ବଦଳିଲା ରାଜୀବ ଗାନ୍ଧୀ ଖେଳରତ୍ନ ଆୱାର୍ଡର ନାଁ । ଏଣିକି ଧ୍ୟାନଚାନ୍ଦଙ୍କ ନାଁରେ ଦିଆଯିବ ପୁରସ୍କାର । ଇରଫାନ ପଠାନ କହିଲେ, କ୍ରିକେଟରଙ୍କ ନାଁରେ ହେଉ ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ ।

199

କନକ ବ୍ୟୁରୋ: ମୋଦୀ ସରକାରଙ୍କ ଦ୍ୱାରା କୌଣସି ସ୍ଥାନ କିମ୍ବା କିଛି ନାମ ପରିବର୍ତ୍ତନ କରିବା ନୂଆକଥା ନୁହେଁ । କିଛି ନାମକରଣ ଅତ୍ୟଧିକ ଭାବରେ ପ୍ରଚଳିତ ହୋଇଥିବାବେଳେ ଆଉ କିଛିର ନାମକରଣ ବହୁତ ସମାଲୋଚିତ ହୋଇଛି । ଚଳିତ ଥର ଟୋକିଓ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଚମକ୍ରାର ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସର୍ବୋଚ୍ଚ ଖେଳ ପୁରସ୍କାର ଖେଳରତ୍ନର ନାମ ହକିର ଯାଦୁଗର କୁହାଯାଉଥିବା ମେଜର ଧ୍ୟାନଚାନ୍ଦଙ୍କ ନାମ ଅନୁସାରେ ଦେବା ପାଇଁ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଗୋଟିଏ ଟ୍ୱିଟ ମାଧ୍ୟମରେ ଏହି ଘୋଷଣା କରି ଲେଖିଥିଲେ ମେଜର ଧ୍ୟାନ ଚାନ୍ଦ ତାଙ୍କ ଖେଳ ଯାଦୁଗରୀ ମାଧ୍ୟମରେ ଦେଶ ପାଇଁ ଗୌରବ ଆଣିଥିଲେ, ଲୋକଙ୍କ ଭାବନାକୁ ସମ୍ମାନ ଦେବାକୁଯାଇ ଖେଳରତ୍ନ ପୁରସ୍କାରର ନା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ନାଁରେ ନାମିତ କରାଯାଉଛି । ଯାହାର ନାଁଁ ପୂର୍ବରୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଥିଲା ।

ସାସିଆଲ ମିଡିଆରେ ସାଧାରଣ ଲୋକ ଏହି ନିର୍ଣ୍ଣୟକୁ ସ୍ୱାଗତ କରିଛନ୍ତି କିନ୍ତୁ ନିଆରା ଅନ୍ଦାଜରେ । ସେମାନେ ଲେଖିଛନ୍ତି ଖେଳ ସହ ସମ୍ପର୍କିତ ପୁରସ୍କାରର ନାଁ ରାଜନେତା ନୁହେଁ ବରଂ ଖେଳାଳୀଙ୍କ ନାମ ଅନୁସାରେ ହେବା ଦରକାର କିନ୍ତୁ ଲୋକମାନେ ଏହାସହ ଆଉ ଗୋଟିଏ କଥା କହିବାକୁ ଭୁଲିନାହାନ୍ତି ଯେ ଅହମଦାବାଦ ଷ୍ଟାଡିୟମର ନାଁ ନରେନ୍ଦ୍ର ମୋଦୀଙ୍କ ନାମରେ କାହିଁକି କରାଯାଇଛି । ଏହାର ନାମ ମଧ୍ୟ କୌଣସି ଖେଳାଳିଙ୍କ ନାମ ଅନୁସାରେ କରାଯାଉ ବୋଲି କିଛି ବିପକ୍ଷର ନେତା ଓ କିଛି ଟ୍ୱିଟର ୟୁଜର୍ସଙ୍କ ଦ୍ୱାରା କୁହାଯାଇଛି ।

ଦିଲ୍ଲୀର ଷ୍ଟାଡିୟମର ନାଁ ମଧ୍ୟ ଅରୁଣ ଜେଟଲୀଙ୍କ ନାମରେ ନାମିତ କରାଯାଇଛି । ଏହାକୁ ମଧ୍ୟ କିଛି ଖେଳାଳିଙ୍କ ନାମ ଅନୁସାରେ କରାଯାଉ ବୋଲି ୟୁଜର୍ସ କହିଛନ୍ତି । ଇର୍ଫାନ ପଠାନ ମଧ୍ୟ ଏହାକୁ ନେଇ ନିଜର ମତ ରଖିଛନ୍ତି ସେ ଲେଖିଛନ୍ତି ଏହି ନାମକରଣକୁ ମୁଁ ସ୍ୱାଗତ କରୁଛି । ସ୍ପୋର୍ଟସ୍ ଷ୍ଟାଡିୟମର ନାମକରଣରେ ମଧ୍ୟ ଖେଳାଳିଙ୍କ ନାମ ଆଗକୁ କରାଯିବ ବୋଲି ଆଶା ପୋଷଣ କରାଯାଉଛି । ୟୁଟ୍ୟୁବର ଧ୍ରୁବରାଠେ ଲେଖିଛନ୍ତି ଏହି ନାମକରଣ ସ୍ୱାଗତଯୋଗ୍ୟ । ସ୍ପୋର୍ଟସ୍ ଷ୍ଟାଡିୟମରୁ ମଧ୍ୟ ରାଜନେତାଙ୍କ ନାମ ହଟାଯିବ ବୋଲି ସେ କହିଛନ୍ତି । ଗୁଜୁରାଟର ନେତା ଶଙ୍କର ସିଂ ବାଘେଲା କହିଛନ୍ତି ଧ୍ୟାନଚାନ୍ଦଙ୍କ ନାଁ ଭଳି ନରେନ୍ଦ୍ର ମୋଦୀ ଷ୍ଟାଡିୟମର ନାଁ ମଧ୍ୟ ପରିବର୍ତ୍ତନ କରି ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ନାମିତ କରାଯାଉ ।