କନକ ନ୍ୟୁଜର ଓଡିଶା ଏଜୁକେଶନ କନକ୍ଲେଭ ‘ଉତ୍କର୍ଷ-୨୦୧୯’ । ସୌମ୍ୟରଞ୍ଜନ କହିଲେ, ଆଧୁନିକ ଶିକ୍ଷା ପଦ୍ଧତି ଯୋଗୁଁ ଗୁଣାତ୍ମକ ମାପକାଠିରେ ପଛୁଆ ହୋଇ ଯାଉଛନ୍ତି ଛାତ୍ରଛାତ୍ରୀ, ପଦ୍ମଶ୍ରୀ ଗୌରୀଇଶ୍ୱରନ କହିଲେ, ପିଲାଙ୍କ ରୁଚିକୁ ଗୁରୁତ୍ୱ ଦିଅନ୍ତୁ ଅଭିଭାବକ

334

କନକ ବ୍ୟୁରୋ : କନକ ନ୍ୟୁଜର ଏଜୁକେସନ୍ କନକ୍ଲେଭ ‘ଉକ୍ରର୍ଷ’-୨୦୧୯ । ଆମ ଶିକ୍ଷା ବ୍ୟବସ୍ଥାରେ ଥିବା ସମସ୍ୟା ଓ ଏଥିରେ ସୁଧାର ପାଇଁ ମାନସ ମନ୍ଥନ କରିଛନ୍ତି ପଦ୍ମଶ୍ରୀ ଗୌରୀ ଇ୍ଶ୍ୱରନଙ୍କ ସମେତ ବହୁ ବିଶିଷ୍ଟ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ । ଚଳିତ ବର୍ଷ ଏଜୁକେସନ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହୋଇଥିବା ବେଳେ ମାଟ୍ରିକ, ଯୁକ୍ତ ଦୁଇ, ନାଇଜର ଏବଂ ଜେଇରେ ଓଡିଶା ଟପ୍ପରଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଛି ।

ସରକାରୀ ସ୍କୁଲ ଅପେକ୍ଷା ବେସରକାରୀ ସ୍କୁଲ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଧିକ ଆଗ୍ରହ ରହିଛି କି? ଓଡିଆ ମାଧ୍ୟମ ଅପେକ୍ଷା ଇଂରାଜୀ ମାଧ୍ୟମ ସ୍କୁଲର ସଫଳତା ହାର ଅଧିକ କାହିଁକି ରହିଛି? ରାଜ୍ୟରେ ଶୈକ୍ଷିକ ବାତାବରଣ ଓ ଶିକ୍ଷା ସଂସ୍କାର କ୍ଷେତ୍ରରେ ବାଧା ସାଜୁଥିବା କାରଣଗୁଡିକ ଉପରେ ଚର୍ଚ୍ଚା କରିବାକୁ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲା କନକ ନ୍ୟୁଜର ଏଜୁକେସନ୍ କନକ୍ଲେଭ ‘ଉକ୍ରର୍ଷ’-୨୦୧୯ । ଏଥିରେ ଯୋଗଦେଇ ସଂସ୍କୃତି ବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ପଦ୍ମଶ୍ରୀ ଗୌରୀ ଇଶ୍ୱରନ୍ କହିଛନ୍ତି- ପିଲାଙ୍କ ଭିତରେ ଥିବା ମୂଲ୍ୟବୋଧର ବିକାଶ ପାଇଁ ଉଭୟ ସ୍କୁଲ ଓ ଅଭିଭାବକ ଏକାଠି ମିଶି କାମ କରିବା ଦରକାର ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ସେମାନଙ୍କ ପିଲାଙ୍କୁ ସରକାରୀ ସ୍କୁଲରେ ପାଠ ପଢାଇବାକୁ ଆଗ୍ରହ ପ୍ରକାଶ କରିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ସୌମ୍ୟରଞ୍ଜନ । ଏବଂ ଏଥିପାଇଁ ସରକାରୀ ସ୍କୁଲର ମାନ୍ୟତା ବୃଦ୍ଧି କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି ।

ପ୍ରତିଯୋଗିତାମୂଳକ ଶିକ୍ଷା ବ୍ୟବସ୍ଥାରେ ସରକାରୀ ସ୍କୁଲଗୁଡିକରେ ଅନେକ ସଂସ୍କାର ଆଣିବାକୁ ପ୍ରୟାସ ଚଳାଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଇଂରାଜୀ ମାଧ୍ୟମ ସ୍କୁଲ ଢାଂଚାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରୁଛନ୍ତି । ଯାହା ବେସରକାରୀ ସ୍କୁଲ ଗୁଡିକର ମୁକାବିଲା କରିପାରିବ ବୋଲି ମତ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠାତା ।

ସର୍ବ ଭାରତୀୟ ସ୍ତରରେ ଓଡିଶାର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ପଛରେ ପଡିଯାଉଥିବାର ଅଭିଯୋଗ ଭିତରେ, ଶିକ୍ଷାର ଗୁଣାତ୍ମକ ମାନକୁ ଗୁରୁତ୍ୱ ଦେଉଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ । କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ତାଙ୍କ ଦୃଷ୍ଟିଭଙ୍ଗୀ ଓ ସଂସ୍କାର ପଦକ୍ଷେପ ବାବଦରେ ସୂଚନା ଦେଇଛନ୍ତି । ଏସବୁ ଭିତରେ ଦ୍ୱିତୀୟ ବର୍ଷରେ ପହଞ୍ଚିଛି କନକ ନ୍ୟୁଜର ଏଜୁକେସନ୍ କନକ୍ଲେଭ । ଭୁବନେଶ୍ୱର ହୋଟେଲ ମେ ଫେୟାରରେ ଉକ୍ରର୍ଷ ୨୦୧୯ କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତି ଓ ଛାତ୍ରଛାତ୍ରୀ, ସେମାନଙ୍କ ମତାମତ ରଖିଛନ୍ତି । ଆମ ଶିକ୍ଷା ବ୍ୟବସ୍ଥାରେ ଥିବା ସମସ୍ୟା ଓ ଏହାର ସମାଧାନ ଦିଗରେ ଆବଶ୍ୟକ ସଂସ୍କାର ପାଇଁ ମାନସ ମନ୍ଥନ କରିଛନ୍ତି ।