ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେଲା ‘ଶିଶିର ସରସ’ ମେଳା ! ଗୋଟିଏ ସ୍ଥାନରେ ସାରା ଦେଶର ଉତ୍ପାଦ

44

କନକ ବ୍ୟୁରୋ : ହସ୍ତଶିଳ୍ପ ସାମଗ୍ରୀଠାରୁ ଆରମ୍ଭ କରି ଘରସଜ୍ଜା ଆସବାବପତ୍ର, ପୋଷାକଠାରୁ ଆରମ୍ଭ କରି ସୌଖୀନ ସାମଗ୍ରୀ, ବେତ, ପିତ୍ତଳ, ବାଉଁଶ କାମରୁ ଆରମ୍ଭ କରି ପାରମ୍ପରିକ ପିଠାପଣାର ଏକ ବିଶାଳ ମେଲଣ ଲାଗିଛି ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ । ରାଜଧାନୀବାସୀଙ୍କୁ ଗୋଟିଏ ସ୍ଥାନରେ ସାରା ଦେଶର ଉତ୍ପାଦ ଯୋଗାଇ ଦେବାକୁ ଏକାଠି ହୋଇଛନ୍ତି ୨୪ ରାଜ୍ୟର ୬୩୫ କାରିଗର । କାରଣ ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟର ସର୍ବବୃହତ୍‌ ପ୍ରଦର୍ଶନୀ ‘ଶିଶିର ସରସ’ । ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓର୍‌ମାସ୍‌ ପକ୍ଷରୁ ଏହାର ଆୟୋଜନ କରାଯାଇଛି । ଗ୍ରାମୀଣ କାରିଗର ଓ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ତଥା ସେମାନଙ୍କୁ ଏକ ବୃହତ ବଜାର ଯୋଗାଇ ଦେବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।

ଆଜି ଏହି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ଏହା ପରିସରରେ ୨୯୩ଟି ଷ୍ଟଲ୍‌ ଖୋଲିଥିବା ବେଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦନକାରୀ ସଂସ୍ଥା ସମେତ ୪୮୮ଟି ଗ୍ରୁପ୍‌ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି । ମେଳା ପରିସରରେ କେନ୍ଦ୍ରାପଡ଼ାର ଗୋଲ୍‌ଡେନ୍‌ ଗ୍ରାସ୍‌, କୋରାପୁଟ୍‌ କୋଟପାଡ଼ ଭେଜିଟେବଲ୍‌ ଡାଇ, ବାଲେଶ୍ୱରର ଟେରାକୋଟା ସାମଗ୍ରୀ ଆଦିର ଉତ୍ପାଦନ ପ୍ରଣାଳୀ ପ୍ରଦର୍ଶିତ ହେଉଛି ।

ଏହି ଅବସରରେ ଓର୍‌ମାସ୍‌ର ରୌପ୍ୟ ଜୟନ୍ତୀ ମଧ୍ୟ ପାଳିତ ହେଉଛି । ଆଜିର କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ବିଭାଗୀୟ ସଚିବ ଦେଓରଞ୍ଜନ କୁମାର ସିଂହ, ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶକ ପ୍ରଣବଜ୍ୟୋତି ନାଥ ଓ ଓର୍‌ମାସ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି.ଏନ୍‌.ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶନୀ ଉତ୍ସବକୁ ସଂଯୋଜନା କରିଥିଲେ ।

ଗ୍ରାମୀଣ ଉତ୍ପାଦକମାନଙ୍କ ସହ ଗ୍ରାହକ ଓ କ୍ରେତାମାନଙ୍କୁ ଯୋଡ଼ିବା ଓ ଉତ୍ପାଦର ବିକ୍ରିବଟା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଭାବେ ବିକାଶ କରାଯାଇଥିବା ମୋବାଇଲ୍‌ ଆପ୍‌ ‘ଓର୍‌ମାସ୍‌ ମୟୂରଶିଳ୍ପ’କୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି । ଏହି ଆପ୍‌ ବିଭିନ୍ନ ଗ୍ରାମୀଣ କ୍ଲଷ୍ଟର୍‌ଗୁଡ଼ିକର ଏକ ସମ୍ପୂର୍ଣ୍ଣ ଡାଟାବେସ୍‌ ଭାବେ କାମ କରିବ । ଏହି ଆପ୍‌ ବ୍ୟବହାର ଦ୍ୱାରା ଅନ୍‌ଲାଇନ୍‌ ମାର୍କେଟିଂ, ପ୍ରଦର୍ଶନୀ ଏବଂ ସୋ ରୁମ୍‌ ଜରିଆରେ ସାମଗ୍ରୀଗୁଡ଼ିକର ବିକ୍ରିବଟା ସହଜସାଧ୍ୟ ହେବ ବୋଲି ଆଶା କରାଯାଉଛି । ରାଜଧାନୀବାସୀଙ୍କ ମଧ୍ୟରେ ପ୍ରଦର୍ଶନୀର ଲୋକପ୍ରିୟତା ବଢ଼ିବାରେ ଲାଗିଥିବା ବେଳେ ଗୋଟିଏ ସ୍ଥାନରେ ବିଭିନ୍ନ ରାଜ୍ୟର ସାମଗ୍ରୀ ମିଳୁଥିବାରୁ ବେପାର ମଧ୍ୟ ଭଲ ଜମେ । ଗତ ବର୍ଷ ପ୍ରଦର୍ଶନୀରେ ୯ କୋଟି ୫୬ ଲକ୍ଷ ଟଙ୍କାର ବିକ୍ରିବଟା ହୋଇଥିବା ବେଳେ ଚଳିତ ବର୍ଷ ୧୧ କୋଟି ଟଙ୍କା ବ୍ୟବସାୟର ଲକ୍ଷ୍ୟ ରଖାଯାଇଥିବା ଓର୍‌ମାସ୍‌ ପକ୍ଷରୁ କୁହାଯାଇଛି ।