ଖଣ୍ଡଗିରି ମେଳା ପାଇଁ ବିଏମସିର SOP। ଜାଣନ୍ତୁ, କଣ ରହିଛି ନିୟମ…

222

କନକ ବ୍ୟୁରୋ: ଖଣ୍ଡଗିରି ମେଳା ପାଇଁ ଆସିଲା ଗାଇଡଲାଇନ୍ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଖଣ୍ଡଗିରି ମେଳା ପାଇଁ ଏସଓପି ଜାରି କରାଯାଇଛି । ତେବେ ଆସନ୍ତା ଜାନୁଆରୀ ୨୮ ତାରିଖରୁୁୁ ଖଣ୍ଡଗିରିରେ ପ୍ରସିଦ୍ଧ ମାଘ ମେଳା ହେବାକୁ ଯାଉଛି । ଯାହାକି ୧୦ ଦିନ ପର୍ଯ୍ୟନ୍ତ ଜାରି ରହିବ । ଏହାକୁ ଦୃଷ୍ଟିରେ ରଖି ବିଏମସି ତରଫରୁ ଏହି ଏସଓପି ଜାରି କରାଯାଇଛି । ତେବେ କୋଭିଡକୁ ଆଖି ଆଗରେ ରଖି ସମସ୍ତେ ଏହି ଏସଓପି ପାଳନ କରିବାକୁ ବିଏମସି ତରଫରୁ କୁହାଯାଇଛି ।

ଯାତ୍ରା ନାଟକ ଦଳର ସମସ୍ତେ କୋଭିଡ୍ ନିମୟ ମାନି ଯାତ୍ରା ପରିବେଷଣ କରିବେ । ସମସ୍ତ ଅଫିସର, ମେମ୍ବର ଓ ଭଲ୍ୟୁଣ୍ଟର କୋଭିଡ୍ ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ଯାତ୍ରା ଦେଖିବାକୁ ଗଲାବେଳେ, ସାନିଟାଇଜର ସୁବିଧା ରଖିବାକୁ ବିଏମସି ଏସଓପରେ ଉଲ୍ଲେଖ କରିଛି । ଏହାସହ ନାଟକ ପେଣ୍ଟାଲରେ ସିଟ୍ ସୁବିଧା ମଧ୍ୟ କୋଭିଡ୍ ପ୍ରଟୋକଲକୁ ଆଖି ଆଗରେ ରଖି କରାଯିବ ।

ସେହିପରି ଆୟୋଜକ କମିଟି ନାଟକର ଶବ୍ଦ ଉପରେ ମଧ୍ୟ ନଜର ରଖିବ । ପ୍ରଚାର ବେଳେ କୌଣସି ବି ଯାତ୍ରାର ସଦସ୍ୟ ଉଚ୍ଚ ଶବ୍ଦରେ ପ୍ରଚାର କରିବେ ନାହିଁ । ଯାତ୍ରାରେ ଆୟୋଜକ କମିଟି ପକ୍ଷରୁ ପର୍ଯ୍ୟାପ୍ତ ସିସିଟିଭି ଲଗାଇବାକୁ କୁହାଯାଇଛି । ସେହିପରି ଲାଇନ୍ କଟିଲେ ଏହାର ବିକଳ୍ପ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ଗତବର୍ଷ କୋଭିଡ୍ କଟକଣା ଭିତରେ ଖଣ୍ଡଗିରି ମେଳା ଅନୁଷ୍ଠିତ ହୋଇଥିଲା । ଏଥର କୋଭିଡ୍ ସଂକ୍ରମଣ ଯଥେଷ୍ଟ କମିଥିବାରୁ, ଯାତ୍ରାରେ ଅଧିକରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି । ତେବେ ଏସବୁକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ମହାନଗର ନିଗମ ।