୫୦୦ ଟଙ୍କା ଦରମାରୁ ରାଜ୍ୟସଭା ଉପାଧ୍ୟକ୍ଷ । ହରିବଂଶଙ୍କ ବାବଦରେ ଏହି ରୋଚକ ତଥ୍ୟ ଆପଣଙ୍କୁ ବି କରିଦେବ ଆଶ୍ଚର୍ଯ୍ୟ

37

ହରିବଂଶ ନାରାୟଣ ସିଂହ । ନର୍ବନିର୍ବାଚିତ ରାଜ୍ୟସଭା ଉପାଧ୍ୟକ୍ଷ । ଏନଡିଏରୁ ପ୍ରାର୍ଥୀ ହୋଇଥିବା ହରିବଂଶ ୟୁପିଏ ପ୍ରାର୍ଥୀ ବିକେ ହରିପ୍ରସାଦଙ୍କୁ ପରାସ୍ତ କରି ରାଜ୍ୟସଭାର ନୂଆ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନକୁ ନେଇ ଦୀର୍ଘଦିନ ଧରି କଳ୍ପନା ଜଳ୍ପନା ଲାଗି ରହିଥିଲା । ଆଉ ଶେଷରେ ଆଜି ବାଜି ମାରି ନେଇଛନ୍ତି ହରିବଂଶ । ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ୧୨୫ ଖଣ୍ଡ ଭୋଟ ମିଳିଥିବା ବେଳେ ହରିପ୍ରସାଦ ପାଇଥିଲେ ମାତ୍ର ୧୦୫ ଟି ଭୋଟ । ଆଉ ଏହାସହ ଦୀର୍ଘଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ଜେଡିୟୁ ଟିକେଟରେ ପ୍ରଥମଥର ଲାଗି ରାଜ୍ୟସଭାକୁ ଆସିଥିବା ହରିବଂଶ ନାରାୟଣ ସିଂଙ୍କର ଦୀର୍ଘ ୪୦ ବର୍ଷର ସାମ୍ବାଦିକତା କ୍ୟାରିୟର । ରାଜନୀତିକୁ ପ୍ରବେଶ ପୂର୍ବରୁ ବିଭିନ୍ନ ଖବରକାଗଜ ଓ ପତ୍ର ପତ୍ରିକାରେ କାମ କରିବାର ରହିଛି ଅଭିଜ୍ଞତା ।

Hari– ମାତ୍ର ୫୦୦ ଟଙ୍କା ଦରମାରେ ଆରମ୍ଭ କରିଥିଲେ କାମ
– ୧୯୭୭ରେ ଟ୍ରେନି ଜର୍ଣ୍ଣାଲିଷ୍ଟ ଭାବେ ‘ଟାଇମ୍ସ ଅଫ ଇଣ୍ଡିଆ’ରେ ଯୋଗଦାନ
– ପରେ ସେ ମୁମ୍ବାଇ ଚାଲିଆସିଲେ
– ୧୯୮୧ ପର୍ଯ୍ୟନ୍ତ ‘ଧର୍ମ ୟୁଗ’ ମାଗାଜିନରେ କାମ
– ପରେ ସେ ବ୍ୟାଙ୍କ ଅଫ ଇଣ୍ଡିଆରେ ଯୋଗଦେଲେ
– ଏହାପରେ ‘ଅମୃତ ବଜାର’ ପତ୍ରିକାରେ କାମକଲେ
– ରବିବାର ବିଶେଷାଙ୍କରେ ସହକାରୀ ସଂପାଦକ ଥିଲେ
– ୧୯୮୯ରୁ ରାଂଚିରେ ‘ପ୍ରଭାତ ଖବର’ରେ କାମ କଲେ
– ୨୫ବର୍ଷ ଧରି ଏହି ଖବରକାଗଜର ସଂପାଦକ ରହିଲେ

୨୦୧୪ରେ ପ୍ରଥମଥର ଲାଗି ନୀତିଶ କୁମାରଙ୍କ ଜେଡିୟୁ ଦ୍ୱାରା ରାଜ୍ୟସଭାକୁ ମନୋନିତ ହେଲେ ହରିବଂଶ । ଆଉ ଏବେ ଏନଡିଏ ସମର୍ଥନରେ ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ବସିଛନ୍ତି ଏହି ଅଭିଜ୍ଞ ସାମ୍ବାଦିକ । ଆଉ ସବୁଠୁ ବଡ କଥା ହେଲା, ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହୋଇଥିଲେ ମଧ୍ୟ ତାଙ୍କର ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇନଥିଲା । ଏହି ବାବଦରେ ହରିବଂଶ ଲେଖିଥିଲେ ଯେ, ରାଜ୍ୟସଭା ଫର୍ମ ପାଇଁ ସେ ସୁରକ୍ଷା ରାଶି ବାବଦକୁ ୧୦ ହଜାର ଟଙ୍କା ଦେଇଥିଲେ । ତେବେ ବିନା ପ୍ରତିଦ୍ୱନ୍ଦିତାରେ ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ସୁରକ୍ଷା ରାଶି ବାବଦ ୧୦ ହଜାର ଟଙ୍କା ମଧ୍ୟ ତାଙ୍କୁ ଫେରାଇ ଦିଆଯାଇଥିଲା । ଆଉ ଏଭଳି ଭାବେ ବିନା ଟଙ୍କା ଖର୍ଚ୍ଚ କରି ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ଯେତେବେଳେ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଗଲା ସେତେବେଳେ ସେ ଜେଡିୟୁର ପ୍ରାଥମିକ ସଦସ୍ୟ ମଧ୍ୟ ନଥିଲେ ।

