୬୦ ପ୍ରତିଶତରୁ କମ ବର୍ଷା ହୋଇଥିବା କହିଛି ପାଣିପାଗ ବିଭାଗ । କିନ୍ତୁ ଗତବର୍ଷ ଏହି ୧୨ ଦିନରେ ରାଜ୍ୟରେ ୨୪ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଥିଲା । ୮ ଜିଲ୍ଲାରେ ଅଧିକ ଓ ୭ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଥିଲା ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।