ସଂସଦରେ ସୀତା, ରାବଣ ଓ ପେଟ୍ରୋଲ । ରାଜ୍ୟସଭାରେ ସମାଜବାଦୀ ସାଂସଦଙ୍କ ପ୍ରଶ୍ନ, ଭାରତ ତୁଳନାରେ ସୀତାଙ୍କ ନେପାଳ ଓ ରାବଣଙ୍କ ଶ୍ରୀଲଙ୍କାରେ କମ୍ ରହିଛି ପେଟ୍ରୋଲ ଦର, ଦେଶରେ କମିବ କେବେ 

100

କନକ ବ୍ୟୁରୋ : ରାଜ୍ୟସଭାରେ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ସମାଜବାଦୀ ପାର୍ଟି ସାଂସଦ ବିଶ୍ୱମ୍ବର ପ୍ରସାଦ ନିଷାଦ ଏହି ପ୍ରଶ୍ନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ । ବୁଧବାର ଦିନ ରାଜ୍ୟସଭାରେ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ସମାଜବାଦୀ ପାର୍ଟି ସାଂସଦ ବିଶ୍ୱମ୍ବର ପ୍ରସାଦ ପ୍ରଶ୍ନ ରଖିଥିଲେ ଯେ, ସୀତା ମାତାଙ୍କ ନେପାଳରେ ତୈଳ ଦର ଭାରତ ତୁଳନାରେ କମ ରହିଛି, ସେହିପରି ରାବଣର ଶ୍ରୀଲଙ୍କାରେ ମଧ୍ୟ ଦର କମ ରହିଥିବା ବେଳେ ରାମଙ୍କ ଭାରତରେ ସରକାର ତୈଳ ଦର କେବେ କମ କରିବେ ।

ସମାଜବାଦୀ ପାର୍ଟି ସାଂସଦ ବିଶ୍ୱମ୍ବର ପ୍ରସାଦ ନିଷାଦଙ୍କ ପ୍ରଶ୍ନର ଉତର ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନେପାଳ ଓ ଶ୍ରୀଲଙ୍କା ସହ ଭାରତର ତୁଳନା ଠିକ୍ ନୁହେଁ ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେହିପରି ସେଠାରେ ବହୁଳ ଭାବରେ ବ୍ୟବହାର ହେଉଥିବା କିରୋସିନି ଦରରେ ପଡୋଶୀ ରାଷ୍ଟ୍ର ଓ ଭାରତ ମଧ୍ୟରେ ବିଶେଷ ଫରକ ନଥିବା କହିଛନ୍ତି ।

ସେହିପରି କଂଗ୍ରେସ ସାଂସଦ କେସି ବେଣୁଗୋପାଳ ଏବେ ତୈଳ ଦର ସର୍ବାଧିକ ରହିଥିବା ନେଇ ପ୍ରଶ୍ନ ରଖିଥିଲେ । ଧର୍ମେନ୍ଦ୍ର ପ୍ରଧାନ ଏହାର ଜବାବରେ ଏବେ ତେଲ ଦର ସବୁଠୁ ଅଧିକ ଅଛି ବୋଲି କହିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି । ତୈଳ ଦର ବୃଦ୍ଧିକୁ ନେଇ ରାଜନେତାଙ୍କ କଥା କଟାକଟି ଭିତରେ ଯଦି କିଏ ଅଧିକ ପ୍ରଭାବିତ ହେଉଛି ସେ ହେଉଛି ସାଧାରଣ ଜନତା ।