ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା : ସରିଲା ମହାଦେବ ଓ ମା’ ପାର୍ବତଙ୍କର ପତରପେଣ୍ଡି ବା ନିର୍ବନ୍ଧ; ଆଜି ଦେବ ନିମନ୍ତ୍ରଣ

227

କନକ ବ୍ୟୁରୋ : ଧୁମଧାମରେ ଚାଲିଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ସୋମବାର ରାତିରେ ମହାଦେବ ଓ ମା’ ପାର୍ବତୀଙ୍କର ପତରପେଣ୍ଡି ବା ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି । ସୋମବାର ରାତିରେ ଝାଡ଼ୁଆପଡ଼ାର ଲୋକନାଥ ବାବା, ମୋଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱରୀ ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବାଙ୍କ ପତରପେଣ୍ଡି ଉତ୍ସବରେ ଯୋଗ ଦେଇଥିଲେ ଶତାଧିକ ଶ୍ରଦ୍ଧାଳୁ । ସନ୍ଧ୍ୟାରେ ମହାଦେବଙ୍କ ମନ୍ଦିରରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା ।

ଏହା ପରେ ମହାଦେବଙ୍କ ପାଇଁ କନ୍ୟା ଅନ୍ୱେଷଣରେ ବାହାରିଥିଲେ ବରପିତା ଓ ସପ୍ତଋଷି । ଏକ ଭବ୍ୟ ପଟୁଆରରେ ଘଂଟ, ଶଙ୍ଖ, ଦୁଲୁଦୁଲି, ଧମାଲ ବାଦ୍ୟର ତାଳେତାଳେ ବାହାରିଥିଲା ପଟୁଆର । ଏହାପରେ କନ୍ୟା ଖୋଜିଖୋଜି ବରପକ୍ଷ ପହଂଚିଥିଲେ କନ୍ୟାପିତା ମାତା ଘରେ । ସେଠାରେ ବରପକ୍ଷଙ୍କୁ ସ୍ୱାଗତ କରାଯାଇଥିଲା । ବିବାହ ପାଇଁ କନ୍ୟାପକ୍ଷ ରାଜି ହେଲା ପରେ ସପ୍ତଋଷିଙ୍କ ଉପସ୍ଥିତିରେ ଦେବୀ ପାର୍ବତୀଙ୍କୁ ବେଲପତ୍ର, ଫୁଲ ଓ ଗୋଟିଏ ବିଡ଼ା ସରଗି ପତ୍ର ଦେଇ ବୋହୂ ଭାବେ ବାଛିଥିଲେ ବରପିତା । ଆଉ ଏଥିସହ ପତରପେଣ୍ଡି ଓ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଆଜି ଦେବ ନିମନ୍ତ୍ରଣ ରହିଥିବା ବେଳେ ଆସନ୍ତାକାଲି ଦେବ ଦମ୍ପତିଙ୍କୁ ବିବାହ କାର୍ଯ୍ୟକ୍ରମ ରହିଛି ।