ଦୁର ହେବ ଇଲେକ୍ଟ୍ରିକ୍ ବାହାନ ଚାର୍ଜିଂ ସମସ୍ୟା । ରାସ୍ତାରେ ଗଡିବ, ଆପେ ଆପେ ଚାର୍ଜ ହେବ

204

କନକ ବ୍ୟୁରୋ : ଏଣିକି ଇଲେକ୍ଟ୍ରିକ୍ ଗାଡିକୁ ଚାର୍ଜ କରିବା ନେଇ ଚିନ୍ତା ରହିବ ନାହିଁ । ରାସ୍ତାରେ ଚାଲୁଥିବା ଅବସ୍ଥାରେ ଗାଡି ଚାର୍ଜ ହୋଇପାରିବ । କୌଣସି ଚାର୍ଜିଂ ପିନ୍ କିମ୍ବା କୌଣଲି ତାରର ବ୍ୟବହାର ନହୋଇ ବି ଚାର୍ଜ ହୋଇପାରିବ ଇଲେକ୍ଟ୍ରିକ୍ ଗାଡି । ଆସୁନ୍ତୁ ଜାଣିବା କେମିତି…
ପେଟ୍ରୋଲ-ଡିଜେଲ ଚାଳିତ ଗାଡି ଚାଲିବା ଦ୍ୱାରା ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରିକ୍ ଗାଡି ବାହାର କରାଯାଇଥିଲେ ବି ଚାର୍ଜିଂକୁ ନେଇ ବଡ ସମସ୍ୟା ଦେଖିବାକୁ ମିଳିଛି । ଦୁର ସ୍ଥାନକୁ ଇଲେକ୍ଟ୍ରିକ୍ ଗାଡି ନେଇକି ଯିବା ଆସିବା କରିବା ପାଇଁ ଲୋକଙ୍କ ଭରୋଷା ପାଉନାହିଁ । କାହିଁକି ନା ପେଟ୍ରୋଲ ପମ୍ପ ଭଳି ଇଲେକ୍ଟ୍ରିକ୍ ଗାଡିକୁ ଚାର୍ଜ କରିବା ପାଇଁ କୌଣସି ଚାର୍ଜିଂ ପଏଣ୍ଟ୍ ନାହିଁ । ଏଭଳି ପରିସ୍ଥିତିରେ ଇଲେକ୍ଟ୍ରିକ୍ ଗାଡିକୁ ଦୁର ସ୍ଥାନକୁ ନେଇଯିବା ସମ୍ଭବ ହୋଇପାରୁନି । କିନ୍ତୁ ବର୍ତ୍ତମାନ ଇଲେକ୍ଟ୍ରିକ୍ ଗାଡି ଚାର୍ଜିଂକୁ ନେଇ ଥିବା ଚିନ୍ତା ଦୂର ହେବାକୁ ଯାଉଛି ।
ପ୍ରକାଶ ପାଇଥିବା ମିଡିଆ ରିପୋର୍ଟ ଅନୁଯାୟୀ, ସ୍ୱିଡେନର ଏକ ଟିମ୍ ଇଲେକ୍ଟ୍ରିକ୍ ବାହାନକୁ ଚାର୍ଜ କରିବା ପାଇଁ ‘ସ୍ମାର୍ଟ ରୋଡ୍’ ନିର୍ମାଣ କରିଛନ୍ତି । ନିର୍ମାଣ ହୋଇଥିବା ଏହି ରାସ୍ତା ଉପରେ ଗାଡି ଚାଲିବା ମାତ୍ରେ ଆପେ ଆପେ ଚାର୍ଜ ହେବା ଆରମ୍ଭ ହୋଇଯିବ । ସବୁଠୁ ବଡକଥା ହେଉଛି ଏହି ରାସ୍ତାରେ ଚାର୍ଜିଂ ପଏଣ୍ଟ୍ ସହ ସଞ୍ଜୋଗ କଲାଭଳି କୌଣସି ତାର ନଥିବ । ଏହି ସ୍ମାର୍ଟ ରୋଡ ୧.୬ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ରହିଛି । ଚାର୍ଜ କରିବା ପାଇଁ ଗାଡିକୁ ଏହି ରାସ୍ତାରେ ଚଲାଇବାକୁ ପଡିବ । ସ୍ମାର୍ଟ ରୋଡ୍ ଦେଖିବାକୁ ସାଧାରଣ ପିଚୁ ରାସ୍ତା ପରି । ଏହି ଦୁନିଆର ପ୍ରଥମ ଏପରି ରାସ୍ତା ଯାହା ଇଲେକ୍ଟ୍ରିକ୍ ବସ୍ ଏବଂ ଟ୍ରକକୁ ବି ଚାର୍ଜ କରିପାରିବ ।
ଏଣିକି ଲଙ୍ଗ୍ ଡ୍ରାଇଭରେ ଯାଇପାରିବେ ଇଲେକ୍ଟ୍ରିକ୍ ବାହାନ ବ୍ୟବହାର କରୁଥିବା ବ୍ୟବହାରକାରୀ । ଗୋଟେ ଥର ଚାର୍ଜ କଲେ ଗାଡି କେତେ ବାଟ ଯିବ? ଏହି ପ୍ରଶ୍ନ ଆଉ ଲୋକଙ୍କ ମନରେ ଆସିବ ନାହିଁ । କାରଣ ସ୍ମାର୍ଟ ରୋଡ୍ ତିଆରି ହେବା ପରେ ଯେତେ ଦୂର ଚାହିବେ ସେତେ ଦୂର ଯାଇପାରିବେ ଇଲେକ୍ଟ୍ରିକ୍ ଗାଡି ବ୍ୟବହାରକାରୀ । ତେବେ ଏହି ସ୍ମାର୍ଟ ରୋଡକୁ ନେଇ ଲୋକଙ୍କ ମନରେ ଆଉ ଏକ ପ୍ରଶ୍ନ ମଧ୍ୟ ଉଠିଥିବ ନିଶ୍ଚୟ । କି ଯଦି ରାସ୍ତା ଉପରେ ଗାଡି ଚାଲିଲେ ଗାଡି ଚାର୍ଜ ହୋଇଯାଉଛି ତାହେଲେ ଯଦି କୌଣସି ଲୋକ ଏହ ରାସ୍ତାରେ ଚାଲିକି ଯିବେ ତାହେଲେ ତାଙ୍କୁ କରେଣ୍ଟ ମାରିବ ନା ନାହିଁ ? ଏହି ପ୍ରଶ୍ନର ଉତ୍ତର ଦେଇ ନିର୍ମାତାକାରୀ ଟିମ୍ କହିଛନ୍ତି । ଏଥିରେ ବ୍ୟବହାର କରାଯାଇଥିବା ତାର ରାସ୍ତା ତଳେ ରହିବ । ଏହା ଉପରେ ଚାଲିଲେ କୌଣସି ବିଜୁଳି ଆଘାତ ଲାଗିବ ନାହିଁ ବୋଲ ସ୍ପଷ୍ଟ କରାଯାଇଛି