ଦେଶର ସର୍ବୋଚ୍ଚ ସମ୍ମାନକୁ ନେଇ ଉଠିଲା ପ୍ରଶ୍ନ! ରାଜନୀତିର ଗନ୍ଧ ବାରିଲେ କିଛି ବର୍ଗର ଲୋକ, ଜାଣନ୍ତୁ ଭାରତ ରତ୍ନର ଭିତିର କଥା !

484

କନକ ବ୍ୟୁରୋ : ଗୋଟିଏ ପଟେ ନିର୍ବାଚନ ଥିବାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ଗୀତା ମେହେଟ୍ଟା ମନା କରିଦେଇଥିବା ବେଳେ ଆଉଗୋଟେ ପଟେ ଭାରତ ରତ୍ନ ପୁରସ୍କାରକୁ ନେଇ ଉଠିଛି ପ୍ରଶ୍ନ । ବିଶେଷ କରି ପୂର୍ବତନ ରାଷ୍ଟ୍ରପତି ପ୍ରବଣ ମୁର୍ଖାଜୀ ଏବଂ ସଂଗୀତକାର ଭୁପେନ ହଜାରିକାଙ୍କୁ ଦେଶର ସର୍ଚ୍ଚୋଚ୍ଚ ସମ୍ମାନ ଦେବା ନେଇ ଘୋଷଣା ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ଦେଶର କିଛି ବର୍ଗର ଲୋକ । ପଶ୍ଚିମବଙ୍ଗରେ ଭୋଟ୍ ରାଜନୀତିକୁ ପ୍ରଭାବିତ କରିବା ପାଇଁ ପ୍ରଣବ ମୁର୍ଖାଜୀଙ୍କୁ ଏହି ସମ୍ମାନ ଦିଆଯାଉଥିବା ନେଇ ଚର୍ଚ୍ଚା ଜୋରଧରିଥିବା ବେଳେ ଏନଆରସି ବିବାଦକୁ ଶାନ୍ତ କରିବା ପାଇଁ ଭୁପେନ ହଜାରିକାଙ୍କୁ ଅସ୍ତ୍ର କରାଯାଉଥିବା କୁହାଯାଉଛି ।

ବିଜେପି ଶାସନ ଅମଳରେ, କଂଗ୍ରେସର ପୁରୁଖା ନେତାଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ପାଇଁ ବଛାଯିବା ଦେଶର ରାଜନୀତିକୁ ସରଗରମ କରିଦେଇଛି । ଜୀବନବ୍ୟାପି କଂଗ୍ରେସ ରାଜନୀତି ସହ ଜଡ଼ିତ ଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରବଣ ମୂଖାର୍ଜୀଙ୍କୁ ଭାରତ ରତ୍ନ ସମ୍ମାନ ଦେବା ପାଇଁ ତାଙ୍କ ନାଁ ଘୋଷଣା ହେବା ପରେ, ଏଥିରେ ରାଜନୀତିର ଗନ୍ଧ ବାରିଛନ୍ତି ଦେଶର କିଛିବର୍ଗ ଲୋକ ।

ମୁଖ୍ୟତଃ ଦୁଇଟି କାରଣରୁ ଏହି ସମ୍ମାନ ପଛରେ ରାଜନୀତି ଥିବାର କୁହାଯାଉଛି । ପ୍ରଥମ କାରଣ ହେଉଛି-ବଙ୍ଗାଳି ଭାବପ୍ରବଣତାକୁ ଜାଗ୍ରତ କରି ପଶ୍ଚିମବଙ୍ଗରେ ମମତା ସରକାରକୁ ମୁକାବିଲା କରିବା । ଏବଂ ଦ୍ୱିତୀୟ କାରଣଟି ହେଉଛି-ପ୍ରବଣ ମୁଖାର୍ଜୀଙ୍କ ଆରଏସଏସ୍ ମୁଖ୍ୟାଳୟ ଗସ୍ତକୁ ଭାରତ ରତ୍ନ ପୁରସ୍କାର ସହ ଯୋଡ଼ିବାର ପ୍ରୟାସ ।

୭ ଜୁନ ୨୦୧୮ । ଆରଏସଏସ୍ ମୁଖ୍ୟାଳୟ । କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କ ବାରଣ ସତ୍ୱେ ନାଗପୁର ଆରଏସଏସ୍ କାର୍ଯ୍ୟାଳୟରେ ପହଂଚିଥିଲେ ପ୍ରଣବ ମୁର୍ଖାଜୀ । ଆଉ ସେଠି-ଗଣତନ୍ତ୍ର, ରାଷ୍ଟ୍ରଭକ୍ତି ଏବଂ ରାଷ୍ଟ୍ରବାଦର ବାର୍ତା ରଖିଥିଲେ । ଏପଟେ କିନ୍ତୁ ଏହି ସମ୍ମାନକୁ ସାଦରେ ଗ୍ରହଣ କରିଥିବା କହିଛନ୍ତି ଖୋଦ୍ ପ୍ରଣବ ମୁର୍ଖାଜୀ ।

ଦ୍ୱିତୀୟରେ ଭାରତ ରତ୍ନ ସମ୍ମାନ ଜରିଆରେ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ଭାବପ୍ରବଣତାକୁ ସ୍ପର୍ଶ କରିବାକୁ ବିଜେପି ଉଦ୍ୟମ କରୁଛି ବୋଲି କୁହାଯାଉଛି । ପଶ୍ଚିମବଙ୍ଗରେ ଟିଏମସି ଏବଂ ବିଜେପି ଭିତରେ କଡ଼ା ପ୍ରତିଯୋଗିତା ହେଉଥିବା ବେଳେ ଏହି ସମ୍ମାନ ଜରିଆରେ ବିଜେପି ଗୋଟିଏ ପାଦ ଆଗରେ ରହିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି ।

ଅନ୍ୟପଟେ ହଜାରିକାଙ୍କୁ ‘ଭାରତ ରତ୍ନ’ ନେଇ ବି ଉଠୁଛି ପ୍ରଶ୍ନ । ଭାରତରେ ବାଂଲାଦେଶୀ ଅନୁପ୍ରବେଶକାରୀ ଏବଂ ଏହାକୁ ନିୟମନ୍ତ୍ରଣ କରିବା ପାଇଁ ଭାରତ ସରକାରଙ୍କ ସିଟିଜନସିପ୍ ବିଲ୍ ବା ଏନଆରସି ତାଲିକାକୁ ନେଇ ଏବେ ଅଡୁଆ ସୁତାରେ ଛନ୍ଦି ହୋଇଛି କେନ୍ଦ୍ରର ଏନଡିଏ ସରକାର । ହୁଏତ, ଏହି ସମ୍ମାନ ଜରିଆରେ ଏହି ବିବାଦକୁ ପ୍ରସମିତ କରିବାକୁ ବିଜେପି ସରକାର ଉଦ୍ୟମ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ଭାରତ ରତ୍ନ ଭଳି ସମ୍ମାନକୁ ନେଇ ପୂର୍ବରୁ ହୁଏତ ଆଗକୁ ଏଭଳି ବିବାଦ ଦେଖିବାର ନଜିର ନାହିଁ । କିନ୍ତୁ ଏବେ ଏହାକୁ ନେଇ ଜୋରଦାର ବିତର୍କ ହେଉଛି । ଆଉ ଏହି ବିତର୍କର କାରଣ ହେଉଛି ଆଗକୁ ଅଛି ୨୦୧୯ ସାଧାରଣ ନିର୍ବାଚନ ।