ନାସା ସାଟେଲାଇଟରେ ଆସିଲା ଶିମିଳିପାଳ ଜଙ୍ଗଲ ଜଳୁଥିବାର ଚିତ୍ର । କୋର ଏରିଆରେ ଲାଗିଛି ନିଆଁ; ସାଟେଲାଇଟ୍ ଚିତ୍ରରୁ ହେଲା ସ୍ପଷ୍ଟ ।

467

କନକ ବ୍ୟୁରୋ: ଶିମିଳିପାଳକୁ ନେଇ ସତ କଣ? କାରଣ ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି । ଏହାରି ଭିତରେ ନାସା ଜାରି କରିଛି ଶିମିଳିପାଳର ନୂଆ ଚିତ୍ର । ଏଥିରେ ଜଙ୍ଗଲ ବିଭିନ୍ନ ସ୍ଥାନରେ ରେଡ ସ୍ପଟ ଅର୍ଥାତ ନିଆଁ ଜଳୁଥିବା ଚିତ୍ର ସ୍ପଷ୍ଟ ହୋଇଛି ।  ସେପଟେ  ଶିମିଳିପାଳ ଗସ୍ତରେ ଥିବା ବନ୍ୟପ୍ରାଣୀ ପିସିସିଏଫଙ୍କ କହିବା ହେଲା, ନିଆଁ ସଂପୂର୍ଣ୍ଣ ଆୟତ୍ତରେ ଅଛି ।

ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଶିମିଳିପାଳର ଭୟଙ୍କର ନିଆଁକୁ କ୍ୟାମେରାରେ କଏଦ କରିଛି  । ପ୍ରାୟ ୩ ଘଣ୍ଟା ଧରି ଶିମିଳିପାଳର ନିଆଁକୁ ଅନୁଧ୍ୟାନ କରିଛି ନାସା ।  ନାସାର ଏହି ଅନୁଧ୍ୟାନର ଅନୁଯାୟୀ, ଶିମିଳିପାଳର ପାଖାପାଖି  ଶହେଟି ସ୍ଥାନରେ ରେଡ ସ୍ପଟ ଦେଖାଯାଇଛି । ଅର୍ଥାତ ସେହି ସ୍ଥାନରେ ନିଆଁ ଜଳୁଥିବା ଦୃଶ୍ୟ ଏକପ୍ରକାର ସ୍ପଷ୍ଟ ହୋଇଛି ।  ଏହି ଜୈବମଣ୍ଡଳର ୫ ହଜାର ୫ଶହ ୬୯ ବର୍ଗ କିଲୋମିଟରରେ ନିଆଁ ଲାଗିଥିବା ନାସା ସୂଚନା ଦେଇଛି । ସେପଟେ ଶିମିଳିପାଳ ନିଆଁ ନେଇ ପିସିସିଏଫ ୱାଇଲଡ ଲାଇଫ ଶଶୀ ପଲ ଦୁଇଦିନ ଧରି ଶିମିଳିପାଳ ଗସ୍ତ କରିଛନ୍ତି । ସେ କହିଛନ୍ତି ଶିମିଳିପାଳ ଜଙ୍ଗଲ  ନିୟନ୍ତ୍ରଣରେ ଥିଲା ଓ ଅଛି ।  ଶୁଖିଲା ପତ୍ର ଓ କେବଳ ବୁଦା ଜଳିଛି ହେଲେ ବଡ ଗଛ ଜଳିନି ।

ତେବେ ଶିମିଳିପାଳ ନିଆଁକୁ ନେଇ ସତ କଣ? କାରଣ ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି । ଶିମିଳିପାଳ ଗସ୍ତରେ ଥିବା ବନ୍ୟପ୍ରାଣୀ ପିସିସିଏଫଙ୍କ କହିବା ହେଲା ନିଆଁ ସଂପୂର୍ଣ୍ଣ ଆୟତରେ ଅଛି । ସେହିପରିି କିଭଳି ବଡଗଛ କିମ୍ବା ବିରଳ ବନ୍ୟପ୍ରାଣୀଙ୍କର କ୍ଷୟକ୍ଷତି ହୋଇନାହିଁ ବୋଲି ବିଭାଗୀୟ ଉଚ୍ଚ ପଦାଧିକାରୀ କହୁଛନ୍ତି ବୋଲି  ଅନେକ ପ୍ରଶ୍ନ କରିଛନ୍ତି ।