ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କଲା ନବୀନଙ୍କ ଉଦ୍ୟମ! ହକିକୁ ଜାତୀୟ ଖେଳ ମାନ୍ୟତା ପାଇଁ ନବୀନଙ୍କ ଦାବିକୁ ମିଳିଲା ପ୍ରବଳ ଜନସମର୍ଥନ

80

କନକ ବ୍ୟୁରୋ : ହକିକୁ ଜାତୀୟ କ୍ରୀଡ଼ା ରୂପେ ବିଧିବଦ୍ଧ ଭାବେ ମାନ୍ୟତା ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକିକୁ ଉପଯୁକ୍ତ ସମ୍ମାନ ଦେବା ସହ ଜାତୀୟ କ୍ରୀଡ଼ାର ମାନ୍ୟତା ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ମୋଦିଙ୍କୁ ଚିଠି ଲେଖି ଜଣାଇଛନ୍ତି ନବୀନ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘ ବର୍ଷ ଧରି ଆମେ ହକିକୁ ଦେଶର ଜାତୀୟ କ୍ରୀଡ଼ା ବୋଲି କହୁଥିଲେ ମଧ୍ୟ ଏହାକୁ ଆଜି ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଜାତୀୟ କ୍ରୀଡ଼ାର ମାନ୍ୟତା ମିଳିନାହିଁ । ଯାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ନବୀନ । ଆଗକୁ ଓଡିଶାରେ ହକି ବିଶ୍ୱକପ ହେବାକୁ ଥିବା ବେଳେ ଏଭଳି ଏକ ସାଂଘାତିକ ସତକୁ ସାମ୍ନାକୁ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ।

ସବୁଠୁ ବଡ଼ କଥା ହେଲା, ଏବେ ହକିକୁ ଜାତୀୟ କ୍ରୀଡ଼ା ଭାବେ ମାନ୍ୟତା ଦେବାକୁ ଅଣ୍ଟା ଭିଡ଼ିଛନ୍ତି ନବୀନ । ଏ ବାବଦରେ ମୋଦିଙ୍କୁ ଚିଠି ଲେଖିବା ପରେ ନବୀନଙ୍କ ଏହି ପ୍ରୟାସକୁ ମଧ୍ୟ ସୋସିଆଲ ମିଡ଼ିଆରେ ପ୍ରବଳ ଜନସମର୍ଥନ ମିଳୁଛି । ଦେଶର ଅଧିକାଂଶ ଲୋକ ହକିକୁ ଜାତୀୟ କ୍ରୀଡ଼ା ଭାବେ ଘୋଷଣା କରିବାକୁ ନବୀନଙ୍କ ମତ ସହ ଏକମତ ହୋଇଛନ୍ତି । ନବୀନଙ୍କ ହକି ପ୍ରେମକୁ ମଧ୍ୟ ଦେଶବାସୀ ବେଶ ପସନ୍ଦ କରିଛନ୍ତି । ହକିର ଉନ୍ନତି ପାଇଁ ନବୀନଙ୍କ ଉଦ୍ୟମ ବାସ୍ତବରେ ପ୍ରଂଶସାଯୋଗ୍ୟ ବୋଲି ଅନେକ ୟୁଜର୍ସ ସୋସିଆଲ ମିଡ଼ିଆରେ ଲେଖିଛନ୍ତି । ହକି ଜାତୀୟ ଖେଳର ମାନ୍ୟତା ପାଉ ତାହା ସମସ୍ତେ ଚାହାଁନ୍ତି – କିନ୍ତୁ କିଏ କେବେ ସେ ଦିଗରେ ପ୍ରଚେଷ୍ଟା କରି ନାହାନ୍ତି – ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ଦିଗରେ ପଦକ୍ଷେପ ନେଉଛନ୍ତି । ନବୀନ ଏମିତି ଏକ ମୁଖ୍ୟମନ୍ତ୍ରୀ ଯେ, ଲଗାତାର ହକିର ଉନ୍ନତି ପାଇଁ ସ୍ୱର ଉଠାଉଛନ୍ତି । ଆଉ ଯାହାର ଫଳସ୍ୱରୂପ ଏବେ ଭୁବନେଶ୍ୱରକୁ ସ୍ପୋର୍ଟସ କ୍ୟାପିଟାଲ ବୋଲି କୁହାଯାଉଛି ।

