ସନ୍ଦେହ ଘେରରେ ସଫ୍ଟୱୟାର ଇଞ୍ଜିନିୟରଙ୍କ ମୃତ୍ୟୁ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଲା ମୃତଦେହ

260

କନକ ବ୍ୟୁରୋ: ରାଜଧାନୀସ୍ଥିତ ଶିଖରଚଣ୍ଡୀ ପାହାଡ ତଳୁ ଦରପୋଡ଼ା ଅବସ୍ଥାରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ମୃତକ ଜଣଙ୍କ ପେଶାରେ ଜଣ ସଫ୍ଟୱୟାର ଇଞ୍ଜିନିୟର । ୨୨ ବର୍ଷୀୟ ଏହି ଯୁବକଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଛି । ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ସାମ୍ନାକୁ ଆସିଛି ଏକ ସିସିଟିଭି ଫୁଟେଜ । ଯାହାକି ଅବିନାଶଙ୍କ ମୃତ୍ୟୁ ପୂର୍ବର । ଯେଉଁଥିରେ ସେ ଅନ୍ୟ ଜଣଙ୍କ ସହିତ ଗାଡିରେ ବସି ଯାଉଛନ୍ତି ।

ବୁଧବାର ସଂଧ୍ୟା ୬ଟା ୫୬ । ଏକ ବାଇକରେ ଦୁଇ ଜଣ ଘୁରି ବୁଲୁଥିବାର ଚିତ୍ର ସାମ୍ନାକୁ ଆସିଛି । ଫୁଟେଜରୁ ସ୍ପଷ୍ଟ ଜଣାପଡୁନଥିଲେ ବି ପରିବାର ଲୋକଙ୍କ କହିବା ଅନୁଯାୟୀ ଗାଡି ଚଲାଉଥିବା ଯୁବକ ଜଣଙ୍କ ହେଉଛନ୍ତି ବାରଙ୍ଗ ବାଲିପଡା ଗାଁର ଅବିନାଶ ପ୍ରଧାନ । ସେ ବାଇକ ଚଲାଉଛନ୍ତି ଆଉ ତାଙ୍କ ପଛରେ ଜଣେ କିଏ ବସି ରହିଛନ୍ତି ।

ସଫ୍ଟୱୟାର ଇଞ୍ଜିନିୟରଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର । ୨୨ ବର୍ଷୀୟ ଯୁବକ ଅବିନାଶ କୌଣସି ପ୍ରକାର ମାନସିକ ଚାପରେ ନଥିଲେ । ବରଂ ମାସେ ତଳେ ଚାକିରି ପାଇ ବେଶ ଖୁସିରେ ଥିଲେ । ବୁଧବାର ରାତି ୭ଟା ବେଳେ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ । ପାଖାପାଖି ସାଜେ ୮ଟା ବେଳେ ଘରକୁ ଯାଉଛି ବୋଲି କହି ତାଙ୍କ ବାପାଙ୍କ ସହ ଫୋନରେ କଥା ହୋଇଥିଲେ । ହେଲେ ରାତି ୧୧ଟା ପର୍ଯ୍ୟନ୍ତ ଅବିନାଶ ଘରକୁ ଫେରିନଥିଲେ । ଖବର ଆସିଥିଲା ଅଧା ପୋଡା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ପୋଲିସର ତଦନ୍ତ ଜାରି ରହିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିନି ।

ପୋଲିସ ଜବତ କରିଥିବା ଚିଠିକୁ ସୁଇସାଇଡାଲ ନୋଟ୍ କହୁଥିବା ବେଳେ ପରିବାର ଲୋକେ କିନ୍ତୁ ଏହାକୁ ହତ୍ୟା ଅଭିଯୋଗ ଆଣିଛନ୍ତି । ଏହାସହିତ ବ୍ୟାଗରେ ଥିବା ପୁରୁଣା ଚିଠି ସହିତ ଏହି ମୃତ୍ୟୁର କୌଣସି ଲିଙ୍କ୍ ନଥିବା କହିଛନ୍ତି । ଏହା ଏକ ଷଡଯନ୍ତ୍ର ଜନିତ ହତ୍ୟାକାଣ୍ଡ ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି ଅବିନାଶଙ୍କ ବାପା ।

  • ଘରକୁ ଫେରିବା ରାସ୍ତାରେ କ’ଣ ଘଟିଲା?
  • ପାହାଡ ଉପରକୁ କେମିତି ଗଲେ ଅବିନାଶ?
  • କେମିତି ହେଲା ଅବିନାଶଙ୍କ ମୃତ୍ୟୁ?

କେମିତି ଗୋଡ ପୋଡିଗଲା ହେଲେ ପ୍ୟାଣ୍ଟ ପୋଡିଲାନି? ଅବିନାଶଙ୍କ ମୃତ୍ୟୁ ପରେ ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।