ପୃଥିବୀ ପୃଷ୍ଠକୁ ମାଡ଼ି ଆସୁଛି ସୌରଝଡ଼ : ଜାଣନ୍ତୁ କ’ଣ କହିଲେ ପ୍ଲାନେଟୋରିୟମ୍ ନିର୍ଦ୍ଦେଶକ ?

1,084

କନକ ବ୍ୟୁରୋ : ପୃଥିବୀ ପୃଷ୍ଠକୁ ଖୁବ ଦ୍ରୁତ ଗତିରେ ଏକ ସୌରଝଡ ମାଡି ଆସୁଛି । ଘଂଟା ପ୍ରତି ଏହା ପ୍ରାୟ ୧୬ ଲକ୍ଷ କିଲୋମିଟର ଗତିରେ ଅଗ୍ରସର ହେଉଛି । ଆମେରିକା ମହାକାଶ ଗବେଷଣା ସଂସ୍ଥା- ନାସାର ସୂଚନା ଅନୁସାରେ ଏହା ଆଜି କିମ୍ବା ଆସନ୍ତାକାଲି ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ପ୍ରବେଶ କରିବା ସମ୍ଭାବନା ରହିଛି ।

ତେବେ ପୃଥିଥୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟକୁ ପ୍ରବେଶ କଲେ ଏହାର ପ୍ରଭାବ କଣ ରହିବ, ସେନେଇ ସୂଚନା ଦେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟାରିୟମର ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ତାଙ୍କ କହିବା ହେଲା ସୂର୍ଯ୍ୟରେ ଅନବରତ ଏକ ଆଣବିକ ପ୍ରକ୍ରିୟା ଜାରି ରହିଛି । ତେଣୁ ପ୍ରଚୁର ଶକ୍ତି ଉତ୍ପନ ହେଉଛି । ସେହିପରି ବେଳେବେଳେ ଏଠାରେ ବିସ୍ଫୋରଣ ଘଟି କଣିକାଗୁଡିକ ବିକରଣ ହୋଇଥାଏ । ବର୍ତ୍ତମାନ ଏହିଭଳି ଏକ ବିସ୍ଫୋରଣ ଫଳରେ, ଏକ ଇଲେକଟ୍ରୋ ମ୍ୟାଗନେଟିକ ୱେଭ ବା ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ପୃଥିବୀ ଆଡକୁ ମାଡିଆସୁଛି । ତେଣୁ ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟକୁ ପ୍ରବେଶ କଲେ ଚୁମ୍ବକୀୟ ଶକ୍ତି ଦ୍ୱାରା ପରିଚାଳିତ ଉପକରଣଗୁଡିକ ଉପରେ ପ୍ରଭାବ ପକାଇବ ।

ତେଣୁ ବିଦ୍ୟୁତ ସରବରାହ, ମୋବାଇଲ ଫୋନ ସେବା କିମ୍ବା ଜିପିଏସ ସିଷ୍ଟମ ଉପରେ ଏହାର ସାମାନ୍ୟ ପ୍ରଭାବ ରହିପାରେ । ସ୍ପେସ ଷ୍ଟେସନ ଓ ଉପଗ୍ରହଗୁଡିକ ଉପରେ ମଧ୍ୟ ପ୍ରଭାବ ପକାଇପାରେ । କିନ୍ତୁ ମଣିଷ ଓ ଜୀବଜନ୍ତୁଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ସହିଛନ୍ତି ସୁଭେନ୍ଦୁ ପଟ୍ଟନାୟକ । ୧୯୯୨ ମସିହାରେ ଏହିଭଳି ଏକ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ଆସିବା ଫଳରେ କାନାଡାରେ ୧୨ ଘଂଟା ପାଇଁ ବିଦୁତ ସରବରାହ ବନ୍ଦ ହୋଇଯାଇଥିଲା । କିନ୍ତୁ ଏଥର ବିସ୍ଫୋରଣ ସେତେ ବଡ ନୁହେଁ, ତେଣୁ ଏହାର ପ୍ରଭାବ କମ ରହିବ ବୋଲି ସେ ଆକଳନ କରିଛନ୍ତି ।