କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅସୁସ୍ଥତା କାରଣରୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଜ୍ୱର ହେବା କାରଣରୁ ଗୁରୁବାର ଦିନ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ଡାକ୍ତରଙ୍କ ତତ୍ୱାବଧାନରେ ରହିଛନ୍ତି ।

Advertisment

ସର ଗଙ୍ଗାରାମ ହସ୍ପିଟାଲ ତରଫରୁ ଜାରି କରାଯାଇଥିବା ହେଲଥ୍ ବୁଲେଟିନ୍ ମୁତାବକ ୟୁପିଏର ପୂର୍ବ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚେଷ୍ଟ ମେଡିସିନ ବିଭାଗର ବରିଷ୍ଠ ଡାକ୍ତର ଅରୁପ ବାସୁଙ୍କ ତତ୍ୱାବଧାନରେ ଚିକିତ୍ସା ଚାଲିଛି । ସୋନିଆ ଗାନ୍ଧୀଙ୍କର ଚିକିତ୍ସା ପାଇଁ ଅନେକ ପ୍ରକାର ପରୀକ୍ଷା କରାଯାଉଥିବା ହସ୍ପିଟାଲର ସ୍ୱାସ୍ଥ୍ୟ ବୁଲେଟିନରେ କୁହାଯାଇଛି ।

ସେପଟେ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଏଭଳି ସମୟରେ ଖରାପ ହୋଇଛି କି, ଯେତେବେଳେ ରାହୁଲ ଗାନ୍ଧୀ ବିଦେଶଗସ୍ତରେ ଅଛନ୍ତି । ସେ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟକୁ ଅତିଥି ଭାବେ ଯାଇଛନ୍ତି । ଏହା ପୂର୍ବରୁ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ କାରଣରୁ ତାଙ୍କୁ ଜାନୁଆରୀ ୫ ତାରିଖରେ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ତାଙ୍କୁ ସଂକ୍ରାମକ ରୋଗ ହୋଇଥିବା କଥା କୁହାଯାଇଥିଲା । ସେତେବେଳେ ଝିଅ ପ୍ରିୟଙ୍କା ଗାନ୍ଧୀ ସୋନିଆଙ୍କ ନିକଟରେ ରହି ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝୁଥିଲେ ।