ଓଡ଼ିଆ ଗଳ୍ପର ନବଜାତକ ‘କଥା’ର ବାର୍ଷିକ ଉତ୍ସବ । ଯୋଗଦେଲେ ଦେଶର ବିଶିଷ୍ଟ ଲେଖକ ପରେଶ ନାଥ ଓ ବଳରାମ, ୯ ଜଣ ଯୁବ ଲେଖକଙ୍କୁ ମିଳିଲା କଥା ନବ ପ୍ରତିଭା ପୁରସ୍କାର ।

51

କନକ ବ୍ୟୁରୋ: ଲେଖିବା ପାଇଁ ସାହସ ରଖିବା ଦରକାର । ଆଜି ଲେଖିବାକୁ ଡରୁଛନ୍ତି । ସମ୍ପାଦକ ଓ ଲେଖକମାନେ ଯଦି ସତ ଲେଖିବା ପାଇଁ ଡରିବେ, ତେବେ ସେମାନେ ସାମ୍ବାଦିକତା ଛାଡିଦେବା ଉଚିତ ବୋଲି କହିଛନ୍ତି ବିଶିଷ୍ଟ ସାହିତ୍ୟିକ ବଳରାମ । ଏହା ସହ ଦେଶର ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ସେ କହିଛନ୍ତି, ଦେଶ ବାମ କି ଡାହାଣକୁ ନୁହେଁ ସିଧା ଦେଖିବା ଆବଶ୍ୟକ । ତେବେ ଯାଇ ଦେଶର ସାମଗ୍ରିକ ବିକାଶ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି । ନୂଆ ନୂଆ ଲେଖକ ଆସିଲେ ନୂଆ ନୂଆ ଚିନ୍ତା ସୃଷ୍ଟି ହେବ । ତେଣୁ କଥା ପତ୍ରିକା ନୂଆ ପ୍ରତିଭାଙ୍କୁ ସୁଯୋଗ ଦେଉଥିବା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କହିଛନ୍ତି ବିଶିଷ୍ଟ ଲେଖକ ପରେଶ ନାଥ ।

ପାଠକ ମନକୁ ଛୁଇଁଲା ପରି ଲେଖା ଆମେ ଲେଖିଲେ ହିଁ ନୂଆ ପାଠକ ସୃଷ୍ଟି ହେବେ ଓ ଲେଖା ପଢିବେ । ତେଣୁ ଯୁବ ଲେଖକମାନେ ସେହିପରି ଲେଖା ଲେଖନ୍ତୁ ବୋଲି କହିଛନ୍ତି ପରେଶ ନାଥ । ଓଡିଆ ଗଳ୍ପର ନବଜାତକ କଥାର ୩୪ତମ ବାର୍ଷିକ ଉତ୍ସବ ଅବସରରେ ଏହି ବକ୍ତବ୍ୟ ରଖିଛନ୍ତି ଉତ୍ସବର ମୁଖ୍ୟ ଅତିଥି ପରେଶ ନାଥ ଓ ମୁଖ୍ୟ ବକ୍ତା ବଳରାମ । ଏହି ଅବସରରେ ୯ ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଥିଲା । ସାଂପ୍ରତିକ ପରିସ୍ଥିତିରେ କଥାର ପ୍ରାସଙ୍ଗିକତା ବିଷୟରେ କହିବା ସହ ଭାଷାକୁ ବଂଚାଇବା, ସଂପୃଦ୍ଧି ଓ ସୁରକ୍ଷିତ କରିବାକୁ ଗଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ଗପ ଲେଖିବା ପାଇଁ ବୟସର କୌଣସି ଗୁରୁତ୍ୱନାହିଁ । ତେଣୁ ସବୁ ବର୍ଗର ବ୍ୟକ୍ତି ଗଳ୍ପ ଲେଖି ପାରିବେ ବୋଲି ନିଜ ଅଭିଭାଷଣରେ କହିଛନ୍ତି ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ।

ଏହି ଅବସରରେ ଓଡିଶାର ୪ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ କନକ ମଂଜରୀ ମେଧାବୃତି ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ମୋନିକା ନାୟର ପଟ୍ଟନାୟକ, କଥାର ସଂପାଦକ ଗୌରହରି ଦାସ ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ । କଥାର ବାର୍ଷିକ ଉତ୍ସବରେ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । କୋଭିଡ୍ କଟକଣା ମଧ୍ୟରେ କଥାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।