ରାଞ୍ଚି ବିମାନବନ୍ଦରରେ ଓୱେସିଙ୍କୁ କରାଗଲା ସ୍ୱାଗତ । ଭିଡ ଭିତରେ ପଡିଲା, ପାକିସ୍ତାନ ଜିନ୍ଦାବାଦ ନାରା ।

310

କନକ ବ୍ୟୁରୋ : ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କୁ ରାଞ୍ଚି ବିମାନବନ୍ଦରରେ ସ୍ୱାଗତ କଲା ବେଳେ ଶୁଭିଲା ପାକିସ୍ତାନ ଜିନ୍ଦାବାନ୍ଦ ନାରା । ମାଣ୍ଡର ବିଧାନସଭା ଆସନରେ ଉପ-ନିର୍ବାଚନରେ ପ୍ରଚାର ପାଇଁ ଝାଡଖଣ୍ଡରେ ପହଞ୍ଚିଥିଲେ ଅସଦୁଦ୍ଦିନ ।  ଦଳର ବିଧାୟକ ପ୍ରାର୍ଥୀ ଦେବ କୁମାର ଧାନଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ଅସଦୁଦ୍ଦିନ ।

ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ଝାଡଖଣ୍ଡ ବିମାନବନ୍ଦରରେ ଅସଦୁଦ୍ଦିନଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତା ସ୍ୱାଗତ କରିବା ସହ ପାଛୋଟି ନେଇଥିଲେ । ଏହି ସମୟରେ ପ୍ରଂଶସକ ମାନେ ଅସଦୁଦ୍ଦିନ ଜିନ୍ଦାବାଦ ନାରା ପକାଉଥିଲେ । ଆଉ ଏହା ଭିତରେ କିଛି ବ୍ୟକ୍ତି ପାକିସ୍ତାନ ଜିନ୍ଦାବାଦ ନାରା ପକାଉଥିବାର ଦେଖିବାକୁ ମିଳିଥିଲା । ତେବେ ପାକିସ୍ତାନ ଜିନ୍ଦାବାଦ ନାରା କିଏ ଓ କାହିଁକି ପକାଇଲା ସେ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଏଭଳି ନାରା ପଡିବା ପରେ ଅସଦୁଦ୍ଦିନଙ୍କ ପ୍ରଚାରକୁ ନେଇ ବିବାଦ ଆରମ୍ଭ ହୋଇଛି ।

 ଏଭଳି ଘଟଣା ପରେ ରାଞ୍ଚିର ପୋଲିସ ଅଧିକାରୀ କହିଛନ୍ତି, ଅସଦୁଦ୍ଦିନ ଆସିବା ସମୟର ଭିଡ଼ିଓ ଓ ଅଡିଓର ଯାଞ୍ଚ ଚାଲିଛି । ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏହା ପ୍ରଥମଥର ନୁହେଁ ଯେତେବେଳେ ଅସଦୁଦ୍ଦିନଙ୍କ କୌଣସି କାର୍ଯ୍ୟକ୍ରମରେ ପାକିସ୍ତାନ ଜିନ୍ଦାବାଦର ନାରା ପଡିଛି । ଏହାପୂର୍ବରୁ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ବେଳେ ମଧ୍ୟ ଓୱେସିଙ୍କ ମଞ୍ଚରେ ଜଣେ ଯୁବତୀ ଏଭଳି ନାରା ଦେଇଥିଲେ । ଯେଉଁଥିରୁ ପରବର୍ତ୍ତୀ ସମୟରେ ନିଜକୁ ଦୂରେଇ ରଖିଥିଲେ ଓୱେସି ।