ଚର୍ଚ୍ଚାରେ ଦୂତୀ ଚାନ୍ଦଙ୍କ ସୋସିଆଲମିଡିଆ ଫଟୋ: କନକ ନ୍ୟୁଜକୁ ସ୍ପଷ୍ଟିକରଣ ଦେଲେ ଦୌଡରାଣୀ

645

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସ୍ପ୍ରିଂଟର ଦୂତୀ ଚାନ୍ଦ । ଏହି ଚର୍ଚ୍ଚା କୌଣସି ନୂଆ ରେକର୍ଡ କିମ୍ବା ତାଙ୍କ ପ୍ରଫେସଲନାଲ କ୍ୟାରିୟରକୁ ନେଇ ନୁହେଁ , ବରଂ ତାଙ୍କ ଜୀବନସାଥୀଙ୍କୁ ନେଇ । ତାଙ୍କ ସାଥୀଙ୍କ ସହ ରୋମାଂଟିକ ଫଟୋକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଏହି ଅନ୍ତର୍ଜାତୀୟ ଧାବିକା । ଦେଖନ୍ତୁ ଏହି ଫଟୋକୁ ନିଜ ପାର୍ଟନର ମୋନାଲିସାଙ୍କ ସହ ଫଟୋକୁ ସୋସିଆଲ ମିଡିଆରେ ନିଜେ ସେୟାର କରିଛନ୍ତି ଦୂତି । ବିବାହ ମଣ୍ଡପର ଏହି ଫଟୋକୁ ନେଇ ଜାତୀୟ ଗଣମାଧ୍ୟମରେ ଅନେକ ଖବର ବି ପ୍ରକାଶ ପାଇଲାଣି । ଏଥିରେ ସେ ଲେଖିଛନ୍ତି ସେ ପୂର୍ବରୁ ବି ତାଙ୍କୁ ଭଲ ପାଉଥିଲେ, ଆଜି ବି ଭଲ ପାଉଛନ୍ତି ଓ ସବୁଦିନ ଭଲ ପାଉଥିବେ । ଡିସେମ୍ବର ୨ ତାରିଖରେ ଏହି ଫଟୋକୁ ସେୟାର କରିଛନ୍ତି ଦୂତି ।

ନିଜ ଭଉଣୀର ବିବାହ ସମୟର ଏହି ଫଟୋକୁ ନିଜ ସୋସିଆଲ ମିଡିଆ ଆକାଉଂଟରେ ସେୟାର କରିଛନ୍ତି ଦୂତୀ । ଏପରିକି ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ମଧ୍ୟ ଅନେକ ୟୁଜର୍ସ ତାଙ୍କୁ ବିବାହ ପାଇଁ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଛି । ଗଣମାଧ୍ୟମରେ ଚର୍ଚ୍ଚା ଭିତରେ କନକ ନ୍ୟୁଜ୍କୁ ସ୍ପଷ୍ଟିକରଣ ଦେଇଛନ୍ତି ଦୂତୀ । କହିଛନ୍ତି, ଭଉଣୀ ବାହାଘର ଅବସରରେ ସାଥୀଙ୍କ ସହ ଏହି ଫଟୋ ଉଠାଇଥିଲେ । ତେବେ ଖୁବ ଶୀଘ୍ର ସେ ବିବାହ କରିବେ ।

ନିଜ ଗାଁର ଝିଅ ମୋନାଲିସାଙ୍କ ସହ ସମଲିଙ୍ଗୀ ସର୍ମ୍ପକରେ ଥିବା ନେଇ ୨୦୧୯ରେ ଖୁଲାସା କରିଥିଲେ ଏହି ଧାବିକା । ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ନିଜ ସମ୍ପର୍କକୁ ନେଇ ନିଜେ ପ୍ରତିକ୍ରିୟା ରଖିଥିଲେ ଓଡ଼ିଶାର ଏହି ଆଥ୍ଲେଟ୍ । ଆଉ ସେହି ସମୟରେ ଏହାକୁ ନେଇ ଜାତୀୟ ସ୍ତରରେ ବେଶ ଚର୍ଚ୍ଚା ହୋଇଥିଲା । ଏବେ ମୋନାଲିସାଙ୍କୁ ବିବାହ କରିବେ ବୋଲି ସୋସିଆଲ ମିଡିଆରେ ଖୁଲାସା କରି ସବୁ ବିବାଦର ଅନ୍ତ ଘଟାଇଛନ୍ତି ଅଲିମ୍ପିୟାନ ଦୂତି ଚାନ୍ଦ ।