ପାକିସ୍ତାନ ଜେଲରେ ୯ ମାସରେ ୬ ଭାରତୀୟ କଏଦୀଙ୍କ ମୃତ୍ୟୁ । ପଢନ୍ତୁ, କଣ କହିଲେ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର…

94

କନକ ବ୍ୟୁରୋ: ପାକିସ୍ତାନ ଜେଲରେ ଗତ ୯ ମାସରେ ୬ ଭାରତୀୟ କଏଦୀଙ୍କ ମୃତ୍ୟୁ ଚିନ୍ତା ବଢ଼ାଇ ଦେଇଛି । ବଡ଼ କଥା ହେଉଛି ସମସ୍ତ କଏଦୀ ସେମାନଙ୍କର ସଜ୍ଜା ପୂରଣ କରିସାରିଥିଲେ । ଏହାସତ୍ତେ୍ୱ ପାକିସ୍ତାନ ସେମାନଙ୍କୁ ମୁକ୍ତ କରିନଥିଲା । ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ । କହିଛନ୍ତି, ମୃତ ୬ ଭାରତୀୟଙ୍କ ମଧ୍ୟରୁ ୫ ଜଣ ମତ୍ସ୍ୟଜୀବୀ ଥିଲେ । ଏ ସମସ୍ତଙ୍କୁ ବେଇଆନ ଭାବେ ଜେଲରେ ବନ୍ଦୀ କରି ରଖାଯାଇଥିଲା, ଯେଉଁମାନେ ନିଜର ଦଣ୍ଡାଦେଶ ପୂରଣ କରିସାରିଥିଲେ । କଏଦୀଙ୍କ ସୁରକ୍ଷାକୁ ନେଇ ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି । ସମସ୍ତ ଭାରତୀୟ କଏଦୀଙ୍କୁ ତୁରନ୍ତ ମୁକ୍ତ କରି ଭାରତକୁ ଫେରାଇ ଆଣିବାକୁ ପାକିସ୍ତାନ ସରକାରଙ୍କୁ ନିବେଦନ କରିଥିବା କହିଛନ୍ତି ବାଗଚୀ । ରିପୋର୍ଟ ଅନୁସାରେ, ପାକିସ୍ତାନ ଜେଲରେ ୩୦୦ରୁ ଅଧିକ ଭାରତୀୟ କଏଦୀ ଅଛନ୍ତି । କିନ୍ତୁ ପଡ଼ୋଶୀ ଦେଶ କହୁଛି, କେବଳ ୨୬୦ ଜଣ କଏଦୀ ବନ୍ଦୀ ଅଛନ୍ତି । ଏମାନଙ୍କ ମଧ୍ୟରୁ କିଛି ସଜା ପୂରଣ କରିସାରିଛନ୍ତି । ତଥାପି ପାକିସ୍ତାନ ସେମାନଙ୍କୁ ମୁକ୍ତ କରୁନାହିଁ ।