ସମ୍ବଲପୁର ଶୀତଳଷଷ୍ଠୀର ଅନ୍ତିମପର୍ବ : କୋଭିଡ କଟକଣା ମଧ୍ୟରେ ସାମାଜିକ ଦୂରତା ରଖି ଚାଲିଛି ଦେବଦମ୍ପତିଙ୍କ ଦର୍ଶନ, ଆଜି ସନ୍ଧ୍ୟାରେ ହେବ ମନ୍ଦିର ପ୍ରବେଶ

48

କନକ ବ୍ୟୁରୋ : ଦେବାଦେବୀ, ଗ୍ରହ, ନକ୍ଷତ୍ର, ଯକ୍ଷ, ମାନବ, କିନ୍ନର ତଥା ସପ୍ତଋଷିଙ୍କ ଉପସ୍ଥିତିରେ ସାକ୍ଷୀ ଗୋପୀନାଥ ଓ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ଧରାପୃଷ୍ଠରେ ସ˚ପୂର୍ଣ୍ଣ ମାନବୀୟ ରୀତିନୀତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦେବାଧିଦେବ ମହାଦେବ ଓ ଜଗତ୍‌ଜନନୀ ପାର୍ବତୀ। ମଙ୍ଗଳ ରାତି ବୁଧ ପାହାନ୍ତିର ମାହେନ୍ଦ୍ର ବେଳାରେ ଶୀତଳଷଷ୍ଠୀର ସହର ସମ୍ବଲପୁରରେ ଶିବ-ପାର୍ବତୀଙ୍କ ହାତ ଗଣ୍ଠି ପଡ଼ିଛି। ଚଳିତ ବର୍ଷ ମନ୍ଦିର ପ୍ରାଙ୍ଗଣ ଓ ସଂଲଗ୍ନ କଲ୍ୟାଣ ମଣ୍ଡପରେ ହିଁ ଲୋକାଚାର ଭିତ୍ତିରେ ଏହି ଅଲୌକିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନବ ବିବାହିତ ଦେବଦମ୍ପତିଙ୍କ ଉପରେ ସ୍ବର୍ଗରୁ ଦେବତାମାନେ ପୁଷ୍ପ ବୃଷ୍ଟି କରିଥିଲେ ଯାହା ବର୍ଷା ବୁନ୍ଦା ରୂପେ ପଡ଼ି ଧରଣୀକୁ ଶୀତଳ କରିଥିଲା।

କନ୍ୟାଘର ତରଫରୁ ଝିଅଜ୍ବାଇଁଙ୍କୁ ପର˚ପରା ଅନୁଯାୟୀ ବିଭିନ୍ନ ସ୍ବର୍ଣ୍ଣ, ରୌପ୍ୟ ଅଳଙ୍କାର, ବସ୍ତ୍ର, ପାଟ, ପୀତାମ୍ବରୀ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଖଜା, ଲଡ଼ୁ ଆଦି ଭାର ଓ ଉପହାର ଦିଆ ଯାଇଥିଲା। ଏହା ପରେ ବୁଧବାର ସଂଧ୍ୟାରେ ନବବିବାହିତ ଦେବଦମ୍ପତିଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ମହାଆଳତି କରାଯାଇଛି। କରୋନା ମହାମାରୀ କାରଣରୁ ଲଗାତାର ଦ୍ବିତୀୟ ବର୍ଷ ପାଇଁ ଶତାବ୍ଦୀ ପୁରୁଣା ପରଂପରାର ବ୍ୟତିକ୍ରମ ହୋଇଛି । ଶୀତଳଷଷ୍ଠୀ ନଗର ପରିକ୍ରମା ଶୋଭାଯାତ୍ରାକୁ ବାତିଲ କରାଯାଇଛି । ତେଣୁ ବୁଧବାର ସଂଧ୍ୟାରୁ ଦେବଦମ୍ପତି ମନ୍ଦିର ପରିସରରେ ହିଁ ଭକ୍ତଙ୍କୁ ଯୁଗଳ ଦର୍ଶନ ଦେଇଛନ୍ତି ଯାହା ଗୁରୁବାର ଅପରାହ୍‌ଣ ପର୍ଯ୍ୟନ୍ତ ଜାରି ରହିବ ବୋଲି ଶୀତଳଷଷ୍ଠୀ ଯାତ୍ରା ମିଳିତ ସମନ୍ବୟ ସମିତି ପକ୍ଷରୁ କହାଯାଇଛି ।

ଆଜି ଦର୍ଶନ ଦେଉଛନ୍ତି ଦେବ ଦମ୍ପତିଙ୍କ ଯୁଗଳ ମୂର୍ତି । ସକାଳୁ ସନ୍ଧ୍ୟାଯାଏଁ ଦେବୀ ପାର୍ବତୀ ଓ ବାବା ଭୋଲେନାଥ ଭକ୍ତଙ୍କୁ ଯୁଗଳ ଦର୍ଶନ ଦେବେ । କୋଭିଡ କଟକଣା ଭିତରେ ସାମାଜିକ ଦୂରତା ରକ୍ଷା କରି ଭକ୍ତ ଦେବ ଦମ୍ପତିଙ୍କ ଦର୍ଶନ କରିପାରିବେ । ଅପରାହ୍ନ ୪ଟାରେ ଅଳଙ୍କାର କଢ଼ାଯାଇ ମନ୍ଦିରରେ ପ୍ରବେଶ କରିବେ ଦେବ ଦମ୍ପତି । ମନ୍ଦିର ପ୍ରବେଶ ପରେ ଚଳିତ ବର୍ଷର ଶୀତଳ ଷଷ୍ଠୀ ଯାତ୍ରା ସମାପନ ହେବ ।