ପ୍ରଭାତ ଖବରରେ କାମ କରୁଥିଲାବେଳେ ତତକାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ତାଙ୍କୁ ରାଜନୈତିକ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ । ଯେଉଁଥିପାଇଁ ସେ ସାମ୍ବାଦିକତା ଛାଡିଥିଲେ । କିନ୍ତୁ ଚନ୍ଦ୍ରଶେଖର ସରକାରରୁ କଂଗ୍ରେସ ସମର୍ଥନ ପ୍ରତ୍ୟାହାର କରିନେବା ପରେ ସେ ପୁଣି ସାମ୍ବାଦିକତା କ୍ଷେତ୍ରକୁ ଫେରିଯାଇଥିଲେ । ଆଉ ତାଙ୍କ ବ୍ୟକ୍ତିତ୍ୱକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଚନ୍ଦ୍ରଶେଖର ସରକାରଙ୍କ ପତନ ନେଇ ହରିବଂଶଙ୍କ ପାଖରେ ସୂଚନା ଥିଲା, ହେଲେ ସେ ଏବାବଦରେ କାହାରିକୁ ଜଣାଇନଥିଲେ । ଅଗଷ୍ଟ କ୍ରାନ୍ତି ସହିତ ଉତର ପ୍ରଦେଶ ବଲିଆର ବଡ ସଂପୃକ୍ତି ରହିଛି ଏବଂ ହରିବଂଶଙ୍କ ଘର ସେହି ବଲିଆରେ ହୋଇଥିବାରୁ ତାଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଜେପି ଆନ୍ଦୋଳନର ପୁରୋଧା ଜୟପ୍ରକାଶ ନାରାୟଣଙ୍କ ଗାଁ ୟୁପି ବଲିଆ ଜିଲ୍ଲାର ସୀତାବ ଦିୟାରା ଗାଁରେ ଏକ ସାଧାରଣ ଚାଷୀ ପରିବାରରେ ୧୯୫୬ରେ ହରିବଂଶଙ୍କ ଜନ୍ମ । ନିଜକୁ ଜେପିଙ୍କ ସାମାଜିକ ଆନ୍ଦୋଳନରେ ସାମିଲ କରିଥିଲେ । ଯେଉଁଥିପାଇଁ ନାଁରୁ ନାରାୟଣ ସିଂ ସାଙ୍ଗିଆକୁ କାଟି ଦେଇଥିଲେ । ଆଉ ବିଜେପି ନେତାମାନଙ୍କ ଭିତରେ ଏହି ବ୍ୟକ୍ତିତ୍ୱଙ୍କ ପାଇଁ ରହିଛି ଯଥେଷ୍ଟ ସମ୍ମାନ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ତାଙ୍କ ସଂପର୍କ ମଧ୍ୟ ବେଶ ନିବିଡ ବୋଲି କୁହାଯାଉଛି । ଏପରିକି ନୀତିଶ କମାରଙ୍କ ଇମେଜ ବିଲ୍ଡିଂରେ ହରିବଂଶଙ୍କର ବଡ ଭୂମିକା ରହିଛି । ସମ୍ବାଦିକତା ପାଇଁ ସରକାରୀ ଚାକିରି ଛାଡି ଦେଇଥିବା ହରିବଂଶ ବନାରଶ ହିନ୍ଦୁ ବିଶ୍ୱ ବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ପିଜି ଓ ସାମ୍ବାଦିକତାରେ ପିଜି ଡିପ୍ଲୋମା କରିଛନ୍ତି । ସବୁବେଳେ ଗାଁ ସହ ଯୋଡିହୋଇ ରହିବାକୁ ପସନ୍ଦ କରୁଥିବା ଓ ସାଦାସିଧା ଜୀବନ ବ୍ୟତିତ କରୁଥିବା ଏହି ରାଜ୍ୟସଭା ସାଂସଦ ନିଜ ସାଂସଦ ପାଣ୍ଠିର ଅଧିକାଂଶ ଭାଗ ବିଭିନ୍ନ ବୈଜ୍ଞାନିକ ଗବେଷଣା ସଂସ୍ଥାରେ ଖର୍ଚ୍ଚ କରିଛନ୍ତି । ରାଜନୈତିକ ସଂପର୍କ ନଥିବା ବିହାର ରୋହତାସ ଜିଲ୍ଲାର ବହୁଆରା ଗାଁକୁ ସେ ସାସଂଦ ଆଦର୍ଶ ଗ୍ରାମ ଯୋଜନାରେ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛନ୍ତି । ତାଙ୍କର ଏପରି ସ୍ୱଭାବ ଅଣଏନଡିଏ ଦଳଗୁଡିକୁ ମଧ୍ୟ ତାଙ୍କ ସପକ୍ଷରେ ଭୋଟ ଦେବା ଲାଗି ପ୍ରଭାବିତ କରିଥିବା କୁହାଯାଉଛି । ସବୁଠାରୁ ବଡ କଥା ହେଉଛି ହରିବଂଶଙ୍କ ନାଁକୁ ସାମ୍ନାକୁ ଆଣି ବିଜେପି ଓ ଜେଡିୟୁ ଭିତରେ ଚାଲିଥିବା ଅସନ୍ତୋଷର ଅନ୍ତ ହୋଇଛି ।