ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ତୃତୀୟ ଦିନିକିଆ : କେପଟାଉନରେ ଖେଳାଯିବ ମ୍ୟାଚ୍; ସମ୍ମାନ ରକ୍ଷା ପାଇଁ ଉଦ୍ୟମ କରିବ ଟିମ ଇଣ୍ଡିଆ

155

କନକ ବ୍ୟୁରୋ : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯିବ ତୃତୀୟ ଦିନିକିଆ । କେପଟାଉନରେ ଖେଳାଯିବ ଏହି ମୁକାବିଲା । ୨-୦ରେ ସିରିଜ ଆଗୁଆ ଥିବା ଦକ୍ଷିଣ ଆଫ୍ରିକା ଆଜି ସିରିଜ ମୂଳପୋଛ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ସେପଟେ ଦକ୍ଷିଣଆଫ୍ରିକା ବିପକ୍ଷରେ କ୍ରମାଗତ ୪ଟି ପରାଜୟ ପରେ ଚାପରେ ରହିଛି ଭାରତୀୟ ଦଳ ।

କ୍ୟାପଟେନ କେ ଏଲ ରାହୁଲଙ୍କ ନେତୃତ୍ୱରେ ବିଦେଶ ମାଟିରେ ଭାରତୀୟ ଦଳ ପୁରା ଚମକ ହରାଇବା ପରି ମନେ ହେଉଛି । ଟେଷ୍ଟ ସିରିଜ ପରାଜୟ ପରେ ଦିନିକିଆ ସିରିଜରେ ଏହାର ପ୍ରତିଶୋଧ ନେବ ବୋଲି ଭାରତୀୟ ଦଳ ଉପରେ ଭରସା ରଖିଥିଲେ କ୍ରିକେଟ ଫ୍ୟାନ । ସେହି ଆଶା ଧୂଳିସାତ ହୋଇଯାଇଛି । ଦଳର ମଧ୍ୟକ୍ରମ ବ୍ୟାଟିଂ ଏବଂ ପ୍ରଭାବହୀନ ବୋଲିଂ ଚିନ୍ତାର କାରଣ ହୋଇଛି । ଭାରତ ସିରିଜ ହାରି ସାରିଥିବାରୁ ଏହି ତୃତୀୟ ଦିନିକିଆରେ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇପାରେ ଭାରତ ।

ବୁମରା କିଂବା ଶାର୍ଧୁଳ ଠାକୁରଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ମିଳିପାରେ । ତାଙ୍କ ସ୍ଥାନରେ ଦୀପକ ଚହରଙ୍କୁ ଦଳରେ ସ୍ଥାନ ମିଳିବା ସଂଭାବନା ରହିଛି । ସେହିପରି ଶୀର୍ଷ ବ୍ୟାଟିଂକ୍ରମରେ ଋତୁରାଜ ଗାଏକ୍ୱାଡଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିବା ସଂଭାବନା ରହିଛି । ଏପରି ସ୍ଥିତିରେ କ୍ୟାପଟେନ କେଏଲ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜି କେପଟାଉନରେ ସମ୍ମାନ ରକ୍ଷା ଉଦ୍ଦେଶ୍ୟରେ ଖେଳିବାକୁ ପଡିଆକୁ ଓହ୍ଲାଇବ ।