ଦିଲ୍ଲୀରେ କଂଗ୍ରେସର ମାନସମନ୍ଥନ । ୨୩ ପ୍ରମୁଖ ଅସନ୍ତୁଷ୍ଟ ନେତାଙ୍କ କଥା ଶୁଣିଲେ ସୋନିଆ, ରାହୁଲଙ୍କୁ ନେତୃତ୍ୱ ଦେବା ପ୍ରସଙ୍ଗରେ ନେତାଏ କହିଲେ ନାହିଁ କୌଣସି ସମସ୍ୟା ।

81

କନକ ବ୍ୟୁରୋ: ଏବେ ଆସିବା କଂଗ୍ରେସର ମାନସମଂଥନ ବୈଠକ ଖବରକୁ । ଆଜି ଦିଲ୍ଲୀରେ ୧୦ ଜନପଥରେ ବସିଥିଲା କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ବୈଠକ । ଏହି ବୈଠକରେ ସମସ୍ତ ଅସନ୍ତୁଷ୍ଟ ନେତାଙ୍କ କଥା ଶୁଣିଥିଲେ କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧି । ସୂଚନା ଅନୁସାରେ ୫ ଘଂଟା ଧରି ଚାଲିଥିବା ବୈଠକରେ ଦଳ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛି । ଏହାରି ଭିତରେ ରାହୁଲ କହିଛନ୍ତି , ଦଳ ଯେମିତି ଚାହିଁବ, ସେମିତି କାମ କରିବି ।

ପ୍ରାୟ ୫ ଘଂଟାରୁ ଅଧିକ ସମୟ ଧରି ଦିଲ୍ଲୀରେ ୧୦ ଜନପଥରେ ଥିବା ସୋନିଆଙ୍କ ବାସଭବନରେ ବସିଥିଲା କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ବୈଠକ । ବୈଠକରେ ସାମିଲ ହୋଇଥିଲେ ଦଳର ୨୩ ପ୍ରମୁଖ ଅସନ୍ତୁଷ୍ଟ ନେତା । ଆଉ ସମସ୍ତ ଅସନ୍ତୁଷ୍ଟଙ୍କ କଥାକୁ ଧୀର ସ୍ଥିର ଭାବରେ ଶୁଣିଥିଲେ ସୋନିଆ । ଯାହାର ଯାହା କହିବାର ଅଛି, ଯେଉଁ ନେତା ଯାହା ବି ପରାମର୍ଶ ଦେଇଛନ୍ତି ସବୁକୁ ଲେଖି ରଖିଛନ୍ତି ସୋନିଆ ।

ବୈଠକରେ ସାମିଲ ହୋଇଥିଲେ ସୋନିଆ, ରାହୁଲ, ପ୍ରିୟଙ୍କା । ସୂଚନା ଅନୁସାରେ ରାହୁଲ , ପ୍ରିୟଙ୍କା ବୈଠକରେ ଦଳର ଆଗାମୀ ରଣନୀତି ନେଇ ନିଜ ମତ ରଖିଛନ୍ତି । ରାହୁଲ କହିଛନ୍ତି ଦଳ ଯେମିତି ଚାହିଁବ, ସିଏ ସେହିପରି କାମ କରିବେ ।

ବୈଠକ ସରିବା ପରେ ଗଣମାଧ୍ୟମକୁ ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ ଦଳର ବରିଷ୍ଠ ନେତା ହରିଶ ରାୱାତ, ପୃଥ୍ୱୀରାଜ ଚଭନ ପ୍ରମୁଖ । ଚାଷୀ ପ୍ରସଙ୍ଗରୁ ନେଇ ୨୦୨୧ରେ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଯାଏଁ ଦଳ ସବୁ ପ୍ରସଙ୍ଗରେ ଚର୍ଚା କରିଥିବା କହିଛନ୍ତି ଚଭନ । ଆଗକୁ ଏହିପରି ବୈଠକ ବସିବ । ଦଳ ଭିତରେ ଥିବା ସମସ୍ତ ଅସନ୍ତୋଷକୁ ଦୂର କରି ନୂଆ ରଣନୀତିରେ ଆଗକୁ ବଢିବ ଦଳ ।

ସୋନିଆଙ୍କ ଏହି ଜି ୨୩ ବୈଠକରେ ଆଲୋଚନାର ପ୍ରମୁଖ ପ୍ରସଙ୍ଗ ଭିତରେ ରହିଥିଲା ସୋନିଆଙ୍କ ପରେ କାହା ହାତକୁ ଯିବ ନେତୃତ୍ୱ । ଆଗକୁ ୨୦୨୧ରେ ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ପୁଡୁଚେରୀ ଏବଂ ଆସାମରେ ହେବ ବିଧାନସଭା ନିର୍ବାଚନ । ଅସନ୍ତୁଷ୍ଟ ନେତୃତ୍ୱ ରାହୁଲଙ୍କ ହାତକୁ ଆଗାମୀ ନେତୃତ୍ୱ ଦେବାକୁ ଇସାରା କରିଥିବା ଜଣାପଡିଛି । ଏହି ପରି ଏକାଧିକ ବୈଠକ କରି ସୋନିଆ ଦଳ ଭିତରେ ଅସନ୍ତୁଷ୍ଟଙ୍କୁ ମନାଇବାକୁ ଉଦ୍ୟମ କରିବେ ବୋଲି ଜଣାପଡିଛି ।