ସଂଖ୍ୟାଲଘୁ ମନ୍ତ୍ରାଳୟର ମନ୍ତ୍ରୀ ହେଲେ ସ୍ମୃତି ଇରାନୀ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଇସ୍ପାତ ମନ୍ତ୍ରାଳୟର ଦାୟିତ୍ୱ । ନକଭୀ, ଆରସିପିଙ୍କ ବିଦାୟ ପରେ ଏହି ନେତାଙ୍କୁ ମିଳିଲା ଦୁଇ ମନ୍ତ୍ରାଳୟର ମନ୍ତ୍ରୀପଦ । 

493

କନକ ବ୍ୟୁରୋ: କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରାଳୟର ମନ୍ତ୍ରୀ ହେଲେ କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ । ତାଙ୍କ ସହିତ ବେସାମରିକ ବିମାନ ଚଳାଚଳ ବିଭାଗର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର ମନ୍ତ୍ରୀ ପଦ ପ୍ରଦାନ କରାଯାଇଛି । ମୋଦୀ କ୍ୟାବିନେଟରୁ ମୁଖତାର ଆବାସ ନକଭୀ ଓ ଆରସିପି ସିଂହ ବିଦାୟ ନେବା ପରେ ଏହି ଦୁଇ ମନ୍ତ୍ରୀଙ୍କ ଏହି ଦୁଇ ମନ୍ତ୍ରାଳୟର ଦାୟିତ୍ୱ ପ୍ରଦାନ କରାଯାଇଛି ।

ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ହରେଇ ଆମେଥୀରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସକୁ ବାଏ ବାଏ କହି ବିଜେପିରେ ସାମିଲ ହେବା ସହିତ ମଧ୍ୟପ୍ରଦେଶରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଆଉ ମୋଦୀ କ୍ୟାବିନେଟରେ ଏହି ଦୁଇ ନେତାଙ୍କୁ ମନ୍ତ୍ରୀପଦ ମଧ୍ୟ ମିଳିଥିଲା । ହେଲେ ଆଜି କ୍ୟାବିନେଟରୁ ଦୁଇ ବଡ ନେତା ଇସ୍ତଫା ଦେବା ସହିତ ଏହି ଦୁଇ ନେତାଙ୍କୁ ପୁଣି ଦୁଇଟି ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି ।

ପୂର୍ବରୁ ସଂଖ୍ୟାଲଘୁ ମନ୍ତ୍ରାଳୟର ମନ୍ତ୍ରୀ ପଦରେ ଥିବା ମୁଖତାର ଆବାସ ନକଭୀ ଆଜି ମୋଦୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ସେ ନିଜର ଇସ୍ତଫା ଦେଇଥିଲେ । ଏହା ପୂର୍ବରୁ ସେ ଆଜି କ୍ୟାବିନେଟ୍ ବୈଠକରେ ସାମିଲ ହୋଇଥିଲେ । ଯେଉଁଠି ମୋଦୀ ତାଙ୍କର ଖୁବ୍ ପ୍ରଶଂସା କରିଥିଲେ । ସେହିପରି ଇସ୍ପାତ ବିଭାଗର ମନ୍ତ୍ରୀ ଥିବା ଆରସିପି ସିଂହ ମଧ୍ୟ କ୍ୟାବିନେଟରୁ ବିଦାୟ ନେଇଛନ୍ତି ।