ପାରିବାରିକ କଳହରୁ ବାପା ଓ ମାଆଙ୍କୁ ହାଣିଦେଲା ପୁଅ : ବାପା ମୃତ, ଗୁରୁତର ମାଆ ମେଡିକାଲରେ ଭର୍ତ୍ତି

207

କନକ ବ୍ୟୁରୋ : ପାରିବାରିକ କଳହରୁ ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ, ମାଆ ଗୁରୁତର । ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ରକ୍ତମୁଖା ପୁଅ କବଳରୁ ବାପାକୁ ବଂଚାଇବାକୁ ଯାଇ ଟାଙ୍ଗିଆ ଚୋଟରେ ମାଆ ମଧ୍ୟ ଗୁରୁତର ଆହତ ହୋଇଛି । ଗୁରୁତର ଅବସ୍ଥାରେ ମାଆଙ୍କୁ ଜରପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ହେଉଛନ୍ତି ଦୁର୍ଗାପୁର ଗାଁ କୋଡାସାହିର କୃଷ୍ଣଚନ୍ଦ୍ର ବେହେରା ।

ଆଜି ସକାଳେ କୃଷ୍ଣ ଚନ୍ଦ୍ର ବେହେରା ଓ ପୁଅ ନାଥ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ରାଗିଯାଇ ଘରୁ ଟାଙ୍ଗିଆ ଆଣି କୃଷ୍ଣଚନ୍ଦ୍ରଙ୍କ ବେକକୁ ହାଣି ଦେଇଥିଲେ ପୁଅ ନାଥ ବେହେରା । ଘଟଣାସ୍ଥଳରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କୁ ବଂଚାଇବାକୁ ପତ୍ନୀ ରୁକ୍ମଣୀ ବେହେରା ଉଦ୍ୟମ କରିବାରୁ ପୁଅର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ବାପା ଓ ମାଆଙ୍କୁ ହାଣିବା ପରେ ବାଇକ ଧରି ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।