hockeyହକି ପ୍ରତି ନବୀନଙ୍କ ପ୍ରତିବଦ୍ଧତା ପୂର୍ବରୁ ଅନେକ ଥର ଦେଖିବାକୁ ମିଳିଛି । ହକିର ହାର୍ଟରେ ଓଡ଼ିଶା ରହିଛି ଏକଥାକୁ ବାରମ୍ବାର ପ୍ରମାଣିତ କରିଛନ୍ତି ନବୀନ । ଯେତେବେଳେ ଦେଶର ଅନ୍ୟ ରାଜ୍ୟ ଗୁଡ଼ିକ ବିଶ୍ୱ ହକି ଲିଗ ଓ ଚାମ୍ପିୟନସ ଟ୍ରଫି ଭଳି ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ପଛଘୁଞ୍ଚା ଦେଉଥିଲେ ସେଭଳି ସମୟରେ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ରାଜି ହୋଇଥିଲା ଓଡ଼ିଶା । ଖୁବ କମ ସମୟ ମଧ୍ୟରେ ବିଶ୍ୱ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ହକିକୁ ଜୀବନ୍ୟାସ ଦେଇଥିଲା ଓଡ଼ିଶା ।

ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ସହ ଉଭୟ ମହିଳା ଓ ପୁରୁଷ ହକି ଦଳର ପ୍ରଯୋଜକ ହୋଇଛି ଓଡ଼ିଶା । କୌଣସି ରାଜ୍ୟ ଭାବେ ଓଡ଼ିଶା ପ୍ରଥମ ଥର ପାଇଁ ଭାରତୀୟ ହକି ଦଳର ପ୍ରଯୋଜକ ହେବାକୁ ଘୋଷଣା କରିଛି । ଦୀର୍ଘ ୫ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରଯୋଜକ ରହିବ ଓଡ଼ିଶା । ଯେଉଁଠି ଅନ୍ୟ ରାଜ୍ୟ ଗୁଡ଼ିକ ହକିର ଉନ୍ନତି ପାଇଁ ଆଗ୍ରହ ଦେଖାଉନାହନ୍ତି ସେଭଳି ସ୍ଥଳେ ହକିକୁ ନୂଆ ପରିଚୟ ଦେଇଛନ୍ତି ଓଡ଼ିଶା ସରକାର । ଆଉ ଏଥିପାଇଁ ଏବେ ପୂୂରା ଦେଶରେ ଓଡିଶାକୁ ହକିର ଏନ୍ତୁଡ଼ିଶାଳ ବୋଲି କୁହାଯାଉଛି ।

ଅତୀତରେ ଭାରତ ହକି ଦଳ ଏକାଧିକ ଥର ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛି । ଦେଶର ଓଡିଶା, ଝାରଖଣ୍ଡ ଓ ଛତିଶଗଡ ପରି ଆଦିବାସୀ ବହୁଳ ଅଂଚଳରେ ହକି ପ୍ରତି ଅହେତୁକ ଆଗ୍ରହ ରହିଛି । ଏହି ଅଂଚଳର ଖେଳାଳୀ ମାନେ ବିଶ୍ୱ ଦରବାର ଭାରତର ନାଁ ରଖିଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ଏହି ଖେଳକୁ ଜାତୀୟ ଖେଳର ମାନ୍ୟତା ଦେବା ନେଇ ଉଚିତ ପଦକ୍ଷେପ ନେଲେ କୋଟି କୋଟି ହକି ପ୍ରେମୀଙ୍କ ପାଇଁ ଏକ ବଡ ଉପହାର ଏବଂ ମହାନ ହକି ଖେଳାଳୀଙ୍କ ପାଇଁ ଉଚିତ ସମ୍ମାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ।