ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ନେଇ ସ୍ପଷ୍ଟୀକରଣ ରଖିଲା ମନ୍ଦିର ପ୍ରଶାସନ । କହିଲା, ଉଦ୍ଦେଶ୍ୟମୂଳକ ଭାବେ ମିଛ ଖବର ପ୍ରଚାର କରାଯାଉଛି ।

171

କନକ ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି , ଉଦ୍ଦେଶ୍ୟମୂଳକ ଭାବେ ମିଛ ଖବର ପ୍ରଚାର କରାଯାଇଛି । ଶ୍ରୀମନ୍ଦିରର ୩୫ ହଜାର ଏକର ଜମି ବିକ୍ରି କରାଯାଇଥିବା ନେଇ ଯେଉଁ ଖବର ପ୍ରଚାର ହୋଇଛି ତାହା ମିଛ, ଉଦ୍ଦେଶ୍ୟମୂଳକ ଭାବେ ଏହା କରାଯାଇଛି । ଯେଉଁ ଜମି ଗୁଡିକୁ ଅକ୍ତିଆର କରାଯାଇଛି ତାହା ବର୍ଷ ବର୍ଷ ଧରି ଚାଲିଥିବା ଆଇନଗତ ପ୍ରକ୍ରିୟାରେ ହୋଇଛି ।

୨୦୦୩ ମସିହାରେ ତିଆରି ହୋଇଥିବା ଶ୍ରୀଜଗନ୍ନାଥଙ୍କ ଜମି ସୁରକ୍ଷା ଯୋଜନାରେ କରାଯାଇଛି । ବିଶେଷ ଭାବେ ଜମି ବନ୍ଦୋବସ୍ତରେ ସ୍ୱଛତା ଆଣିବାକୁ ଏହା କରାଯାଇଛି । ୨୦୦୧ ମସିହାରୁ ୨୦୧୦ ମଧ୍ୟରେ ୨୯୧ ଏକର ଏବଂ ୨୦୧୧ରୁ ୨୦୨୧ ମଧ୍ୟରେ ୯୬ ଏକର ଜମି ଯୋଗ୍ୟ ବ୍ୟକ୍ତିଙ୍କୁ ବନ୍ଦୋବସ୍ତ ଜରିଆରେ ଦିଆଯାଇଛି । ସବୁ ଆଇନଗତ ହିସାବରେ ହୋଇଛି ବୋଲି ସ୍ପଷ୍ଟୀ କରଣ ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ଶ୍ରୀମନ୍ଦିରର ୩୫ ହଜାର ଏକର ଜମି ବିକ୍ରି ହେବା କଥା ମଧ୍ୟ ପୁରା ମିଛ ଓ ଉଦ୍ଦେଶ୍ୟମୂଳକ ବୋଲି ସେ କହିଛନ୍ତି । ଏହି ମିଥ୍ୟା ଖବରରେ ରାଜ୍ୟବାସୀ ତଥା ଜଗନ୍ନାଥପ୍ରେମୀ ବିଶ୍ୱାସ ନକରିବାକୁ ସେ ନିବେଦନ କରିଛନ୍ତି ।