ବିଶ୍ୱର ଚିନ୍ତା ବଢାଇଲା କରୋନାର ଦକ୍ଷିଣ ଆଫ୍ରିକା ଭାରିଆଣ୍ଟ । ଡେଲଟା ଠାରୁ ହୋଇପାରେ ଶକ୍ତିଶାଳୀ, ଜାଣନ୍ତୁ ଏହା ବାବଦରେ ଟିକିନିକି ତଥ୍ୟ ।

472

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂଆ ପ୍ରଜାତି ସାରା ବିଶ୍ୱରେ ଚିନ୍ତା ବଢାଇ ଦେଇଛି । ଆଉ ଏଇ ନୂଆ ପ୍ରଜାତି ଡେଲଟା ଠାରୁ ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି କହିଛନ୍ତି ଦକ୍ଷିଣ ଆଫ୍ରିକାର ବିଶେଷଜ୍ଞ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଏନେଇ ଅନୁଧ୍ୟାନ ଚାଲିଛି, ଏହା କେତେ ମାତ୍ରାରେ ପ୍ରଭାବ ପକାଇବ, ଆଉ କିଛି ସପ୍ତାହ ପରେ ଜଣାପଡିବ । ସେପଟେ ଫ୍ରାନ୍ସ, ବ୍ରିଟେନ୍, ଇସ୍ରାଏଲ ଭଳି ଦେଶ ଦକ୍ଷିଣ ଆଫ୍ରିକାକୁ ବିମାନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି । ଭାରତ ମଧ୍ୟ ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡା ନଜର ରଖିଛି । ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯିବା ସହ କରୋନା ପରୀକ୍ଷା କରାଯିବ । ଯେଉଁମାନେ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କ ଜେନମ୍ ସିକ୍ୱୁଏନ୍ସିଂ ପାଇଁ ତୁରନ୍ତ ପଠାଇବାକୁ କୁହାଯାଇଛି । ଏପଟେ କରୋନାର ନୂଆ ପ୍ରଜାତିକୁ ନେଇ ଲୋକଙ୍କୁ ସତର୍କ କରାଇଛନ୍ତି ଡିଏମଇଟି ଡକ୍ଟର ରମାରମଣ ମହାନ୍ତି ।

ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋସ୍ୱାନାରୁ ଚିହ୍ନଟ ହୋଇଥିବା କରୋନାର ନୂଆ ପ୍ରଜାତି, ସାରା ବିଶ୍ୱରେ ପୁଣିଥରେ ଭୟ ସଂଚାର କରିଛି । କାରଣ ଭୂତାଣୁ ଅନେକ ଥର ମ୍ୟୁଟେସନ୍ ହେବା ପରେ ଏହି ନୂଆ ଭାରିଆଣ୍ଟ ସୃଷ୍ଟି ହୋଇଛି । ଯଦିଓ ଏହା କେତେ ସଂକ୍ରାମକ ଏବଂ ଏହାର ପ୍ରଭାବ କଣ ରହିବ, ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ, ତେବେ ଏହି ନୂଆ ପ୍ରଜାତି ଡେଲ୍ଟା ଠାରୁ ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ଆଶଙ୍କା କରିଛନ୍ତି ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକ ।

କରୋନା ଭୂତାଣୁର ନୂଆ ପ୍ରଜାତି

କରୋନା ଭୂତାଣୁର ଏହି ନୂଆ ପ୍ରଜାତିର ନାଁ ରହିଛି B.୧.୧.୫୨୯

୫୦ ମ୍ୟୁଟେସନ୍ ପରେ ସୃଷ୍ଟି ହୋଇଛି B.୧.୧.୫୨୯

୩୦ରୁ ଅଧିକ ଥର ରୂପ ବଦଳାଇଛି କେବଳ ସ୍ପାଇକ୍ ପ୍ରୋଟିନ୍

ଯାହା ଟିକା ସୁରକ୍ଷା ବଳୟକୁ ଭେଦ କରିବାକୁ କ୍ଷମତା ରଖିଥିବା ଆଶଙ୍କା

ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା

ଦକ୍ଷିଣ ଆଫ୍ରିକାରେ ପ୍ରାୟ ୧୦୦ ମାମଲା ଆସିଛି

ବୋସ୍ୱାନାରେ ୪, ହଂକଂରେ ୨ ଓ ଇସ୍ରାଏଲରେ ଗୋଟିଏ ମାମଲା ଚିହ୍ନଟ

ଆକ୍ରାନ୍ତଙ୍କ ଶରୀରରେ ଭାଇରାଲ ଲୋଡ୍ ଅଧିକ ରହୁଥିବା ସୂଚନା

କରୋନାର ଏହି ନୂଆ ପ୍ରଜାତିକୁ ଦୃଷ୍ଟିରେ ରଖି ଫ୍ରାନସ, ବ୍ରିଟେନ୍ ଓ ଇସ୍ରାଏଲ ଆଦି ଦେଶ ଦକ୍ଷିଣ ଆଫ୍ରିକା ସହ ବିମାନ ଚଳାଚଳ ଉପରେ ସାମୟିକ କଟକଣା ଲଗାଇଛନ୍ତି । ଭାରତ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋସ୍ୱାନା ଦେଶରୁ ଆସୁଥିବା ଯାତ୍ରୀଙ୍କର ସ୍କ୍ରିନିଂକୁ କଡାକଡି କରାଯାଇଛି । ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷା ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି । ଯେଉଁମାନେ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କ ଜେନମ୍ ସିକ୍ୱୁଏନ୍ସିଂ ପାଇଁ ତୁରନ୍ତ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରୋନାର ନୂଆ ପ୍ରଜାତିକୁ ନେଇ ସତର୍କ କରାଇଛନ୍ତି ଡିଏମଇଟି ।

କରୋନାର ଏହି ନୂଆ ପ୍ରଜାତି ସାମନାକୁ ଆସିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞମାନେ ତୁହାକୁ ତୁହା ବୈଠକ କରିଛନ୍ତି । ବିଶେଷଜ୍ଞମାନେ ଏ ନେଇ ଅନୁଧ୍ୟାନ କରୁଛନ୍ତି । ଏହା କେତେ ଘାତକ ହେବ, ଜାଣିବା ପାଇଁ ଆଉ କିଛି ସପ୍ତାହ ଆବଶ୍ୟକ ବୋଲି କହିଛି ଡବ୍ଲୁଏଚଓ ।