କନକ ବ୍ୟୁରୋ : ବଡଦିନ ଓ ନୂଆବର୍ଷ ପାଇଁ ଗୋଟିଏ ନିୟମ ଆଉ ରାଜନୈତିକ ଦଳଙ୍କ ପାଇଁ ଆଉ ଗୋଟିଏ ନିୟମ । ଓମିକ୍ରନ ସଂକ୍ରମଣ ଭୟରେ କଟକଣା ଲଗାଇଛନ୍ତି ସରକାର । ରାଲି, ଶୋଭାଯାତ୍ରା ଉପରେ ଅଙ୍କୁଶ ସତ୍ୱେ, ବିଜେପି ଓ ବିଜେଡି ଏହାର ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି । ଗୋଟିଏ ପଟେ ବିଜେପି ସୁଶାସନ ଦିବସ ପାଳନ କରୁଥିବା ବେଳେ ଅନ୍ୟପଟେ ବିଜେଡି ତେଲ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଳାଇଛି । ଆଜି ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁ ରାଲି କରିଛନ୍ତି, ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ଓମିକ୍ରନକୁ ନେଇ ଚାରିଆଡେ ଚର୍ଚ୍ଚା ବଢୁଛି ଓ ଭୟ ବି ବଢୁଛି । କିନ୍ତୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏହି ରାଲିକୁ ଦେଖିଲେ ଲାଗିବ ସତେ ଯେମିତି ସେଭଳି କିଛି ଓମିକ୍ରନ ଭୟ ନାହିଁ । ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଏସବୁ ରାଲିରେ ସାମିଲ ହେଉଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଯେତେବେଳେ, କେନ୍ଦ୍ର ସରକାର ଓମିକ୍ରନ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଗାଇଡଲାଇନ ପ୍ରସ୍ତୁତ କରୁଛନ୍ତି, କଟକଣା ଜାରି କରୁଛନ୍ତି, ସେତେବେଳେ ସେହି ଦଳର ନେତା ବଡ ବଡ ରାଲି କରୁଛନ୍ତିି । ସାଧାରଣ ଲୋକଙ୍କ ଉପରେ ନିୟମ ଲାଗୁ ହେଉଛି କିନ୍ତୁ ବଡ ବଡିଆଙ୍କୁ ଉତ୍ତର ନାହିଁ ।
ଓମିକ୍ରନ ସଂକ୍ରମଣ ଭୟରେ ଖ୍ରୀଷ୍ଟମାସରେ ରାଲି, ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଅଂକୁଶ ଲଗାଯାଇଥିଲା । ହେଲେ କଟକଣାକୁ ନ ମାନି ଭୁବନନେଶ୍ୱରର ବିଜେପି ଓ ବିଜେଡି କରିଛନ୍ତି ରାଲି । ଦେଖିଲେ ଲାଗୁଥିଲା କରୋନା କଟକଣା କେବଳ ଲୋକଙ୍କ ପାଇଁ, ରାଜନୈତିକ ଦଳ ପାଇଁ ନୁହେଁ ।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀରେ ବିଜେପି ପାଳନ କରିଛି ସୁଶାସନ ଦିବସ । ଶହଶହ କର୍ମୀଙ୍କୁ ଧରି ନେତା ଭୁବନେଶ୍ୱର ଶିଶୁପାଳଗଡରେ ଶକ୍ତି ପ୍ରଦର୍ଶନ କରିଥିଲେ । ଆଉ ବିଜେପିର କାର୍ଯ୍ୟକ୍ରମକୁ କାଉଣ୍ଟର କରିବା ପାଇଁ ବିଜେଡି ତେଲ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିଛି । ଆଉ ଏଥିରେ ଶହ ଶହ କର୍ମୀଙ୍କ ଗହଳି ଦେଖି ଲାଗୁଥିଲା, ଯେମିତି ଏମାନଙ୍କ ପାଇଁ କରୋନା ନିୟମ ଉଦ୍ଦିଷ୍ଟ ନୁହେଁ ।
ସାଧାରଣ ଲୋକଙ୍କ ପାଇଁ କଟକଣା ଜାରି କରାଯାଉଛି ଓ ସେମାନେ ନିୟମ ଉଲ୍ଲଙ୍ଘନ କଲେ ପୁଲିସ ମାଡିବସି ଫାଇନ ଆଦାୟ କରୁଛି । କିନ୍ତୁ ରାଜନୈତିକ ଦଳଗୁଡିକ ଖୁଲମଖୁଲା ଏହାକୁ ଉଲ୍ଲଙ୍ଘନ କରୁଛନ୍ତି । କରୋନାର ଦ୍ୱିତୀୟ ଲହର ଆରମ୍ଭରେ ପଶ୍ଚିମବଙ୍ଗରେ ବଡ ବଡ ରାଜନୈତିକ ରାଲି, କରୋନା ସଂକ୍ରମଣକୁ ବଢାଇଦେଇଥିଲା । ଏଥିପାଇଁ ପ୍ରବଳ ସମାଲୋଚନା ବି ଦେଖିବାକୁ ମିଳିଥିଲା । ଏବେ ପୁଣି ଏଭଳି ରାଲି ଓ ସମାବେଶ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାକୁ ବଢାଇଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/16-29.jpg)