ବାଲେଶ୍ୱରରେ ବେଙ୍ଗଲ ମାଫିଆଙ୍କ ରାଜ । ସୁବର୍ଣ୍ଣରେଖା ନଦୀ ନିକଟରୁ ଲୁଟି ନେଉଛନ୍ତି ଉର୍ବର ମାଟି । ପ୍ରତିବାଦ କଲେ କରୁଛନ୍ତି ମରଣାନ୍ତକ ଆକ୍ରମଣ ।

112

କନକ ବ୍ୟୁରୋ: ଉତ୍ତର ବାଲେଶ୍ୱରର ଲାଇଫ ଲାଇନ କୁହାଯାଉଥିବା ସୁବର୍ଣ୍ଣରେଖା ନଦୀ ନିକଟସ୍ଥ ମାଟି ଉପରେ ପଶ୍ଚିମବଙ୍ଗର ମାଫିଆଙ୍କ ଲୋଲୁପ ଦୃଷ୍ଟି । ସୁବର୍ଣ୍ଣରେଖା ନଦୀର ବାଲି ପରେ ଏବେ ଓଡିଶା ମାଟି ଉପରେ ନଜର ପକାଇଛନ୍ତି ବଙ୍ଗ ମାଫିଆ । ପ୍ରତିଦିନ ଜେସିବିରେ ଖୋଳି ଟ୍ରାକ୍ଟର ଲଗାଇ ଲୁଟି ନେଉଛନ୍ତି କୋଟି କୋଟି ଟଙ୍କାର ଉର୍ବର ମାଟି ।

ଘୁ ଘୁ ଗର୍ଜନ କରି ମାଟି ଖୋଳୁଛି ଜେସିବି ଆଉ ବୋହି ନେଉଛି ଟ୍ରାକ୍ଟର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ରାଇବଣିଆ ଅଂଚଳରେ ବେଆଇନ୍ ଭାବେ ମାଟି ଖୋଳି ଲୁଟି ନେଉଛନ୍ତି ପଶ୍ଚିମବଙ୍ଗର ଦଲାଲ । କିଛି ସ୍ଥାନୀୟ ଦଲାଲ ଓ ଅସାଧୁ ସରକାରୀ କର୍ମଚାରୀଙ୍କୁ ଅସ୍ତ୍ର କରି ଜେସିବି ଏବଂ ଟ୍ରାକ୍ଟର ଲଗାଇ ଓଡିଶା ଜମିରୁ ମାଟି ଖୋଲି ନେଉଛନ୍ତି ଏହି ଦଲାଲମାନେ ।

ସୁବର୍ଣ୍ଣରେଖା ନଦୀ ନିକଟସ୍ଥ ଦକ୍ଷିଣ ପ୍ରହରାଜପୁର, ବେହେରା ସାହି, କୁଆଁରପୁର, ମାଙ୍କଡିଆ, ଓଲମାରାର ଉର୍ବର ଜମିରୁ ମାଫିଆମାନେ ମାଟି ଖୋଳି ନେଉଛନ୍ତ । ମାଟି ବିକି ମାଫିଆ ଲାଲେ ଲାଲ୍ ହେଉଥିବା ବେଳେ ସହଯୋଗ କରୁଥିବା ଦଲାଲଙ୍କ ମଧ୍ୟ ପକେଟ୍ ଗରମ କରୁଛନ୍ତି । ସ୍ଥାନୀୟ ଲୋକ ଏହି ବେଆଇନ୍ କାମର ପ୍ରତିବାଦ କଲେ ଦଲାଲମାନେ ସେମାନଙ୍କୁ ଆକ୍ରମଣ କରୁଥିବା ମଧ୍ୟ ଅଭିଯୋଗ ହୋଇଛି ।

ଗତ କିଛି ଦିନ ତଳେ ଦକ୍ଷିଣ ପ୍ରହରାଜପୁର ଗାଁର ଗଙ୍ଗାଧର ଘୋଷଙ୍କ ଜମିରୁ ମାଟି ଖୋଳା ହେଉଥିବା ବେଳେ ପ୍ରତିବାଦ କରିଥିଲେ ତାଙ୍କ ପୁଅ ଅଶୋକ । ହେଲେ ଦଲାଲ ଏବଂ ମାଫିଆମାନେ ତାଙ୍କୁ ସଂଘବଧ ଆକ୍ରମଣ କରିଥିଲେ । ଏନେଇ ସେ ରାଇବଣିଆ ଥାନାରେ ଏତଲା ମଧ୍ୟ ଦାଏର କରିଥିଲେ ହେଲେ ପୋଲିସ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।