ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେଡିର ୩ ପ୍ରାର୍ଥୀ

37

କନକ ବ୍ୟୁରୋ : ରାଜ୍ୟସଭା ପାଇଁ ୩ ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ପ୍ରଶାନ୍ତ ନନ୍ଦ, ସୌମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ୩ ପ୍ରାର୍ଥୀ ।

ପ୍ରଥମେ ପ୍ରଶାନ୍ତ ନନ୍ଦ ନାମାଙ୍କନ ଦାଖଲ କରିଥିଲେ । ଶ୍ରୀ ନନ୍ଦ ପ୍ରାର୍ଥୀପତ୍ର ଦାଖଲ କଲାବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁକ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ଙ୍କ ସହିତ ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ।

ପରେ ପରେ ରିଟର୍ଣ୍ଣିଂ ଅଫସର ଶ୍ରୀ ପାଟିଲଙ୍କ ବିଧାନସଭାର ୫୪ ନମ୍ବର କୋଠରୀରେ ଥିବା କାର୍ୟ୍ୟାଳୟରେ ପହଞ୍ଚିଥିଲେ ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ , ବରିଷ୍ଠ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଉପସ୍ଥିତିରେ ପୂର୍ବତନ ସାଂସଦ ଶ୍ରୀ ପଟ୍ଟନାୟକ ରାଜ୍ୟ ସଭା ପ୍ରାଥୀ ଭାବେ ଦୁଇ କିତା ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

ପରେ ପରେ ସମାଜସେବୀ ଅଚ୍ୟୁତ ସାମନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

ଉଲ୍ଲେଖ ଯୋଗ୍ୟ, ବିଜେଡିରୁ ରାଜ୍ୟସଭାକୁ ଯାଇଥିବା ଦିଲ୍ଲୀପ ତିର୍କି, ଅନଙ୍ଗ ଉଦୟ ସିଂଦେଓ ଏବଂ ସ୍ୱାଧୀନ ସଦସ୍ୟ ଏ.ଭି ସ୍ୱାମୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏପ୍ରିଲ ୩ ତାରିଖରେ ଓଡିଶାର ଏହି ତିନି ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି । ମାର୍ଚ୍ଚ ୨୩ରେ ହେବ ରାଜ୍ୟସଭା ନିର୍ବାଚନ । ଏହି ନିର୍ବାଚନ ପାଇଁ ମାର୍ଚ୍ଚ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମାର୍ଚ୍ଚ ୧୨ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ । ସେହିପରି ୧୩ ତାରିଖରେ ପ୍ରାର୍ଥୀପତ୍ର ଯାଂଚ ଏବଂ ୧୫ ତାରିଖ ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି ।