ପ୍ରତୀକ୍ଷାର ହେଲା ଅନ୍ତ, ଓଡିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ: ମୌସୁମୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା

259

କନକ ବ୍ୟୁରୋ: କିଛି ଦିନ ଲୁଚକାଳି ଖେଳ ପରେ ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡ଼ିଶାର କିଛି ଅଂଚଳରେ ପ୍ରବେଶ କରିଛି ମୌସୁମୀ । କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଳାକୁ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ପ୍ରବେଶ କରିଛି । ସେହିପରି ନୂଆପଡା, କଳାହାଣ୍ଡି ଓ ରାୟଗଡା ଜିଲ୍ଳାକୁ ମୌସୁମୀ ଆଂଶିକ ଭାବେ ଛୁଇଁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପ୍ରଭାବରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଛି ।

ରାଜ୍ୟର କିଛି ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହେବା ସହ କିଛି ସ୍ଥାନରେ କାଳ ବୈଶାଖୀ ବର୍ଷା ହୋଇଛି । ଏବେ ପାରିପାଶ୍ୱିର୍କ ସ୍ଥିତି ଅନୁକୂଳ ଥିବାରୁ ୨-୩ ଦିନ ମଧ୍ୟରେ ରାଜ୍ୟର ଅନ୍ୟ ସ୍ଥାନକୁ ମୌସୁମୀର ଆଗମନ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆସନ୍ତା ୪୮ ଘଂଟା ମଧ୍ୟରେ ଉପକୂଳ ଓଡ଼ିଶା, ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ଢେଙ୍କାନାଳ, ଅନୁକୂଳ, ସମ୍ବଲପୁର, କେଉଁଝର, ଯାଜପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

ଓଡ଼ିଶା ସମେତ ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼, ଆନ୍ଧ୍ରପ୍ରଦେଶକୁ ଗୁରୁବାର ଦିନ ପ୍ରବେଶ କରିଛି ମୌସୁମୀ ବାୟ୍ରୁ । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଜୁନ୍ ୧୭ ସୁଦ୍ଧା ଓଡ଼ିଶାକୁ ମୌସୁମୀ ପ୍ରବେଶ କରିଥାଏ । ଏବର୍ଷ ମୌସୁମୀ ବିଳମ୍ବ ହୋଇନି, ବର୍ଷା ସ୍ୱାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।