ସାବଧାନ ! ହ୍ୱାଟସଆପ ପାଲଟିଛି ସିରିଏଲ କିଲର, ଆପଣ କରୁ ନାହାଁନ୍ତି ତ ଏପରି ଭୁଲ ।

43

ଫେସବୁକ ଏବଂ ହ୍ୱାଟସଆପ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକମାନଙ୍କୁ ପରସ୍ପର ମଧ୍ୟରେ ଯୋଡିବାର ଏକ ମାଧ୍ୟମ ପାଲଟିଛି । ମେସେଜ କିମ୍ବା ଭିଡିଓ କଲ ସାହାଯ୍ୟରେ ଦୁର ଦୁରାନ୍ତରରେ ଥିବା ବନ୍ଧୁଙ୍କ ସହ କଥାବାର୍ତ୍ତା କରିବା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡାଟା ମଧ୍ୟ ସେୟାର କରି ହେଉଛି । କିନ୍ତୁ ଏହି ସୋସିଆଲ ମିଡିଆ ଏବେ ଲୋକମାନଙ୍କ ପାଇଁ ଏକ ମୃତ୍ୟୁର କାରଣ ପାଲଟିଛି । କିଛି ଲୋକ ଏହାର ଦୁରୁପଯୋଗ କରି ଅନ୍ୟ ଲୋକମାନଙ୍କୁ ଅସୁବିଧାରେ ପକାଉଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ଠାରୁ ଆରମ୍ଭ କରି ପିଲାଚୋରି ଗୁଜବ ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଗତ କିଛି ଦିନ ପୂର୍ବରୁ ହ୍ୱାଟସଆପ ଏବଂ ଫେସବୁକରେ ଭାଇରାଲ ହୋଇଥିବା ଗୋଟିଏ ଫେକ ମେସେଜ୍, ୧୧ଟି ରାଜ୍ୟରେ ୨୭ଟି ଜୀବନ ନେଇଛି ।

ପ୍ରକୃତରେ, ଗତ କିଛି ଦିନ ପୂର୍ବରୁ ହ୍ୱାଟସଆପ ଏବଂ ଫେସବୁକରେ ଏକ ମେସେଜ ସେୟାର ହୋଇଥିଲା । ଯେଉଁଥିରେ ଉଲ୍ଲେଖ ଥିଲା, କିଛି ଅପରିଚିତ ଲୋକ ରାଜ୍ୟ ମଧ୍ୟକୁ ପ୍ରବେଶ କରି ପିଲାମାନଙ୍କୁ ଚୋରି କରିନେଉଛନ୍ତି । ଏହି ମେସେଜକୁ ଲୋକମାନେ ବିଶ୍ୱାସ କରି ଜଣଙ୍କ ପାଖରୁ ଅନ୍ୟ ଜଣଙ୍କୁ ସେୟାର କରିଥିଲେ । ଯାହା ଫଳରେ ଲୋକମାନେ ଅନ୍ଧବିଶ୍ୱାସର ବସବର୍ତି ହୋଇ ନିରିହ ଲୋକମାନଙ୍କୁ ପିଟି ପିଟି ହତ୍ୟା କରିବାକୁ ଲାଗିଲେ ।

ଏହିଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ଧୁଲେ ଅଞ୍ଚଳରେ । ଗତ କିଛି ଦିନ ତଳେ ପିଲାଚୋରି ଗୁଜବକୁ କେନ୍ଦ୍ର କରି ଲୋକେ ୫ ଜଣ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ପୋଲିସଙ୍କ କହିବା ଅନୁସାରେ ଏହି ପାଞ୍ଚଜଣ କୌଣସି ଏକ କାମରେ ଧୁଲେ ଅଞ୍ଚଳକୁ ଆସିଥିଲେ । କିନ୍ତୁ ଲୋକମାନେ ଅପରିଚିତ ମୁଁହ ଦେଖି ଏମାନଙ୍କୁ ପିଲା ଚୋର ବୋଲି ଭାବିଥିଲେ ଏବଂ ପରେ ଗାଁ ଲୋକ ଏକାଠି ହୋଇ ଏହି ୫ ଜଣଙ୍କୁ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଘଟଣା ବିତିବାର କିଛିଦିନ ଭିତରେ ତାମିଲନାଡୁର ତ୍ରିଚି ଜିଲ୍ଲାରେ ପୁଣି ଏହିଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ଗାଁକୁ ଆସିଥିବା ଦୁଇ ମୁସଲମାନ ଯୁବକଙ୍କୁ ଲୋକମାନେ ପିଟି ପିଟି ଅତି ବିବତ୍ସ ଭାବେ ହତ୍ୟା କରିଥିଲେ । ପୁଲିସ ଏହି ଘଟଣାର ତଦନ୍ତ କରିବା ପରେ ଜଣା ପଡିଥିଲା ଦୁଇ ମୃତ ଯୁବକ ବ୍ୟବସାୟ କରିବା ଉଦେଶ୍ୟ ଗାଁକୁ ଆସିଥିଲେ । ଠିକ ସେହିଭଳି ତେଲେଙ୍ଗାନା, କର୍ନାଟକ, ତ୍ରିପୁରା, ଆସାମ, ଗୁଜରାଟ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଭଳି ଅନ୍ୟ ୧୩ଟି ରାଜ୍ୟରେ ମଧ୍ୟ ପିଲା ଚୋରି ଗୁଜବ ଅନେକ ଲୋକଙ୍କ ଜୀବନ ନେଇଛି ।