ସରକାରୀ ସ୍କୁଲରେ ସ୍ମାର୍ଟ ଶିକ୍ଷା : ଚର୍ଚ୍ଚାରେ ବରଗଡ଼ ଜିଲ୍ଲା ଲେବିଡ଼ି ହାଇସ୍କୁଲ; କମ୍ପ୍ୟୁଟର ଓ ପ୍ରୋଜେକ୍ଟରରେ ଚାଲିଛି ଛାତ୍ରଛାତ୍ରୀଙ୍କ ପାଠପଢ଼ା

କୋଭିଡ୍ ସତର୍କତା ପାଇଁ ସ୍କୁଲ କର୍ତୃପକ୍ଷ ନେଇଛନ୍ତି ସମସ୍ତ ପଦକ୍ଷେପ

92

କନକ ବ୍ୟୁରୋ : ପାଠପଢ଼ାର ଏହି ଶୈଳୀ ଓ ପ୍ରଣାଳୀ ଦେଖିଲେ, ଯେକେହି ବି ଭାବି ନେବ ଯେ, ଇଏ କୌଣସି ଘରୋଇ ସ୍କୁଲର ପାଠପଢ଼ା ବ୍ୟବସ୍ଥା । ଅଡିଓ ଭିଡିଓ ମାଧ୍ୟରେ ସରକାରୀ ସ୍କୁଲରେ ଚାଲିଛି କ୍ଲାସ୍ । ଶ୍ରେଣୀ ଗୃହରେ କମ୍ପ୍ୟୁଟର ଲାଗିଛି, ପ୍ରୋଜେକ୍ଟରରେ ଶିକ୍ଷାଦାନ ହେଉଛି । ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ଲେବିଡ଼ି ହାଇସ୍କୁଲରେ ଏବେ ଚାଲିଛି ସ୍ମାର୍ଟ କ୍ଲାସ୍ । ବିଜ୍ଞାନ ହେଉ କି ଗଣିତ, ଭୂଗୋଳ ହେଉକି ହିନ୍ଦୀ । ସରକାରୀ ସ୍କୁଲରେ ଡିଜିଟାଲ ମାଧ୍ୟମର ପାଠପଢ଼ା ସୁବିଧା ପାଇ ବେଶ ଖୁସିରେ ପାଠ ପଢ଼ୁଛନ୍ତି ।

କରୋନା କାଳରେ ପାଠପଢ଼ା ବେଳେ ସକର୍ତକାକୁ ବି ବେଶ ଗୁରୁତ୍ୱ ଦେଇଛନ୍ତି ସ୍କୁଲ କର୍ତୃପକ୍ଷ । ଛାତ୍ରଛାତ୍ରୀମାନେ ସ୍କୁଲ ପ୍ରବେଶ କରିବା କ୍ଷଣି, ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି । ସାମାଜିକ ଦୂରତା ବଜାୟ ରଖି ସ୍କୁଲ ଆସୁଥିବା ପିଲାଙ୍କ ପାଇଁ ସ୍କୁଲ ପରିସରରେ ହ୍ୟାଣ୍ଡ ସାନିଟାଇଜରର ବ୍ୟବସ୍ଥା ହୋଇଛି । ଏବଂ ପିଲାମାନେ ମାସ୍କ ପରିଧାନ କରି କ୍ଲାସ୍ କରୁଛନ୍ତି ।

କେବଳ ସେତିକି ନୁହେଁ, ସ୍କୁଲର ପରିବେଶ ସମସ୍ତଙ୍କୁ ଆକର୍ଷିତ କରିବା ଭଳି ଗଢ଼ି ତୋଳିଛନ୍ତି ସ୍କୁଲ କର୍ତୃପକ୍ଷ । ସ୍କୁଲ ପରିସରରେ ଭଳିକି ଭଳି ଫୁଲ ଗଛ ଓ ଔଷଧୀୟ ଗଛ ଲଗାଯାଇଛି, ଯାହା ଏକ ପାର୍କର ଭ୍ରମ ସୃଷ୍ଟି କରୁଛି ।