ସ୍ମିତାଲିଙ୍କୁ ମିଳିବ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ : ମନ୍ତ୍ରୀ କହିଲେ, ଦୁଇ ଦିନ ଭିତରେ ଡୁପ୍ଲିକେଟ ସାର୍ଟିଫିକେଟ ଦେବାକୁ ଦିଆଯାଇଛି ସ୍ୱତନ୍ତ୍ର ନିର୍ଦ୍ଦେଶ

198

କନକ ବ୍ୟୁରୋ : ସ୍ମିତାଲିଙ୍କୁ ମିଳିବ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କହିଛନ୍ତି କନକ ନ୍ୟୁଜ ମାଧ୍ୟମରେ ଏହି ଖବର ପାଇବା ପରେ ଦୁଇ ଦିନ ଭିତରେ ଡୁପ୍ଲିକେଟ ସାର୍ଟିଫିକେଟ ଦେବା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି । ସ୍ମିତାଲିଙ୍କ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ହଜିବା କାରଣରୁ ସେ ତିନି ବର୍ଷ ହେଲା ପାଠପଢ଼ାରୁ ବଂଚିତ ହୋଇଛନ୍ତି ।

ରମାଦେବୀ କଲେଜରେ ଆଡମିଶନ କରିବାକୁ ଯାଇ ବିଫଳ ହେବା ପରେ ଏହି ଖବର କନକ ନ୍ୟୁଜ ସାମନାକୁ ଆସିଥିଲା । ଯାହା ଜଣାପଡିଥିଲା ଝିଅଟିର ସାର୍ଟିଫିକେଟଟି ହଜିଯିବା ପରେ ତିନି ବର୍ଷ ହେଲା ଡୁପ୍ଲିକେଟ୍ ସାଟିଫିକେଟ ପାଇଁ ପଢ଼ୁଥିବା ସ୍କୁଲକୁ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ତାଙ୍କୁ ଦେଇ ନଥିଲେ ପ୍ରଧାନଶିକ୍ଷକ ।

ସ୍କୁଲ ଲିଭିଙ୍ଗ ଥରେ ହଜିଲେ ଏହାକୁ ପୁଣି ଥରେ ଦେବା ପାଇଁ କୌଣସି ନିୟମ ନଥିବା କହି ଏଡାଇ ଯାଇଥିଲେ ଉଚ୍ଚ କର୍ତ୍ତୃପକ୍ଷ । ଶେଷରେ ସ୍ମିତାଲି କାନ୍ଦି କାନ୍ଦି କହିଥିଲେ କଣ ସାଟିଫିକେଟ ହଜିଗଲା ବୋଲି ସେ ଆଉ ପାଠପଢ଼ି ପାରିବେନି । ଏପରିକି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବା ସହ ତାଙ୍କ କଥା ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ।