ସୋନୁଙ୍କ ନାଁରେ ସାଂଘାତିକ ଅଭିଯୋଗ! ୨୦ କୋଟି ଟଙ୍କାର ଆୟକର ହେରଫେର କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ।

416

କନକ ବ୍ୟୁରୋ : ବଲିଉଡ ଅଭିନେତା ସୋନୁଙ୍କ ସୁଦଙ୍କ ଅଡୁଆ ବଢି ଚାଲିଛି । ଆୟକର ବିଭାଗର ଲଗାତାର ସର୍ଭେ ପରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆୟକର ବିଭାଗ ୨୮ଟି ସ୍ଥାନରେ ସର୍ଭେ କରିଛି । ଯେଉଁଥିରେ ମୁମ୍ବାଇ, ଲକ୍ଷ୍ନୌ, କାନପୁର, ଜୟପୁର, ଦିଲ୍ଲୀ ଓ ଗୁଡଗାଓଁରେ ଯାଞ୍ଚ କରିଛି । ସବୁଠୁ ବଡ କଥା ହେଲା, ଏହି ସର୍ଭେ ସମୟରେ ସୋନୁ ଓ ତାଙ୍କ ସହଯୋଗୀ ୨୦ କୋଟି ଟଙ୍କାର ଆୟକର ହେରଫେର କରିଥିବା ଘଟଣା ସାମ୍ନାକୁ ଆସିଛି । ଏହାଛଡା ୨.୧ କୋଟି ଟଙ୍କାର ଅବୈଧ ବିଦେଶୀ ଦାନ, ୬୫ କୋଟି ଟଙ୍କାର ଜାଲ୍ ନେଣଦେଣ ହୋଇଥିବା ଜଣାପଡିଛି । ସିବିଡିଟି ପକ୍ଷରୁ କୁହାଯାଇଛି ଯେ, ନକଲି ସଂସ୍ଥା ଦ୍ୱାରା ଜାଲିଆତି ଓ ଋଣ ଆକାରରେ କୋଟି କୋଟି ଟଙ୍କା ଜମା ରଖାଯାଇଥିଲା । ଏପରିକି ଏଫସିଆରଏ ନିୟମର ଉଲ୍ଲଂଘନ କରି ବିଦେଶରୁ କ୍ରାଉଡଫଣ୍ଡିଙ୍ଗ ଜରିଆରେ ୨.୧ କୋଟି ଟଙ୍କା ଦାନ ଆକାରରେ ସଂଗ୍ରହ କରାଯାଇଛି ।

ଏହାସହ ସୋନୁଙ୍କ ଠାରୁ ନଗଦ ୧.୮ କୋଟି ଟଙ୍କା ଜବତ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହାବାଦ୍ ସୋନୁ ସୁଦ ଚ୍ୟାରିଟି ଫାଉଣ୍ଡେସନ ୧୮.୯୪ କୋଟି ଟଙ୍କା ଡୋନେସନ ପାଇଛି । ଯେଉଁଥିରୁ ବିଭିନ୍ନ କାର୍ଯ୍ୟ ପାଇଁ ୧.୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବଳକା ୧୭ କୋଟି ଟଙ୍କା ଏଯାଏଁ ଆକାଉଣ୍ଟରେ ରହିଛି । ସେହିଭଳି ଲକ୍ଷ୍ନୌର ଏକ ଇନଫ୍ରାଷ୍ଟ୍ରକଚର ଗ୍ରୁପ୍ ଯିଏ ସୋନୁ ସୁଦଙ୍କ ସହ ଯୋଡି ହୋଇ ରହିଛି ସେଠାରେ ତଲାସୀ ପରେ ୬୫ କୋଟି ଟଙ୍କାର ନେଣଦେଣରେ ଆୟକର ହେରଫେର ହୋଇଥିବା କୁହାଯାଉଛି । ଆୟକର ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆଗକୁ ଆହୁରି କିଛି ନୂଆ ତଥ୍ୟ ଆସିପାରେ ।