କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ଅଭୟାରଣ୍ୟ ଶିମିଳିପାଳକୁ ଶିକାରୀମାନଙ୍କ କବଳରୁ ରକ୍ଷା କରିବା ପାଇଁ ମୟୂରଭଞ୍ଜ ପୋଲିସର ଲଗାତାର ପ୍ରୟାସ ଜାରି ରହିଛି । ବେଆଇନ ବନ୍ଧୁକ ରଖିଥିବା ଶିକାରୀମାନଙ୍କ ଠାରୁ ବନ୍ଧୁକ ତଥା ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିବା ପାଇଁ ଜିଲ୍ଲା ପୋଲିସ ‘ଦେଶୀ ବନ୍ଧୁକ ସମର୍ପଣ ଅଭିଯାନ’ ଆରମ୍ଭ କରିଛି । ଶିମିଳିପାଳ ସଂଲଗ୍ନ କପ୍ତିପଦା, ଉଦଳା, ଖୁଂଟା, ଶରତ, ମହୁଲଡିହା, ଠାକୁରମୁଣ୍ଡା, ବାଙ୍ଗିରିପୋଷି, ଯଶିପୁର ଓ ବିଶୋଇ ୯ଟି ଥାନା ଅଂଚଳରେ ଅଭୟାରଣ୍ୟ ସଂଲଗ୍ନ ଅଞ୍ଚଳରେ ଶିକାରୀମାନେ ରଖିଥିବା ବେଆଇନ ଅସ୍ତ୍ରଶସ୍ତ୍ରକୁ ପୁଲିସ ନିକଟରେ ସମର୍ପଣ କରିବାକୁ ଏହି ସଚେତନତା ରଥ ପରିକ୍ରମା ଆରମ୍ଭ ହୋଇଛି ।

Advertisment

ଏହା ଦ୍ୱାରା ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଦେଶୀ ବନ୍ଧୁକ ତିଆରି କରୁଥିବା ବ୍ୟକ୍ତିମାନଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ସତର୍କ କରାଯାଉଛି । ଏଥିପାଇଁ ସଂଲଗ୍ନ ଗ୍ରାମରେ ଥିବା ସରପଞ୍ଚ, ସମିତିସଭ୍ୟ, ୱାର୍ଡସଭ୍ୟ, ଗାଁ ମୁଖିଆ ପରିବେଶବିତ୍ ଓ ସମାଜସେବୀ ମାନଙ୍କୁ ନେଇ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା ସଭା ମାଧ୍ୟମରେ ଗ୍ରାମବାସୀଙ୍କୁ ସଚେତନତା କରାଯାଉଛି । ଶିକାରୀମାନେ ସ୍ୱଇଚ୍ଛାରେ ନିଜ ପାଖରେ ରଖିଥିବା ବେଆଇନ ବନ୍ଧୁକ ଗୁଡିକୁ ଚଳିତମାସ ୩୦ ଓ ୩୧ ତାରିଖ ଦୁଇ ଦିନ ମଧ୍ୟରେ ନିକଟସ୍ଥ ଥାନା ମାନଙ୍କରେ ଜମା ଦେଇ ପୁରସ୍କୃତ ହେବାକୁ ପରାମର୍ଶ ଦିଆଯାଉଛି । ଏଥିରେ ବ୍ୟତିକ୍ରମ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପୋଲିସ ପକ୍ଷରୁ କୁହାଯାଇଛି ।

ଗତ ଦୁଇ ମାସ ଭିତରେ ଶିମିଳିପାଳରେ ଶିକାରୀ ଗୁଳିରେ ଦୁଇ ବନ କର୍ମଚାରୀଙ୍କ ହତ୍ୟା ପରେ ରାଜ୍ୟ ସରକାର ବନବିଭାଗ ଓ ପୁଲିସକୁ ମୁଖ୍ୟଶାସନ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏମିତିକି ମୟୁରଭଞ୍ଜ ପୋଲିସ ଓ ବନବିଭାଗ ପକ୍ଷରୁ ଜାରି ରହିଥିବା କମ୍ବିଂ ଅପରେସନରେ ୨୦ଟି ବନ୍ଧୁକ ସହିତ ୨୩ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ସରକାରଙ୍କ ନିଷ୍ପତ୍ତି ପରେ ମୟୂରଭଞ୍ଜ ପୋଲିସ ଦ୍ୱାରା ଜାରି ରହିଥିବା ଏହି କମ୍ବିଂ ଅପରେସନ୍ରେ ପୋଲିସକୁ ବାରମ୍ବାର ସଫଳତା ମିଳି ଚାଲିଛି । ଏବଂ ଏହି ଘଟଣାକୁ ମୟୂରଭଞ୍ଜବାସୀ ଓ ପରିବେଶବିତ୍ ମାନେ ସ୍ୱାଗତ ଜଣାଇଥିବା ବେଳେ ଏହା ଆଗକୁ ମଧ୍ୟ ଜାରି ରଖିବା ପାଇଁ ଅନୁରୋଧ କରିଛନ୍ତି ।