ଶିମିଳିପାଳରେ କଲରାପତରିଆ ବାଘ ମୃତ୍ୟୁ ଘଟଣା : ୭ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ

127

କନକ ବ୍ୟୁରୋ : ଶିମିଳିପାଳରେ କଲରାପତରିଆ ବାଘ ମୃତ୍ୟୁ ଘଟଣା । ୭ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପିସିସିଏଫ୍ ଶଶୀ ପଲ୍ । କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାହାର ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବାଘର ମୃତ୍ୟୁ ପଛରେ ଶିକାରୀଙ୍କ ହାତ ଅଛି କି ନାହିଁ ରିପୋର୍ଟରେ ଉଲ୍ଲେଖ କରାଯିବ । ଶିମିଳିପାଳ ଅଭୟାରଣ୍ୟର ପୋଡ଼ାଡିହା ରେଞ୍ଜ ଡଙ୍ଗାଡ଼ିହା ବିଟ୍‌ରୁ ଏକ କଲରାପତରିଆ ବାଘୁଣୀର ମୃତଦେହ ମିଳିଥିଲା ।

ରବିବାର ବନ କର୍ମଚାରୀମାନେ ପାଟ୍ରୋଲିଂରେ ଯାଇଥିବା ବେଳେ ବାଘୁଣୀର ମୃତଦେହ ଠାବ କରିଥିଲେ । ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପକ୍ଷେତ୍ର ନିର୍ଦ୍ଦେଶକଙ୍କୁ ଅବଗତ କରାଯିବା ପରେ ବାଘୁଣୀର ଶବ ବ୍ୟବଚ୍ଛେଦ କରାଯାଇଛି। ପାକସ୍ଥଳୀରେ ଆଭ୍ୟନ୍ତରୀଣ କ୍ଷତ ଯୋଗୁଁ ସେପ୍ଟିସେମିଆ ହୋଇ ବାଘୁଣୀର ମୃତ୍ୟୁ ହୋଇଥିବା ବନବିଭାଗ ରିପୋର୍ଟରେ ଦର୍ଶାଇଛି । ସେପଟେ ଶିକାରୀଙ୍କ ଗୁଳିରେ ବାଘୁଣୀର ମୃତ୍ୟୁ ଘଟିଥିବା କୁହାଯାଉଛି ।