ସୁଧୁରୁଛି ବନ୍ୟା ସ୍ଥିତି: ବିପଦ ସଙ୍କେତ ତଳେ ବିଭିନ୍ନ ନଦୀର ଜଳସ୍ତର, ଲୋକଙ୍କୁ ଭୟଭୀତ ନହେବାକୁ ସୂଚନା ଦେଲେ ଏସଆରସି

88

କନକ ବ୍ୟୁରୋ: ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସିଛି । ନଦୀଗୁଡ଼ିକର ଜଳସ୍ତର ବିପଦସଙ୍କେତ ତଳେ ପ୍ରବାହିତ ହେଉଛି । ବନ୍ୟା ସ୍ଥିତି ନାହିଁ ପରିସ୍ଥିତିରେ ସୁଧାର ଆସିଛି ବୋଲି କହିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ । ଏହାସହ ସେ କହିଛନ୍ତି ଯେ, ବନ୍ୟା ପ୍ରଭାବିତଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଓଡ୍ରାଫ୍ ଟିମକୁ ଆବଶ୍ୟକ ସ୍ଥଳେ ନିୟୋଜିତ କରାଯାଇଛି । ୩୨୬ ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ଏସଆରସି କହିଛନ୍ତି । ବର୍ଷା ଜନିତ କାରଣରୁ ୭୨୬ଟି ଘର ଭାଙ୍ଗିଛି । ସମ୍ବଲପୁରର ଧନକଉଡ଼ା ବ୍ଲକ କଳାମାଟିଆରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ବୋଲି ସେ ସୂଚନା ଦେଇଛନ୍ତି । ଜୁଲାଇ ମାସରେ ଅଧିକ ବର୍ଷା ହୋଇଛି । ବୌଦ୍ଧ, କନ୍ଧମାଳ, ଅନୁଗୁଳ, ସୋନପୁର, ସମ୍ପଲପୁର, ବରଗଡ଼ରେ ଅଧିକ ବର୍ଷା ହୋଇଛି ।

ସେପଟେ, କନ୍ଧମାଳ ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା । ଲଗାଣ ବର୍ଷା ଯୋଗୁ ଖଡଗ ନଦୀ, ରାହୁଲ ନଦୀ, ଚାଉଳ ଧୂଆଁ ନଦୀ, ତେଲ ନଦୀ ଭଳି ଛୋଟବଡ ନଦୀ ଗୁଡିକରେ ଜଳସ୍ତର ବଢୁଛି । ଫଳରେ ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲଙ୍କାଗଡ, ଝିରିପାଣି, ଭଣ୍ଡରଙ୍ଗୀର ୩ଟି ପଂଚାୟତ ୩ଦିନ ହେଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଜଳଘେରରେ ରହିଛି । ତୁମୁଡିବନ୍ଧ ଜଳେଶ୍ୱର ମନ୍ଦିର ବର୍ଷାପାଣିରେ ବୁଡି ଯାଇଥିବା ବେଳେ କେବଳ ଉପରମୁଣ୍ଡ ଦେଖାଯାଉଛି । ବାଲିଗୁଡା-ତୁମୁଡିବନ୍ଧ ଦେଇଯାଇଥିବା ୫୯ନମ୍ବର ଜାତୀୟ ରାଜପଥ ଗଦ୍ରିଙ୍ଗିଆ ଘାଟିରେ ୨ଟି କଲଭର୍ଟ ଧୋଇ ହୋଇଯିବାରୁ ୪ରୁ୫ ଘଂଟା ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା । ପ୍ରବଳ ବର୍ଷା ଯୋଗୁ ଏହି ଅଂଚଳରେ ବାସ କରୁଥିବା ଲୋକମାନଙ୍କର ମାଟି ଘରଗୁଡିକର ଅବସ୍ଥା ମଧ୍ୟ ଖରାପ ହୋଇଥିବା ଆଶଙ୍କା କରାଯାଉଛି । ବର୍ଷା ଛାଡିବା ପରେ ଏନେଇ ସଠିକ ତଥ୍ୟ ମିଳିପାରିବ ।

ଲଗାଣବର୍ଷାରେ ବେହାଲ ହୋଇପଡିଛି ସମ୍ବଲପୁର ସହର । ସମ୍ବଲପୁରର ମୁଖ୍ୟ ରାସ୍ତା ଗୁଡିକରେ ୧ଫୁଟ ଜଳ ପ୍ରବାହିତ ହେଉଥିବା ବେଳେ କ୍ଷେତରାଜପୁର, ଏନଙ୍ଗୁଆ, ମୁଦିପଡା, ହାଉସିଂବୋର୍ଡ ଅଂଚଳରେ ଲୋକଙ୍କ ଘରେ ପାଣିପଶିଯିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି । ବର୍ତମାନ ମଧ୍ୟ କିଛି ଅଚଳ ସମ୍ବଲପୁର ସହର ସହ ଯୋଗେଯାଗ ବିଚ୍ଛିନ୍ନ ହୋଇଛି । ପ୍ରଶାସନ ତରଫରୁ ବିଭିନ୍ନ ପଡାରେ ଅସ୍ଥାୟୀ କ୍ୟାମ୍ପ କରାଯାଇ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି ।

ସେହିପରି ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଆଜି ସତ୍ୟବାଦୀରେ ଜଳସମୁଦ୍ର ସୃଷ୍ଟି ହୋଇଛି । ସାକ୍ଷୀଗୋପାଳ ବସଷ୍ଟାଣ୍ଡ ସ୍ଥିତ ନ୍ୟୁ ମାର୍କେଟ କମ୍ପେ୍ଲକ୍ସ କଲୋନୀରେ ପାଣି ପଶି ବ୍ୟାପକ କ୍ଷୟକ୍ଷତି ହୋଇଛି । ଦୋକାନଗୁଡିକରେ ପାଣି ପଶିଯାଇଛି । ଆଖପାଖ ଗ୍ରାମ କାଞ୍ଜିଆ, ଉଆଁସଡିହ, ବଡ କାଞ୍ଜିଆ, ଜୟପୁର, ମହାମାୟା ସାହି, ବାସୁକେରା, ଅହମ୍ମଦପୁର ଆଦି ଗ୍ରାମ ଜଳଘେରରେ ରହିଛି । ପାଣିଘେରରେ ରହିଥିବାରୁ ଲୋକମାନେ ଭୋକଉପାସରେ ଅଛନ୍ତି । ସେମାନଙ୍କ ପାଖରେ ପ୍ରଶାସନ ପହଂଚିପାରିନାହିଁ । ଅନ୍ୟପଟେ ଏନଏଚ ୩୧୬ ଉପରେ ବନ୍ୟା ପାଣି ଚାଲିଛି । ଜଳ ନିଷ୍କାସନ ହୋଇପାରୁନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାରେ ଅଛନ୍ତି ।